ବିଷ ଖାଇ ଶିଶୁ ମୃତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ପୋଡାସିଙ୍ଗିଡ଼ି ଗ୍ରାମର ହୁଡ଼ିମୂଳ ସାହିରେ ଘଟିଛି ଅଭାବନୀୟ ଘଟଣା। ୭ ବର୍ଷର ଜଣେ ଶିଶୁ ଅଜାଣତରେ ବିଷ ଖାଇ ମୃତ୍ୟୁ ବରଣ କରିଛି। ସୂଚନା ଅନୁସାରେ ଗ୍ରାମର ଲକ୍ଷ୍ମଣ ମୁଣ୍ଡାଙ୍କ ପରିବାର ଲୋକମାନେ ଦିପହର ବେଳେ ଘରେ ଶୋଇଥିବା ସମୟରେ ୭ ବର୍ଷର ପୁଅ ଳମ୍ବୁ ଘରେ ଅନ୍ୟ ଛୁଆ ମାନଙ୍କ ସହ ଖେଳୁଥିଲା। ମାତ୍ର ଘରେ ଏକ ଡବାରେ ଚାଷ ପାଇଁ ରଖା ଯାଇଥିବା କୀଟନାଶକ କୁ ସେ ଜାଣି ନପାରି ଖାଇ ଦେଇଥିଲା। କିଛି ସମୟ ପରେ ତାର ବାନ୍ତି ହେବା ସହିତ ଗୁରୁତର ହୋଇ ପଡିବାରୁ ପରିବାର ଲୋକେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକତ୍ସା ପାଇଁ ନେଇ ଯାଇଥିଲେ। ସେଠାରେ ତାର ମୃତ୍ୟୁ ଘଟିଥିଲା। ଖବର ପାଇ ସୋସୋ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମୃତ ଶିଶୁର ଶବକୁ ବ୍ୟବଚ୍ଛେଦ କରାଇ ତଦନ୍ତ ଚଳାଇଛି।


