କାଳବୈଶାଖୀର ତାଣ୍ଡବ ଗଛ ଉପୁଡ଼ି ୭ ଜାଗାରେ ରାସ୍ତା ଅବରୋଧ

କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ବୁଧବାର ଅପରାହ୍ନରେ କାଳବୈଶାଖୀ ବର୍ଷା ପବନର ତାଣ୍ଡବ ଦେଖିବାକୁ ମିଳିଛି। ଘଣ୍ଟାଏ କାଳ ଧରି ଚାଲିଥିବା ବର୍ଷା ଓ ପବନ ବୁଧବାର ସାପ୍ତାହିକ ହାଟ ରୁ ବେପାରୀଙ୍କ ଦୋକାନ ଓ ସାମଗ୍ରୀ ଉଡ଼ାଇ ନେଇଛି। ନନ୍ଦପୁର ବ୍ଲକ ଅଞ୍ଚଳରେ ୭ ଜାଗାରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। ସଦର ମହକୁମା ପୂର୍ବତନ ଜିଲ୍ଲା ବୋର୍ଡ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ, ଆହାର କେନ୍ଦ୍ର ନିକଟ ହନୁମାନ ମନ୍ଦିର ଓ ରାସ୍ତା, ବାହିରିପଡ଼ା ଗ୍ରାମର ୨ ପ୍ରବେଶ ପଥ, ଏମଡିଆର ୫୫ ରାସ୍ତାର ସାତସମିଳୀ ଗ୍ରାମ ନିକଟ, ଥୁବା-ରାଇଶିଂ ସଂଯୋଗୀ ରାସ୍ତା ଓ ବିଲାପୁଟ ପଞ୍ଚାୟତର ସଗର ଜୋଲାପୁଟ ରାସ୍ତାରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। ନନ୍ଦପୁର ଅଗ୍ନିଶମ ବାହିନୀ କେନ୍ଦ୍ରାଧିକାରି (ଓଅଇସି) ହେମନ୍ତ କୁମାର ସାମଲଙ୍କ ନେତୃତ୍ଵାଧୀନ ଦଳ ଘଟଣା ସ୍ଥଳରେ ପହଞ୍ଚି ପର୍ଯ୍ୟାୟ କ୍ରମେ ଗଛ କାଟି ରାସ୍ତାରୁ ଅବରୋଧ ହଟାଉଥିବା ଦେଖିବାକୁ ମିଳିଛି। କିଛି ଗଛ ବିଦ୍ୟୁତ୍ ଖୁଣ୍ଟ ଉପରେ ପଡ଼ି ଥିବାରୁ ନନ୍ଦପୁର ଅଞ୍ଚଳରେ ବିଦ୍ୟୁତ୍ ସରବରାହ ମଧ୍ୟ ବନ୍ଦ ରହିଛି। କାଳବୈଶାଖୀ ଜନିତ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ନନ୍ଦପୁର ପ୍ରଶାସନ କଡ଼ା ନଜର ରଖିଥିବା ତହସିଲଦାର ଦେବବ୍ରତ ମହାରଣା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ