ଅସ୍ତରଙ୍ଗ ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ନୀତି
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଓଡିଶାର ପ୍ରାଣ ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତି। ସେହି ସଂସ୍କୃତିର ଆଦ୍ୟ ଯାତ୍ରା ଦେବସ୍ନାନ ପୂର୍ଣିମ ସୋମବାର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବନ୍ତିଲୋ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ରତା ଓ ଭକ୍ତିର ସହ ପାଳିତ ହୋଇଛି। ଶ୍ରୀଜୀଉମାନଙ୍କ ମହାସ୍ନାନ ପରେ ମହାପ୍ରଭୁ ଗଜାନନ ବା ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ତୋ ଚକା ଆଖିରେ ଆଖି ମିଶିଗଲେ ଶାନ୍ତି ଲାଗେ ଏ ଜୀବନ ଭକ୍ତର ଏହି ପ୍ରାର୍ଥନା ଆଜି ସାକାର ହୋଇଛି। ବ୍ରାହ୍ମ ମୁହୂର୍ତ୍ତରୁ ମନ୍ଦିରରେ ମଙ୍ଗଳ ଆଳତୀ, ହୋମ, ଦ୍ୱାରପୂଜା, ଖେଚୁଡି ଭୋଗ ଓ ପୁଷ୍ପାଞ୍ଜଳି ସହ ନୀତି ଆରମ୍ଭ ହୋଇଥିଲା। ସ୍ନାନମଣ୍ଡପ ଶୋଧ କରି ପ୍ରତିଷ୍ଠା ପରେ ସେବାୟତମାନେ ଗୋଟି ପହଣ୍ଡିରେ ଶ୍ରୀସୁଦର୍ଶନ, ପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ନାନମଣ୍ଡପକୁ ବିଜେ କରାଇଥିଲେ। ସେହି ସମୟରେ ଶଙ୍ଖ, କାହାଳି, ଛତ୍ରୀ, ଚାମର ବିଞ୍ଚଣାରେ ସାରା ପରିବେଶ ଭକ୍ତିମୟ ହୋଇଉଠିଥିଲା। ପୁଣ୍ୟତୋୟା କୂପରୁ ୧୦୮ କଳସ ଜଳ ଆଣି ସେଥିରେ ଶ୍ୱେତଶୋରିଷ, ଜବ, ରକ୍ତଚନ୍ଦନ, ମହୁ, କ୍ଷୀର ଓ ହଳଦି ମିଶାଇ ପ୍ରଲେପ କରାଯାଇଥିଲା। ଗଜମହୋଷୈାଧି ଓ ସର୍ବମହୋଷୈାଧି ଶ୍ରୀଅଙ୍ଗରେ ଲାଗି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଭିମିଶ୍ରିତ ଜଳରେ ମହାସ୍ନାନ କରାଯାଇଥିଲା। ଏହାପରେ ଠାକୁରମାନଙ୍କୁ ନୂତନ ବସ୍ତ୍ର, ଚନ୍ଦନ, ତୁଳସୀ ଲାଗି କରି ଟାହିଆ ଲଗାଯାଇଥିଲା। ନୈବେଦ୍ୟ ଓ ଆଳତୀ ପରେ ଅପରାହ୍ନରେ ଶ୍ରୀଜୀଉମାନଙ୍କର ହାତୀବେଶ ଅନୁଷ୍ଠିତ ହୋଇଥିଲା। ବିଶ୍ୱାସ ରହିଛି, ମହାପ୍ରଭୁ ଏହି ବେଶରେ ଗଣେଶଙ୍କ ରୂପ ଧାରଣ କରନ୍ତି। ହାତୀ ବେଶ ଦର୍ଶନ କଲେ ସମସ୍ତ ବିଘ୍ନ ନାଶ ହୁଏ। ମନ୍ଦିର ବଡ଼ପଣ୍ଡା ବେଲାରସନ ପାଢ଼ୀ, ଅଜୟ ଦୀକ୍ଷିତ, ସୁବଳ ପାଢ଼ୀ, ଶ୍ୟାମସୁନ୍ଦର ପାଢ଼ୀଙ୍କ ସମେତ ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ନୀତି ପରିଚାଳନା କରିଥିଲେ।ସମସ୍ତ ନୀତି ପରେ ଶ୍ରୀଜୀଉମାନଙ୍କୁ ଅଣସର ଗୃହକୁ ପହଣ୍ଡି କରାଯାଇଥିଲା। ଆଜିଠାରୁ ୧୫ ଦିନ ମହାପ୍ରଭୁ ଅଣସରରେ ରହିବେ। ଅସ୍ତରଙ୍ଗ ବ୍ଲକ ଅଧୀନ ବରଡ଼ି, ଓଳିହାଁ, ନଗର, ତାଳଦା ସମେତ ବିଭିନ୍ନ ଗାଁର ସମସ୍ତ ଜଗନ୍ନାଥ ମନ୍ଦିରରେ ଆଜି ଦେବସ୍ନାନ ନୀତି ଶ୍ରଦ୍ଧାର ସହ ପାଳିତ ହୋଇଛି।


