ଯୋଗ ଓ କବିତାର ରସଧାରାରେ ମନ୍ତ୍ରମୁଗ୍ଧ ହେଲା ସୃଜନ ସାହିତ୍ୟ ଆସର
ଛତ୍ରପୁର, (ଓ୍ବାଇଏନଏସ): ସ୍ଥାନୀୟ ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୃଜନ ସାହିତ୍ୟ ସଂସ୍କୃତି ସଂସଦ, ଛତ୍ରପୁର ଆନୁକୂଲ୍ୟରେ ସଂସଦର ସଭାପତି କବି ଡ଼. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମାସିକ ସାହିତ୍ୟ ଆସର ଏବଂ ସମୂହ ଯୋଗର ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଯୋଗର ଆଧ୍ୟାତ୍ମିକ ଚେତନା ଏବଂ କବିତାର ସାହିତ୍ୟିକ ରସଧାରାର ମିଳନରେ ସାରା ପରିବେଶ ଏକ ଭାବମୟ ଓ ମନ୍ତ୍ରମୁଗ୍ଧକର ରୂପ ଧାରଣ କରିଥିଲା l କବି, ଲେଖକ ଓ ସାହିତ୍ୟପ୍ରେମୀ ଏକତ୍ରିତ ହୋଇ ପ୍ରଥମେ ସମୂହ ଯୋଗ ଅଭ୍ୟାସ କରିଥିଲେ l ଯୋଗର ଶାନ୍ତିପୂର୍ଣ୍ଣ ବାତାବରଣ ପରେ ପ୍ରତିଭାବାନ ସାରସ୍ଵତ ସାଧକମାନେ ନିଜ ନିଜର ସ୍ୱରଚିତ କବିତା ପାଠ କରି ସଭାସ୍ଥଳକୁ ସାହିତ୍ୟର ସୁଗନ୍ଧରେ ସୁବାସିତ କରିଦେଇଥିଲେ l ଗୋଟିଏ ପଟେ ଶରୀର ଓ ମନକୁ ସୁସ୍ଥ ରଖିବାର ସଂକଳ୍ପ ଏବଂ ଅନ୍ୟପଟେ ଶବ୍ଦର ଝଙ୍କାର, ଉପସ୍ଥିତ ଶ୍ରୋତାମାନଙ୍କୁ ଭାବବିହ୍ୱଳ କରିଥିଲା l ଯୋଗ ମନ ଓ ଶରୀରକୁ ସୁସ୍ଥ ରଖିବା ସହ ସଦାସର୍ବଦା ମନରେ ଉତ୍ତମ ଓ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି କରେ ଏବଂ ଏହି ପବିତ୍ର ଚେତନା ହିଁ ଦେଶର ହିତ ସାଧନ କରିବା ସହ ସାହିତ୍ୟର ବିକାଶରେ ପ୍ରକୃତ ସହାୟତା କରିଥାଏ ବୋଲି ସଭାପତି ନିଜ ଅଭିଭାଷଣରେ ବ୍ୟକ୍ତ କରିଥିଲେ l ଏହି ସାରସ୍ଵତ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସୋମନାଥ ସାହୁ, ସନ୍ତୋଷ କୁମାର ବାଡ଼ତ୍ୟା, ବିଶ୍ୱମ୍ବର ରଥ,ଚିତ୍ତରଞ୍ଜନ ପଣ୍ଡା, ଶୈଳବାଳା ପାଣିଗ୍ରାହୀ, ପ୍ରଣତି ପଢ଼ାଳ, ବିନୋଦିନୀ ନାୟକ,ଅଶ୍ୱିନୀ କୁମାର ଚୌଧୁରୀ, ଯତିରାଜ ନାୟକ, ଟଙ୍କଧର ଛାଟଇ,ଏ. ବିଶ୍ୱମ୍ବର, ଉମାକାନ୍ତ ବେହେରା, ସୁରେନ୍ଦ୍ର ସେନାପତି, ବଳରାମ ପଲାଇ, ରାମଚନ୍ଦ୍ର ନନ୍ଦ, ତ୍ରିନାଥ ବେହେରା ପ୍ରମୁଖ ଯୋଗଦେଇ ନିଜର ଉଚ୍ଚକୋଟୀର କବିତା ପାଠ କରି ଆସରର ଶୋଭା ବଢ଼ାଇଥିଲେ l ପ୍ରଣତି ପଢ଼ାଳ କବିତା ଆସରକୁ ସୁଚାରୁରୂପେ ସଂଯୋଜନା କରିଥିଲେ ଏବଂ ସନ୍ତୋଷ କୁମାର ବଡ଼ତ୍ୟା ଶେଷରେ ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l ସ୍ୱାସ୍ଥ୍ୟ ଏବଂ ସାହିତ୍ୟର ଏହି ଅପୂର୍ବ ଯୁଗଳବନ୍ଦୀ ଛତ୍ରପୁର ଅଞ୍ଚଳରେ ଏକ ଦୀର୍ଘଦିନର ସ୍ମରଣୀୟ ଅନୁଭୂତି ହୋଇ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l


