ଖାଲି ପଡିଥିବା ସ୍ଥାୟୀ ବିଇଓ ଏବଂ ଦୁଇ ଏବିଇଓ ପଦବୀ ପୂରଣ କେବେ?

ଆସିକା(ୱାଇଏନ୍‍ଏସ୍‍): ରାଜ୍ୟ ସରକାର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରିଚାଲିଥିଲା ବେଳେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ସ୍ଥାୟୀ ବିଇଓ ଠାରୁ ଆରମ୍ଭ କରି ଦୁଇଟି ସ୍ଥାୟୀ ଏବିଇଓ, ଗୋଟିଏ ପ୍ରତିଷ୍ଠାନ ଅଧିକାରୀ (ଏଷ୍ଟାବ୍ଳିସମେଣ୍ଟ ଅଫିସର), ଗୋଟିଏ ମୁଖ୍ୟ କିରାଣୀ (ହେଡ୍‍ କ୍ଳର୍କ) ପଦବୀ ଖାଲି ପଡିଥିଲେ ମଧ୍ୟ ତାହାକୁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ପଟେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ନଳବଣ୍ଟା, କାଳଷଣ୍ଢପୁର, ଆସିକା ସଦର, ବାବନପୁର, ଭେଟନଇ, ବଡଖୋଲି, ଖାରିଆ, କେ.ନୁଆଁପଲ୍ଲୀ, ବାଲିସିରା, କେନ୍ଦୁପଦର, ଗଙ୍ଗାପୁର, ହରିଡାପଦର, ନିମିନା କ୍ଳଷ୍ଟର ଅଧୀନସ୍ଥ ୧୫୪ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ଅଧିକାଂଶ ସରକାରୀ ଶିକ୍ଷାନୁଷ୍ଠାନରେ ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଥିଲା ବେଳେ ଅନ୍ୟ ପଟେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ସ୍ଥାୟୀ ବିଇଓ ପଦବୀ ସମେତ ଦୁଇଟି ସ୍ଥାୟୀ ଏବିଇଓ ପଦବୀ ସାଙ୍ଗକୁ ଅନ୍ୟାନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଥିବା ଯୋଗୁଁ ପ୍ରଶାସନିକ ଓ ଶୈକ୍ଷିକ କାର୍ଯ୍ୟ ବିଭିନ୍ନ ସମୟରେ ବାଧାପ୍ରାପ୍ତ ହେଉଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପ୍ରତି ଏ ଅବିଚାର ବୋଲି ମଧ୍ୟ କେତେକ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ସ୍ଥାୟୀ ବିଇଓ ରୂପେ କାହାରିକୁ ନିଯୁକ୍ତି କରାନଯାଇ କାର୍ଯ୍ୟରତ ବିଇଓଙ୍କୁ ନୟାଗଡକୁ ବଦଳି କରାଯିବା ଘଟଣାକୁ ନେଇ ସଚେତନ ନାଗରିକ ମହଲରେ ଗଭୀର ଉଦ୍‍ବେଗ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି ନଂ.୧୩୨୩୮ ତା.୨୫.୦୫.୨୦୨୬ ପ୍ରକାରେ ଆସିକାରେ ଅବସ୍ଥାପିତ ଥିବା ବିଇଓଙ୍କୁ ନୟାଗଡକୁ ବଦଳି କରାଯାଇଥିଲା ବେଳେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଚିଠି ନଂ.୧୧୩୫୪ ତା.୨୦.୦୬.୨୦୨୬ ପ୍ରକାରେ ଆସିକା ବିଇଓଙ୍କୁ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟରୁ ରିଲିଭ୍‍ ମଧ୍ୟ କରାଯାଇସାରିଛି । ସେହିପରି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଚିଠି ନଂ.୧୧୯୦୫ ତା.୨୦.୦୬.୨୦୨୬ ପ୍ରକାରେ କଙ୍କୋରଡା ସ୍ଥିତ ସରକାରୀ ଏନ୍‍ବି ବିଦ୍ୟାପୀଠର ପ୍ରଧାନଶିକ୍ଷକ ସୁଜିତ୍‍ କୁମାର ପାଢୀଙ୍କୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ଆର୍ଥିକ କ୍ଷମତା ଦିଆଯାଇ ଡିଡିଓ (ଡ୍ରଇଂ ଓ ଡିସବର୍ସିଂ) ଅଫିସର ରୂପେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଗୋଟିଏ ସ୍ଥାୟୀ ବିଇଓ ଓ ଦୁଇଟି ସ୍ଥାୟୀ ଏବିଇଓ ପଦବୀ କେବେ ପୂରଣ ହେବ ତାହା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । ଆସିକାରେ ସ୍ଥାୟୀ ବିଇଓ ପଦବୀ ପୂରଣ ସଂକ୍ରାନ୍ତରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଅତିଶୀଘ୍ର ଖାଲି ପଡିଥିବା ସ୍ଥାୟୀ ବିଇଓ ଏବଂ ଦୁଇଟି ସ୍ଥାୟୀ ଏବିଇଓ ପଦବୀ ପୂରଣ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଛି । ଆସିକା ଅଞ୍ଚଳର ଶତାୟୁ ପୁରାତନ ପିଏମ୍‍ଶ୍ରୀ ହରିହର ହାଇସ୍କୁଲରେ ମଧ୍ୟ ଦୀର୍ଘ ଦିନ ହେଲା ଖାଲି ପଡିଥିବା ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ପୂରଣ ଦିଗରେ ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉନଥିବାରୁ ସଚେତନ ନାଗରିକ ମହଲରେ ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତୁରନ୍ତ ଧ୍ୟାନ ଦେଇ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଖାଲି ପଡିଥିବା ସ୍ଥାୟୀ ବିଇଓ ଏବଂ ଦୁଇ ସ୍ଥାୟୀ ଏବିଇଓ ପଦବୀ ସମେତ ଅନ୍ୟାନ୍ୟ ପଦବୀ ଗୁଡିକ ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ