ନାରୀ ଅଧିକାର ଦାବିରେ ବିଜେଡିର ପ୍ରଦର୍ଶନୀ
କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : ମହିଳା ନିର୍ଯ୍ୟାତନା ଦୂର ଏବଂ ନାରୀ ଅଧିକାର ରକ୍ଷା ନିମନ୍ତେ ବିଜେଡି ଦଳ ଜୟପୁର ଠାରେ ନାରୀ ଶକ୍ତିର ଏକ ବିଶାଳ ପ୍ରଦର୍ଶନୀ କରିଛି। ଜୟପୁର ଠାରେ ଅନୁଷ୍ଠିତ ଏହି ବିଶାଳ ବିକ୍ଷୋଭ ରାଲି ରାଜ୍ୟ ସରକାରଙ୍କ ବିଫଳତାର ଏକ ବଡ ସଂକେତ ଦେଇଛି। ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀମତୀ ଇନ୍ଦିରା ନନ୍ଦଙ୍କ ନେତୃତ୍ୱରେ ଏକ ହଜାରରୁ ଅଧିକ ସାଧାରଣ ମହିଳା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ରାଜା ନଗର ନିକଟରୁ ଅନୁମୋଦିତ ଏହି ଶୋଭାଯାତ୍ରାଟି ନଗର ପରିକ୍ରମା କରି ପଞ୍ଚାନନ ମନ୍ଦିର ଠାରେ ପହଞ୍ଚିଥିଲା। ସେଠାରେ ଆୟୋଜିତ ସଭାରେ ବିଜେଡି ନେତ୍ରୃବର୍ଗ ରାଜ୍ୟ ଓ କେନ୍ଦ୍ରର ଡବଲ୍ ଇଂଜିନ୍ ସରକାରଙ୍କ ଉପରେ ତୀକ୍ଷ୍ଣ ସମାଲୋଚନା କରିଥିଲେ। ମହିଳା ନିରାପତ୍ତା ଓ ସୁରକ୍ଷା ନିଶ୍ଚିତ କରିବାରେ ଗତ ଦୁଇ ବର୍ଷର ସରକାର ସମ୍ପୂର୍ଣ ବିଫଳ ବୋଲି ମହିଳା ନେତ୍ରୀ ମାନେ ନିଜ ବକ୍ତବ୍ୟରେ କହିଥିଲେ। ଏଥି ସହିତ ପେଟ୍ରୋଲ, ଡିଜେଲ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଗୁଡିକର ଅହେତୁକ ଦରଦାମ ବୃଦ୍ଧିକୁ ନେଇ ଅନେକ ଟିପ୍ପଣୀ ମଧ୍ୟ ଦେଇଛନ୍ତି। ନାରୀ ମାନଙ୍କ ପ୍ରତି ଏଭଳି ଅତ୍ୟାଚାର ଓ ନିର୍ଯ୍ୟାତନାର ପ୍ରତିକାର ଓ ମୂଳୋଚ୍ଛେଦ ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ବିଫଳ ହୋଇଥିବା କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ବିଧାୟକ ରଘୁରାମ ପଢାଲ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ମିଶ୍ର, ଜିଲ୍ଲା ଉପ ସଭାପତି ନାଗରାଜ ଦୋରା ବରିଷ୍ଠ ନେତାବୃନ୍ଦ ସୂର୍ଯ୍ୟ ନାରାୟଣ ରଥ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ପାର୍ବତୀ ମସ୍ତି, ପୂର୍ବତନ ସାଂସଦ ପ୍ରାଥିନୀ କୌଶଲ୍ୟା ହିକକା, ବିଜେଡି ନେତ୍ରୀ ଟ୍ୱୀଙ୍କଲ୍ ମିଶ୍ର, ଶିଳ୍ପ ପାଣି ଏ ଅରୁଣା, ମହିଳା କାଉନସିଲରଙ୍କ ସହ ଅନେକ ମହିଳା ନେତ୍ରୀ ଏବଂ ଯୁବନେତା ଓ କର୍ମୀମାନେ ଯୋଗ ଦେଇଥିଲେ। ଆଜିର ଏହି ସମାବେଶ ନାରୀ ସମାନତା ଏବଂ ନିରାପତ୍ତା ସୁନିଶ୍ଚିତ ଦାବିରେ ଏକ ନୂତନ ଅଧ୍ୟାୟର ସୂଚନା ଦେଇଛି।


