ଦେବସ୍ନାନ ପୂର୍ଣ୍ଣିମାରେ କାକଟପୁର ମା ମଙ୍ଗଳା ପୀଠରେ ଅପୂର୍ବ ସର୍ବାଙ୍ଗ ଚନ୍ଦନ ବେଶ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ତାପେନ ସନ୍ତପ୍ତା ଜଗତୀ ଶମଂ ଯାତି ତ୍ୱତ୍ କୃପାତଃ ପ୍ରଚଣ୍ଡ ନିଦାଘରେ ଜଳୁଥିବା ଜଗତକୁ ଶୀତଳତାର ସ୍ପର୍ଶ ଦେବାକୁ ସୋମବାର ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ଧାରଣ କରିଛନ୍ତି ଦିବ୍ୟ ‘ସର୍ବାଙ୍ଗ ଚନ୍ଦନ ବେଶ’। ଯେଉଁଠି ଶ୍ରୀକ୍ଷେତ୍ରରେ ମହାପ୍ରଭୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଗଜାନନ ବେଶରେ ଭକ୍ତଙ୍କୁ କୃପା କରୁଛନ୍ତି, ଠିକ୍ ସେହି ସମୟରେ କାକଟପୁରରେ ମା’ ଚନ୍ଦନଚର୍ଚିତା ହୋଇ ଶାନ୍ତିର ବାର୍ତା ଦେଉଛନ୍ତି। ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା ସେହି ଆଦ୍ୟାଶକ୍ତି ମା’ ମଙ୍ଗଳା ଆଜି ଭକ୍ତଙ୍କ ସମସ୍ତ ତାପ, ରୋଗ, ଶୋକ ହରଣ ପାଇଁ ଏହି ଶୀତଳ ବେଶ ଗ୍ରହଣ କରିଛନ୍ତି। ଶାସ୍ତ୍ର କହେ, ଗ୍ରୀଷ୍ମେ ତାପେନ ସନ୍ତପ୍ତା ଦେବୀ ଶୀତଳତାଂ ବ୍ରଜେତ୍ । ଭକ୍ତର କଷ୍ଟକୁ ନିଜ ଉପରେ ଧାରଣ କରି ମା’ ସ୍ୱୟଂ ଶୀତଳ ହେବାକୁ ଚାହାଁନ୍ତି।
ବ୍ରାହ୍ମମୁହୂର୍ତରୁ ମା’ଙ୍କ ନୀତି ଆରମ୍ଭ ହୋଇଥିଲା। ମଙ୍ଗଳ ଆଳତି, ଅବକାଶ, ସକାଳ ଧୂପ ପରେ ସନ୍ଧ୍ୟାରେ ସୁଗନ୍ଧିତ ପୁଷ୍ପ-ଚନ୍ଦନ ଜଳରେ ମହାସ୍ନାନ କରାଯାଇଥିଲା। ପରେ ସାତ ଜଣ ସେବାୟତ ୧୦ କିଲୋରୁ ଅଧିକ ପବିତ୍ର ଚନ୍ଦନ ଘୋରି ମା’ଙ୍କ ମୁଖମଣ୍ଡଳରୁ ପାଦପଦ୍ମ ପର୍ଯ୍ୟନ୍ତ ସର୍ବାଙ୍ଗରେ ଲେପନ କରିଥିଲେ । ସେବାୟତ ତାପସ କୁମାର ଦୀକ୍ଷିତି କହିଥିଲେ , ଏହା ସିଂହବାହିନୀ ବେଶ ପରି ଅତି ମହତ୍ତ୍ୱପୂର୍ଣ୍ଣ। ଚନ୍ଦନେନ ଶୀତଳୀକୃତ୍ୟ ଦେବୀଂ ଭକ୍ତାର୍ତିନାଶିନୀମ୍’ ଚନ୍ଦନ ଦ୍ୱାରା ମା’ଙ୍କୁ ଶୀତଳ କଲେ ସମଗ୍ର ବ୍ରହ୍ମାଣ୍ଡର ତାପ ଶାନ୍ତ ହୁଏ। ଏହା ମା’ଙ୍କ କରୁଣାମୟୀ ରୂପ। ସନ୍ଧ୍ୟାରେ ଚନ୍ଦନ ଲେପ ପରେ ମା’ଙ୍କୁ ନୂତନ ପାଟବସ୍ତ୍ର, ସୁବର୍ଣ୍ଣ ଅଳଙ୍କାର ଓ ପୁଷ୍ପମାଲ୍ୟରେ ବିଭୂଷିତ କରାଯାଇଥିଲା। ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ମା’ଙ୍କ ଏହି କମନୀୟ ରୂପ ଦର୍ଶନ କଲେ ସର୍ବ ଦୁଃଖ ଦୂର ହୁଏ ବୋଲି ବିଶ୍ୱାସ। ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ କହିଛନ୍ତି , ସ୍ନାନ ପୂର୍ଣ୍ଣିମାରେ ସନ୍ଧ୍ୟାରେ ମହାସ୍ନାନ ପରେ ସର୍ବାଙ୍ଗ ଚନ୍ଦନ ବେଶ ଅନୁଷ୍ଠିତ ହୁଏ। ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ମା’ଙ୍କ ଚନ୍ଦନଚର୍ଚ୍ଚିତ ଶ୍ରୀଅଙ୍ଗରୁ ଯେପରି ଝରୁଥିଲା ଶାନ୍ତିର ଅମୃତ ଧାରା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ