ଏନଏସି ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଶୁଭାରମ୍ଭ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସହରରେ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି। ଏନଏସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନା ସଭାରେ ନଗରପାଳ ପ୍ରଫୁଲ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଏନଏସି କାର୍ଯ୍ୟନିର୍ବାହୀ  ଅଧିକାରୀ ଅବିନାଶ ମିଶ୍ର ଙ୍କ ସଂଯୋଜନାରେ ଉପାଧ୍ୟକ୍ଷା କେ . ପୂଜା , କାଉନସିଲର ଦୀପକ ମିଶ୍ର,ନୀଳମାଧବ ଗୌଡ଼ ,ସୁଶାନ୍ତ ପାତ୍ର,ସୁନୀଲ ପଣ୍ଡା, ସନ୍ତୋଷିନୀ ବେହେରା , ଇ . ଗାୟତ୍ରୀ , କାଉନସିଲର ପ୍ରତିନିଧି ରମେଶ ଜେନା ଙ୍କ ସମେତ  ୧୧ ଟି ୱାର୍ଡ ଅଧିନ ବିଭିନ୍ନ ସାହି,ବସ୍ତି ର ବହୁ ସଂଖ୍ୟକ ବୁଦ୍ଧିଜୀବୀ ଏବଂ ବରିଷ୍ଠ ନାଗରିକ ସଭାରେ ଉପସ୍ଥିତ ଥିଲେ। ସହରାଞ୍ଚଳ ବିକାଶ ପ୍ରକ୍ରିୟାରେ ନାଗରିକ ଙ୍କ ସକ୍ରିୟ ଅଂଶଗ୍ରହଣ କୁ ସୁନିଶ୍ଚିତ କରିବା।ବିଭିନ୍ନ ସରକାରୀ ଯୋଜନାରେ ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କ ଉଦବୋଧନରେ ପ୍ରକାଶ କରିଥିଲେ।ଜନସାଧାରଣଙ୍କ ସହ ସିଧା ସଳଖ ଆଲୋଚନା କରାଯାଇ ସେମାନଙ୍କ ସମସ୍ୟା,ଅଭିଯୋଗ,ମତାମତ ଓ ବିକାଶ ସମ୍ପର୍କିତ ପ୍ରସ୍ତାବ ଗୁଡ଼ିକ ଲିପିବଦ୍ଧ କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା। ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମ।ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା, ପରିବେଶ ସୁରକ୍ଷା, ନାଗରିକ ସୁରକ୍ଷା ଓ ସରକାରଙ୍କ ଫ୍ଲାଗସିପ୍ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା।ସେହିପରି ନାଗରିକ ଙ୍କ ଅଭିଯୋଗ ଶୁଣାଣି, ଜନ ସଚେତନତା ଅଭିଯାନ, ସମୁଦାୟ ଭିତ୍ତିକ କାର୍ଯ୍ୟକଳାପ ଓ ନଗର ବିକାଶରେ ଜନ ଭାଗିଦାରୀ ବୃଦ୍ଧି ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। କାଉନସିଲ ନିର୍ବାଚନ  ସରିବାର ୪ ବର୍ଷ ମଧ୍ୟରେ ଦିଗପହଣ୍ଡି ଅଞ୍ଚଳର ବହୁ ବିକାଶମୂଳକ କାର୍ଯ୍ୟ ହୋଇଥିଲେ ମଧ୍ୟ ୧ ନଂ ୱାର୍ଡରେ ଥିବା ସାହି ରାସ୍ତା ଗୁଡିକରୁ  ଅଳିଆ ଆବର୍ଜନାକୁ ସଫେଇ ଉପରେ ଦୃଷ୍ଟି ଦେବା , ଅଞ୍ଚଳ କଲୋନୀରେ ରହିଥିବା ପୋଖରୀରେ ଦଶାହ କାର୍ଯ୍ଯ ପାଇଁ ଏକ ମଣ୍ଡପ ନିର୍ମାଣ , ରାଜପୁର ରୋଡ଼ ଓ ଶିଶିର ପଣ୍ଡା ଙ୍କ ଦୋକାନ ଗଳିରେ ରହିଥିବା ମୁକୁଳା ଡ୍ରେନ ଉପରେ ଘୋଡଣି ପକାଇବା ସମ୍ପର୍କରେ ଉପସ୍ଥିତ ବାସିନ୍ଦା ମାନେ ମତ ରଖିଥିଲେ । ସେହିପରି ୨ ନଂ ୱାର୍ଡ କାଳିଆ ନଗରରେ ସାମାନ୍ୟ ବର୍ଷା କିମ୍ବା ଘୋଡାହାଡ ଡ୍ୟାମରୁ ଜଳସେଚନ ନିମନ୍ତେ କେନାଲ ଯୋଗେ ପାଣି ଛଡାଗଲେ ସେହି ପାଣି ସେଠାରେ ରହୁଥିବା ଲୋକଙ୍କ ଘରେ ପଶୁଛି। ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଥିଲା । ଏପରିକି ୩ ନଂ. ୱାର୍ଡ ବାଲାଜୀ ନଗରରେ ଡ୍ରେନେଜ ଏବଂ ରାସ୍ତା ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିସହ ସହରର ନେଳିଆ ବନ୍ଧ ପୋଖରୀ ଏବଂ ଜାଗିଲି ବନ୍ଧ ପୋଖରୀ ଏବଂ ବଡବନ୍ଧ ପୋଖରୀ ସମେତ ସମସ୍ତ ୱାର୍ଡର ସମସ୍ୟାକୁ ନେଇ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ ଆଲୋଚନା କରିଥିଲେ । ଏନେଇ ଏନଏସି କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ୱାର୍ଡର ବିବିଧ ସମାଧାନ ପାଇଁ ଦୃଷ୍ଟି ଦିଆଯିବ ବୋଲି ନଗରପାଳ ପ୍ରତିଶ୍ରୁତି ଦେଇଥିଲେ । ଆଗାମୀ ୨୧ ତାରିଖ ଯାଏଁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ।ଏହି ସଭାରେ  ସହରର  ଶତାଧିକ ନାଗରିକ ଉପସ୍ଥିତ ଥିବା ବେଳେ ଏନଏସି କର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ