ବିଶ୍ଵ ରେଡକ୍ରସ୍ ଦିବସ

ପାରାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆଜି ଗଜପତି ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ ହୋଇଥିଲା। ମାନବବାଦି ସମାଜସେବକ ଜନ୍ ହେନେରୀ ଡ୍ୟୁରାଣ୍ଟଙ୍କ ସମ୍ମାନରେ ତାଙ୍କ ଜନ୍ମଦିବସରେ ପ୍ରତିବର୍ଷ ମଇ ଆଠ ତାରିଖରେ ବିଶ୍ବ ରେଡ କ୍ରସ୍ ଦିବସ ପାଳନ କରାଯାଇଥାଏ। ଏହି  ଅବସରରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହୋନ୍ନାଗା ମହୋଦୟ ରେଡ କ୍ରସ୍ ସଂଗଠନର ମହତ୍ତ୍ଵ ଓ ସମାଜର ପୁନରୁଦ୍ଧାରରେ ତା’ର ଭୂମିକା ବିଷୟରେ ସୁନ୍ଦର ଅଭିଭାଷଣ ପ୍ରସ୍ତୁତ କରି କହିଥିଲେ “ଆଜିର ଏହି ଯୁଦ୍ଧ ବିଭୀଷିକା ଦୁନିଆ ମଧ୍ୟରେ ରେଡ୍ କ୍ରସ ଶତ୍ରୁ-ମିତ୍ରର ଭେଦଭାବରୁ ଉର୍ଦ୍ଧ୍ଵକୁ ଯାଇ ମାନବ କଲ୍ୟାଣ ନିମନ୍ତେ ନିଃସ୍ୱାର୍ଥପର ଭାବରେ କାର୍ଯ୍ୟରତ ।” ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ପୋଲିସ ଅଧିକାରୀ ପାରଳାଖେମୁଣ୍ଡି ମାଧବାନନ୍ଦ ନାୟକ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀ ମଞ୍ଚାସୀନ ହୋଇ ନିଜ ନିଜ ବକ୍ତବ୍ୟ ରଖିଥିଲେ। ସଭା ପରିଚାଳନା ଦାୟୀତ୍ବରେ ଡେପ୍ୟୁଟି କଲେକ୍ଟର ଏମର୍ଜେନ୍ସୀ ବିନାୟକ ଚନ୍ଦ୍ର ରାଉଳ ରହି ଜିଲ୍ଲା ରେଡକ୍ରସ୍ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଥିଲେ । ବିଗତ ବର୍ଷରେ ଜିଲ୍ଲାରୁ ମୋଟ ୨୬,୫୩,୮୩୦ ଟଙ୍କା ରେଡ କ୍ରସ୍ ପାଣ୍ଠି ପାଇଁ ସଂଗୃହିତ ହୋଇଥିଲା । ଏହି ପାଣ୍ଠିକୁ ସର୍ବାଧିକ ୧୬,୬୩,୮୫୦ ଟଙ୍କାର ଅନୁଦାନ କରିଥିବାରୁ ଆର୍ ଟି ଓ ବିଭାଗକୁ ପୁରସ୍କୃତ କରାଯାଇଥିଲା । ସର୍ବାଧିକ ରକ୍ତ ଦାନ ପାଇଁ ସରକାରୀ ଏସଏସଡି ଉଚ୍ଚବିଦ୍ୟାଳୟ ମୋହନାକୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଗତ ଅପ୍ରେଲ ମାସ ଓଡ଼ିଆ ପକ୍ଷରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ସମସ୍ତଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏ ବର୍ଷର ପ୍ରସଙ୍ଗ ‘ମାନବତାରେ ଏକତା’ କୁ ସମସ୍ତ ବକ୍ତା ନିଜ ନିଜ ଅନୁସାରେ ସୁନ୍ଦର ଭାବରେ ବ୍ୟାଖ୍ୟାନ କରିଥିଲେ । ସମାଜ ମଙ୍ଗଳ ପାଇଁ ରେଡ କ୍ରସ୍ ସାଙ୍ଗରେ ଯୋଡ଼ି ହେବା ପାଇଁ ମୁଖ୍ୟ ଅତିଥି ସମସ୍ତ ଜିଲ୍ଲା ବାସୀଙ୍କୁ ଆହ୍ବାନ କରିଥିଲେ । ଉକ୍ତ ବୈଠକରେ  ଜିଲ୍ଲାଧିକାରୀଗଣ, ଜିଲ୍ଲାର ସମାଜସେବୀ ଓ ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ