ଲୋକଙ୍କ ଘରେ ନର୍ଦ୍ଦମା ପାଣି ପସିବାରୁ ରାସ୍ତା ରୋକ: ସରପଞ୍ଚଙ୍କ ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ରୋକ
ମୁନିଗୁଡ଼ା,୪/୭ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ାର ବ୍ୟସ୍ତ ବହୁଳ ଫିଲ୍ମ ହଲ୍ ମୁଖ୍ୟ ସଡ଼କ ଗଣେଶ ନଗର ଉପର ସାହିର କେତେକଙ୍କ ଘରେ ନର୍ଦ୍ଦମା ପାଣି ପସିଯିବାରୁ ସ୍ଥାନୀୟ ଲୋକମାନେ ରାସ୍ତା ରୋକ କରିଥିଲେ। ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ପ୍ରବଳ ବର୍ଷା ହୋଇଥିଲା। ଶନିବାର ଦିନ ତମାମ ଝିପିଝିପି ବର୍ଷା ହେବା ସହ ଅନେକ ସ୍ଥାନରେ ନର୍ଦ୍ଦମା ପାଣି ରାସ୍ତା ଉପରେ ଚାଲିଥିବା ଦେଖିବାକୁ ମିଳିଥିଲା।ଅପରାହ୍ନରେ କିଛି ସମୟ ବର୍ଷା ହେବାରୁ ଗଣେଶ ନଗର ଉପର ସାହିରେ ନର୍ଦ୍ଦମା ପାଣି ସାହି ଭିତରେ ପଶିବା ସହ କିଛି ଲୋକଙ୍କ ଘରେ ମଧ୍ୟ ପାଣି ପଶିଯାଇଥିଲା।ମୁନିଗୁଡ଼ା ମେଡିକାଲ ଛକରୁ ଫିଲ୍ମ ହଲ୍ ଆର ଡି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ ସଫେଇ ହୋଇ ନଥିବା କାରଣରୁ ନର୍ଦ୍ଦମା ପାଣି ଓଭର୍ ଫ୍ଲୋ ହୋଇ ରାସ୍ତା ଓ ଘରେ ପସୁଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଖବର ପାଇଁ ମୁନିଗୁଡ଼ା ସରପଞ୍ଚ ସରସ୍ଵତୀ ଶବର ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କ ସହ କଥା ହୋଇଥିଲେ।ଦୁଇ ଦିନ ମଧ୍ୟରେ ଏହି ରାସ୍ତାରେ ଥିବା ଡ୍ରେନର କିଛି କିଛି ସ୍ଥାନର ଆବର୍ଜନା ସଫେଇ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏବେ ରଥଯାତ୍ରା ପାଇଁ ବଡ଼ ଦାଣ୍ଡ ଉପରେ ଥିବା ଆବର୍ଜନା କଢ଼ା ଚାଲିଛି। ରଥଯାତ୍ରା ପରେ ଏହି ରାସ୍ତାର ଡ୍ରେନ ଉପରେ ଥିବା ପ୍ଲେଟ୍ ଉଠାଇବାକୁ ଘର ବାଲାଙ୍କୁ ନୋଟିସ ଦେଇ ଡ୍ରେନ ସମ୍ପୂର୍ଣ ସଫା କରାଇବାର ବ୍ୟବସ୍ଥା କରିବେ ବୋଲି ସ୍ଥାନୀୟ ଲୋକ ମାନଙ୍କୁ କହିବା ପରେ ରାସ୍ତା ରୋକ୍ ଉଠିଥିଲା।


