ସାପ କାମୁଡାରେ ବୃଦ୍ଧ ମୃତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗୁମ୍ମା ବ୍ଲକରେ ସାପ କାମୁଡାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ କୁଜାସିଂ ପଞ୍ଚାୟତ ଲଣ୍ଡାହାତୀ ଗ୍ରାମରେ ସାପ କାମୁଡାରେ ବିଜୟ ଭୂୟାଁ (୬୦) ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଖରାଦିନ ଯୋଗୁଁ ଉତ୍ତାପରୁ ରକ୍ଷା ପାଇବା ପାଇଁ ବିଜୟ ଘର ବାରଣ୍ଡାରେ ଶୋଇଥିବା ବେଳେ ହଠାତ୍ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଥିଲେ | ପରିବାର ଲୋକେ ତାଙ୍କୁ ପ୍ରଥମେ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସେଠାରୁ ପାରଳାଖେମୁଣ୍ଡି ନେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଏଠାରେ ଉଲ୍ଲେଖଯୋଗ୍ୟଯେ, ଗତ ଏକ ସପ୍ତାହ ତଳେ କାଳବୈଶାଖୀ ପ୍ରଭାବରେ ଏହି ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଦୁତ ସରବରାହ ସ୍ଥିତି ସ୍ବାଭାବିକ ହୋଇପାରିନାହିଁ। ଫଳରେ ଅଞ୍ଚଳବାସୀ ଗରମ ଓ ଗୁଳୁଗୁଳି କାରଣରୁ ବାରଣ୍ଡାରେ ଶୋଇବାକୁ ବାଧ୍ୟ ହେଉଛନ୍ତି ଏବଂ ଏଭଳି ସାପ କାମୁଡାରେ ମୃତ୍ୟୁବରଣ କରୁଛନ୍ତି।


