ଆସିକା ସହରବାସୀଙ୍କୁ କେବେ ମିଳିବ ବୁଲା କୁକୁରଙ୍କ ଆତଙ୍କରୁ ନିସ୍ତାର?

ଆସିକା (ୱାଇଏନ୍‍ଏସ୍‍): ଆସିକା ପୌର ପରିଷଦ ପରିସରଭୁକ୍ତ କେତେକ ୱାର୍ଡରେ ଗତ କିଛି ଦିନ ହେଲା ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଥିବା ଦେଖିବାକୁ ମିଳୁଛି। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ସାହିବସ୍ତିରେ ଦିନକୁ ଦିନ ବୁଲା କୁକୁରଙ୍କ ଉପଦ୍ରବ ବୃଦ୍ଧିପାଇବାରେ ଲାଗିଥିବା ବେଳେ ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ପ୍ରାତଃ ଭ୍ରମଣରେ ଯାଉଥିବା ନାଗରିକ ମାନଙ୍କ ଠାରୁ ଆରମ୍ଭ କରି ରାସ୍ତାରେ ଯାଉଥିବା କୋମଳମତି ଶିଶୁଙ୍କୁ ପଲପଲ ହୋଇ ବୁଲୁଥିବା ବୁଲାକୁକୁରଙ୍କ ଭୟ ଘାରୁଥିବା ଲକ୍ଷ୍ୟ କରାଯାଇଛି। କେଉଁ ସମୟରେ କିଏ ବୁଲାକୁକୁରଙ୍କ କାମୁଡାର ଶିକାର ହେବ ତାହା କିଛି କହି ହେବ ନାହିଁ। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ସାହିବସ୍ଥି ଗୁଡିକରେ ମାଳମାଳ ହୋଇ ବୁଲାକୁକୁର ବୁଲୁଥିବା ବେଳେ ଭୋର ସମୟରେ ଲୋକଙ୍କୁ ଦେଖିଲେ ଭୁକିବା ସହ ଲୋକଙ୍କ ପାଖକୁ ଦୌଡି ଆସୁଥିବା ଦେଖିବାକୁ ମିଳୁଛି। ଏପରିକି ବିଭିନ୍ନ ସମୟରେ ବୁଲା କୁକୁର ମାନେ ମୁଖ୍ୟ ରାସ୍ତାକୁ ଅବରୋଧ କରି ରଖୁଥିବା ଯୋଗୁଁ ବାଇକ ଚାଳକ ମାନେ ମଧ୍ୟ ଦୁର୍ଘଟଣାର ସମ୍ମୁଖିନ ମଧ୍ୟ ହେଉଛନ୍ତି। ଆସିକା ସହରର କେତେକ ସାହିବସ୍ତି ଗୁଡିକରେ ବିଭିନ୍ନ ସମୟରେ ପିଲାଙ୍କ ଠାରୁ ଆରମ୍ଭ କରି ବରିଷ୍ଟ ନାଗରିକ ମାନେ ମଧ୍ୟ କୁକୁର କାମୁଡା ଭୟରେ ଘରୁ ବାହାରିବାକୁ ନିରାପଦ ମଣୁନଥିବା ଅଭିଯୋଗ ହେଉଛି । ଆସିକା ପୌର ପରିଷଦ ଅଧୀନସ୍ଥ ୧୫ ନମ୍ବର ୱାର୍ଡର ଆର୍ବନ ବ୍ୟାଙ୍କ ରୋଡ୍‍ ଓ ୧୪ ନମ୍ବର ୱାର୍ଡର ନିରଞ୍ଜନ ନଗର ସମେତ ଅନ୍ୟ କେତେକ ସାହିବସ୍ତିରେ ବୁଲା କୁକୁରମାନେ ପଲ ପଲ ହୋଇ ବୁଲିବା ସାଙ୍ଗକୁ ବିଭିନ୍ନ ସମୟରେ ହିଂସ୍ର ହୋଇ କାମୁଡିବାକୁ ଗୋଡାଉଥିବା ଚର୍ଚ୍ଚା ହେଉଛି । ଆସିକା ସହରର ବିଭିନ୍ନ ଜଳଖିଆ ଦୋକାନ, ଫାଷ୍ଟଫୁଡ ସେଣ୍ଟର ଗୁଡିକ ନିକଟରେ ମାଳମାଳ ବୁଲା କୁକୁର ବୁଲୁଥିବା ଦେଖିବାକୁ ମିଳୁଛି। ଆସିକା ସହରାଞ୍ଚଳର କେତେକ ରାସ୍ତାରେ ବୁଲା କୁକୁର ମାନେ ମାଳମାଳ ହୋଇ ବୁଲୁଥିବା ବେଳେ ବାଇକ କିମ୍ବା ଅନ୍ୟକୌଣସି ଗାଡି ଦେଖିଲେ ଭୋକି ଭୋକି ଗାଡି ନିକଟକୁ ଚାଲି ଆସୁଥିବା ଅଭିଯୋଗ ହେଉଛି। ବୁଲା କୁକୁରଙ୍କ ରାଜୁତି ସାହିବସ୍ତି ଗୁଡିକରେ ଦିନକୁ ଦିନ ବଢି ବଢି ଚାଲିଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି। ବୁଲା କୁକୁରଙ୍କ ଉପଦ୍ରବ ଯୋଗୁଁ ଏବେ ଆସିକା ସହର ତଥା ଏହାର ଆଖାପାଖ ଅଞ୍ଚଳ ଦୁର୍ଘଟଣା ପ୍ରବଣ ହେବାରେ ଲାଗିଛି। ସାହିବସ୍ତି ଗୁଡିକରେ ଦଳଦଳ ହୋଇ ବୁଲା କୁକୁର ବୁଲୁଥିବା ଯୋଗୁଁ ବହୁ ଅଭିଭାବକ ସେମାନଙ୍କ ସନ୍ତାନ ସନ୍ତତିଙ୍କୁ କୁକୁର କାମୁଡିବା ଭୟରେ ଘରୁ ବାହାରକୁ ଛାଡିବାକୁ ନିରାପଦ ମଣୁନଥିବା ଦେଖିବାକୁ ମିଳୁଛି। ରାତ୍ରରେ ବାଇକ୍‍ରେ ଯିବା ବେଳେ ହେଉ ବା ଚାଲିଚାଲି ଯିବା ବେଳେ ହେଉ ବୁଲା କୁକର ଗୋଡାଉଛନ୍ତି ଆଉ ବେଳେ ବେଳେ ବାଇକ୍ ଭିତରକୁ ପଶି ଆସିବା ଫଳରେ ଦୁର୍ଘଟଣା ମଧ୍ୟ ଘଟୁଛି। ଯାହାରି ଫଳରେ ବାଇକ୍ ଚାଳକ ଗୁରୁତର ଆହତ ହେଉଛନ୍ତି। ଏଥିପାଇଁ କାହାକୁ ଦାୟୀ କରାଯିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ବୁଲାକୁକୁରଙ୍କ ଉପଦ୍ରବରୁ ଆସିକା ସହରବାସୀଙ୍କୁ ରକ୍ଷା କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ