ପଂଚାୟତରେ ମହିଳା ଭୋଟରଙ୍କୁ ନେଇ ଟଣାଓଟରା

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ମାସ ୬ ଟା ପରେ ପଂଚାୟତ ଭୋଟ । ତା ପୂର୍ବରୁ ସବୁ ଦଳ ବଳ କଷୁଛନ୍ତି । ସମାବେଶ କରି ନିଜ ତାକତ ଦେଖାଉଛନ୍ତି। ଆମେ ମହିଳାଙ୍କ ବଳ ବୋଲି କହି ମନ ଜିଣି ସଂଗଠନ ମଜବୁତ ପାଇଁ ଅଣ୍ଟା ଭିଡ଼ିବା ଆରମ୍ଭ କରିଛନ୍ତି । ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ରେ ପଂଚାୟତ ଭୋଟକୁ ନେଇ ପ୍ରତି ପଂଚାୟତରେ ଛକାପଞ୍ଝା ଆରମ୍ଭ ହୋଇଛି। କାକଟପୁର ନିର୍ବାଚନ ମଣ୍ଡଳୀ କାକଟପୁର ବ୍ଲକର ୧୬ଟି ପଂଚାୟତ, ଅସ୍ତରଙ୍ଗ ବ୍ଲକର ୧୫ଟି ପଂଚାୟତ, ଗୋପ ବ୍ଲକର ୧୪ପଂଚାୟତ ଓ କୋଣାର୍କ ଏନଏସି କୁ ନେଇ ଗଠିତ।କିନ୍ତୁ ଅସ୍ତରଙ୍ଗ ଓ କାକଟପୁର ର ବ୍ଲକର ବିଭିନ୍ନ ପଂଚାୟତ ରେ ବିଜେଡି ଓ ବିଜେପି ସହ କଂଗ୍ରେସ ଆଗାମୀ ନିର୍ବାଚନ ପାଇଁ ରଣନୀତି ପାଇଁ ଅଣ୍ଟା ଭିଡ଼ିଛନ୍ତି। ପଂଚାୟତ ସଂଗଠନ ଗଢିବାରେ ଶାସକ ବିଜେପି ବେଶୀ ତତ୍ପରତା ଦେଖାଇଛି। ବିଜେପିର ଆଗ ଧାଡ଼ିର ଛାମୁଆ ନେତା ମାନେ ବିଭିନ୍ନ ପଂଚାୟତ କୁ ଯାଇ କାର୍ଯ୍ୟକର୍ତ୍ତା ଙ୍କୁ ଭେଟି ନିର୍ବାଚନୀ ମନ୍ତ୍ର ଫୁଙ୍କୁଛନ୍ତି । କେଉଁ ପଂଚାୟତ ରେ ନିଜ ଦଳର ସ୍ଥିତି କେମିତି ତାର ହିସାବ ଆରମ୍ଭ କରିଛନ୍ତି । କାକଟପୁର ବ୍ଲକ ହେଉ କି ଅସ୍ତରଙ୍ଗ ବ୍ଲକରେ ବିଭିନ୍ନ ଦଳର ଜନ ପ୍ରତିନିଧି ଙ୍କୁ ଦଳ ସପକ୍ଷରେ ନେବା ସହ ପଦ୍ମ ଟୋପି ପିନ୍ଧାଇ ବିଜେପି ନିଜ ଶକ୍ତି ସମ୍ପୂକ୍ତ ପଂଚାୟତ ଗୁଡିକରେ ବଢ଼ାଇଛି । ପ୍ରତି ବୁଥ୍ ସ୍ତରରେ ବିଜେପି ତାର ବୁଥ୍ କମିଟି ଗଢି ପଂଚାୟତ ରଣାଙ୍ଗନ ଜିତିବାକୁ ମାନସ ମନ୍ଥନ ଆରମ୍ଭ କରିଛି, ସେପଟେ କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ତୁଷାରକାନ୍ତି ବେହେରା ଓ ପୁରୀ ଜିଲ୍ଲାପରିଷଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକ ଥିବାରୁ ବିଜେଡି ପଂଚାୟତ ନିର୍ବାଚନ ପାଇଁ କ୍ରମଶଃ ସଶକ୍ତ ହେଉଛି। ଏବେ ବି କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଧୀନ ବିଭିନ୍ନ ପଂଚାୟତ ରେ ସରପଞ୍ଚ ବିଜେଡି ସମର୍ଥିତ ରହିଛନ୍ତି । ପଂଚାୟତ ନିର୍ବାଚନ କୁ ୪ବର୍ଷ ରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ କାକଟପୁର ଓ ଅସ୍ତରଙ୍ଗ ବ୍ଲକରେ ଅନେକ ସମସ୍ୟା ରହିଛି, କିନ୍ତୁ ଆଜି ପର୍ଯ୍ୟନ୍ତ ସମସ୍ୟା ଦୂର ହୋଇନାହିଁ। ଏହା ସହ ଦୁଇ ବର୍ଷର ବିଜେପି ସରକାର ପ୍ରତି ଜନ ଅସନ୍ତୋଷ ତେଜିଥିବାରୁ ଲୋକେ ପୁଣି ନବୀନଙ୍କ ସୁଶାସନ ପ୍ରତି ଜନମତ ଦେବେ ବୋଲି ନିର୍ବାଚିତ ବିଜେଡି ସମର୍ଥିତ ଜନ ପ୍ରତିନିଧି ଖୁଲମ ଖୁଲ୍ଲା କହୁଛନ୍ତି । କାକଟପୁର ପଂଚାୟତ ଅଭୟ ସେଠୀ ଓ ଛୁରୀଆନା ପଂଚାୟତ ଖିରୋଦ କାଣ୍ଡି ପ୍ରମୁଖ ପଂଚାୟତ ନିର୍ବାଚନରେ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଦଖଲର ଦୃଢୋକ୍ତି ଦେଖାଇ ପଂଚାୟତ ରାଜନୀତି କୁ ଉଷ୍ମ କରିଛନ୍ତି । ଆଗାମୀ ପଂଚାୟତ ଲଢେଇର କଂଗ୍ରେସ ଏକ ନିର୍ଣ୍ଣାୟକ ଭୂମିକା ନେଉଛି। ଦୀର୍ଘ ବର୍ଷ ପରେ ବହୁ ପୁରୁଖା ତଥା ସତ୍ୟବ୍ରତ ପାତ୍ର ଓରଫ ରମୁ ପୁନର୍ବାର କଂଗ୍ରେସ ଆଡ଼େ ଢଳିଛନ୍ତି। ଅନ୍ୟ ପଟେ ସଂଗଠନ କୁ ମଜଭୁତ କରି ରଖିଛନ୍ତି ବିଶ୍ୱଭୂଷଣ ଦାସ। ଯାହା ଦଳ ପାଇଁ ଶୁଭ ସଂକେତ ବୋଲି କୁହାଯାଉଛି। ହେଲେ ଅନେକ ପଂଚାୟତ ରେ କଂଗ୍ରେସ ଅତି ଦୁର୍ବଳ ସ୍ଥିତିରେ ଥିବାରୁ ବିଜେଡି ସହ ବୁଝାମଣା କରି ପାର୍ଥି ଦେବାକୁ ପଂଚାୟତସ୍ତରର ଛାମୁଆ ନେତା ରଣନୀତି କରୁଛନ୍ତି। ଏହି ମିଶନ ଯଦି ସଫଳ ହୁଏ, ଶାସକ ବିଜେପି ଦଳ ଲାଗି କାକଟପୁର ଓ ଅସ୍ତରଙ୍ଗ ବ୍ଲକ ରାଜନୀତି କାଠିକର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ