କୃଷି ବିଭାଗର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ; ତଦନ୍ତ ଦାବି

କନ୍ଧମାଳ (ଓ୍ବାଇଏନଏସ): ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ କୃଷି ବିଭାଗର କାର୍ଯ୍ୟକଳାପକୁ ନେଇ ଚାଷୀ ମହଲ ଓ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ଅଭିଯୋଗ ହେଉଛି। ବିଭାଗର କେତେକ ଅଧିକାରୀ ଓ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ, ଦୁର୍ନୀତି ଏବଂ ସରକାରୀ ଯୋଜନାର ଅର୍ଥରେ ଅନିୟମିତତା ଯୋଗୁଁ ଜିଲ୍ଲାରେ କୃଷି ବିକାଶ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ଉଠିଛି। ଅଭିଯୋଗ ଅନୁଯାୟୀ, ୨୦୧୯ ରୁ ୨୦୨୬ ମଧ୍ୟରେ ପ୍ରାୟ ସାତ ବର୍ଷରେ ୧୯ ଜଣ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ (ସିଡିଏଓ) ବଦଳି ହୋଇଛନ୍ତି। ଫଳରେ ବିଭାଗର କାର୍ଯ୍ୟରେ ନିରନ୍ତରତା ବଜାୟ ରହୁନଥିବା ଏବଂ ବିଭିନ୍ନ ଯୋଜନା ପ୍ରଭାବିତ ହେଉଥିବା କୁହାଯାଉଛି।
ସେହିପରି ଜିଲ୍ଲାର ଅନେକ ବ୍ଲକରେ ନିୟମିତ ବ୍ଲକ କୃଷି ଅଧିକାରୀ (ବିଏଓ) ନଥିବାରୁ ଚାଷୀମାନେ ସମସ୍ୟାର ସମାଧାନ ପାଇଁ ବାରମ୍ବାର କାର୍ଯ୍ୟାଳୟକୁ ଯାଇ ମଧ୍ୟ ନିରାଶ ହୋଇ ଫେରୁଥିବା ଅଭିଯୋଗ କରିଛନ୍ତି। ଏହାଛଡ଼ା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୃଷି ଯୋଜନାର ଲାଭ ପ୍ରକୃତ ଚାଷୀଙ୍କ ନିକଟରେ ପହଞ୍ଚୁ ନଥିବା ଏବଂ ଏହି ଅର୍ଥର ବାଟମାରଣା ହେଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି। ବର୍ତ୍ତମାନ ଦାୟିତ୍ୱରେ ଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ନିୟମିତ କ୍ଷେତ୍ର ପରିଦର୍ଶନ କରୁନଥିବା ବୋଲି ମଧ୍ୟ କେତେକ ମହଲରୁ ଅଭିଯୋଗ ହେଉଛି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର, କୃଷି ସଚିବ ଓ କୃଷି ନିର୍ଦ୍ଦେଶକ ଏହି ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଚାଷୀମାନଙ୍କୁ ସରକାରୀ ଯୋଜନାର ସୁବିଧା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ