ନଳକୂପର ଲୌହଯୁକ୍ତ ପାଣିରେ ମେଣ୍ଟୁଛି ଶୋଷ

ମାଲକାନଗିରି/କାଲିମେଳା(ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ନିଲିଗୁଡା ପଞ୍ଚାୟତ ଇରାଲଗୁଣ୍ଡି ଗାଁରେ ପାନୀୟଜଳ ସଂକଟ ଉତ୍କଟ ହେବାରେ ଲାଗିଛି | ସାହିର ୩୫ ପରିବାର ନଳକୂପର ଲୌହଯୁକ୍ତ ଦୂଷିତ ଜଳରେ ଶୋଷ ମେଣ୍ଟାଉଛନ୍ତି । ପ୍ରଶାସନ ନିକଟରେ ଗୁହାରି କଲେ ମଧ୍ୟ କେହି କର୍ଣପାତ ନ‌କରିବାରୁ ଶେଷରେ ବାଧ୍ୟହୋଇ ନଳକୂପିର ଫିଲ୍ଟର ବାହାର କରି ସଫା କରିଛନ୍ତି ଗ୍ରାମବାସୀ । ତଥାପି ମଇଳାପାଣି ବାହାରୁଥିବାରୁ ନଳକୂପ ମୁହଁରେ ଗାମୁଛା ବାନ୍ଧି ବାହାରୁଥିବା ପାଣିକୁ ବ୍ୟବହାର କରୁଥିବା ଗ୍ରାମବାସୀ କହିଛନ୍ତି।ଗାଁର ତୁଲେ କବାସୀ, ସାମେ ପଡିଆମୀ, ଅମ୍ବିକା ପଡିଆମୀ, ଦେବେ କବାସୀ, ସାମେ ମାଡକାମୀ, ଜଗା କବାସୀ ପ୍ରମୁଖଙ୍କ କହିବା ପ୍ରକାରେ ଇରାଲଗୁଣ୍ଡି ଗାଁରେ ୧୯୫ ପରିବାର ବସବାସ କରୁଛନ୍ତି । ଏହାର ପଡାଗ୍ରାମ ଟେକସାହିରେ ୩୫ ପରିବାରର ଦେଢଶହରୁ ଅଧିକ ଲୋକ ବସବାସ କରୁଛନ୍ତି । ଦୀର୍ଘ ୨୦ ବର୍ଷ ପୂର୍ବେ ସାହିରେ ନଳକୂଅ ଖନନ ହୋଇଥିଲା । ପୂର୍ବେ ଲୋକସଂଖ୍ୟା କମ ଥିଲା । ଏବେ ଜନସଂଖ୍ୟା ବୃଦ୍ଧି ହୋଇ ଶତାଧୀକ ଲୋକ ରହୁଛନ୍ତି । ସେତେବେଳର ଏକମାତ୍ର ନଳକୂପ ଉପରେ ସମସ୍ତଙ୍କୁ ନିର୍ଭର କରିବାକୁ ପଡୁଛି । ନଳକୂପ ମରାମତି ହେଉ ନଥିବାରୁ ଗତ କିଛି ମାସ ହେବ ଲୌହଯୁକ୍ତ ଦୂଷିତ ପାଣି ବାହାରୁଛି । ଦୂଷିତ ଜଳ ବ୍ୟବହାର ଦ୍ଵାରା ଗ୍ରାମବାସୀ ନାନା ରୋଗର ଶିକାର ହେଉଛନ୍ତି । ନଳକୂପରେ ବହୁ ବର୍ଷ ତଳେ ଏକ ଫଲ୍ଟର ଲଗାଯାଇ ଥିଲା। ଏହାପର ଠୁ କୌଣସି ଦିନ ଫିଲ୍ଟର ସଫା କରାଯାଇ ନାହିଁ । ନଳକୂପ ଖରାପ ହେଲେ ଅଭିଯୋଗ କରାଇବାକୁ ଗଲେ ଏସଏମସି କର୍ମଚାରୀ ମରାମତି କରୁଛନ୍ତି କିନ୍ତୁ ଫିଲ୍ଟର ବାହାର କରି ସଫା କରିବାକୁ ଭୂଲିଯାଉଛନ୍ତି। ଯା ଦ୍ଵାରା ସାହିବାସିନ୍ଦାଙ୍କୁ ବାଧ୍ୟହୋଇ ଲୌହଯୁକ୍ତ ଦୂଷିତ ପାଣି ବ୍ୟବହାର କରିବାକୁ ପଡ଼ୁଛି । ସକାଳେ ପ୍ରଥମ ୧ ଘଣ୍ଟା ପର୍ଯ୍ୟନ୍ତ ବାହାରୁଥିବା ପାଣି ପାଟିରେ ଦେଇ ହେଉନି । ଗାଁରେ ପୋଖରୀ କି କେନାଲ ନଥିବାରୁ ନଳକୂପ ଏକ ମାତ୍ର ଭରଷାଭାବି ନଳକୂପ ମୁହଁରେ ଗାମୁଛା କିମ୍ବା ଛଣାଜାଲି ବାନ୍ଧିବାକୁ ପଡ଼ୁଛି । ଆଜି ଗ୍ରାମବାସୀ ଏକାଠି ହୋଇ ନଳକୂପରେ ଲାଗିଥିବା ଫିଲ୍ଟର କୁ ବାହାର କରି ସଫା କରିଛନ୍ତି। ତୁରନ୍ତ ନୂତନ ନଳକୂପ ନହେଲେ ସୋଲାର ଜଳପ୍ରକଳ୍ପ ଦ୍ବାରା ପାଣି ଯୋଗାଇ ଦେବାକୁ ବ୍ଲକ ପ୍ରଶାସନ ନିକଟରେ ଗାଁର ମାଙ୍ଗି ପତିଆମୀ, ଗାଙ୍ଗି ପତିଆମୀ, ସୋନି ସୋଡି, ଯୋଗୀ ପଡିଆମୀ, ମାଳତୀ କବାସୀ, ଇର୍ମେ ପଡିଆମୀ, ରଙ୍ଗି କବାସୀ, ବାଣ୍ଡି ମାଢି, ଆଦା କବାସୀ, ଭୀମା ପଡିଆମୀ, ରାଜୁ ସୋଡି, ବିଜୁ ପଡିଆମୀ, ଲୋକନାଥ ପତିଆମୀ, ଗଙ୍ଗା କବାସୀ, ସୁଦ୍ଧା କବାସୀ ପ୍ରମୁଖଙ୍କ ସହ ଅନ୍ୟମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ