ଓଡ଼ିଶା ହାଇକୋର୍ଟର ଏଏସଓ ପ୍ରଶ୍ନପତ୍ର ପ୍ରଘଟ ମାମଲା: ଜାମିନ ଆବେଦନର ଶୁଣାଣି ଶେଷ

କଟକ, (ଓ୍ବାଇଏନଏସ): ଓଡ଼ିଶା ହାଇକୋର୍ଟର ଆସିଷ୍ଟାଣ୍ଟ୍‌ ସେକ୍ସନ ଅଫିସର୍‌ (ଏଏସ୍‌ଓ) ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗିରଫ ହୋଇଥିବା ୧୪ ଜଣଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି । ସମସ୍ତ ଅଭିଯୁକ୍ତଙ୍କ ପକ୍ଷରୁ ଦାୟର ହୋଇଥିବା ଜାମିନ ଆବେଦନର ଶୁଣାଣି ଶେଷ କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀ ରାୟ ସଂରକ୍ଷିତ ରଖିଛନ୍ତି । ତେବେ ଆବେଦନକାରୀଙ୍କୁ ଲିଖିତ ଜବାବ ଦାଖଲ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଯେ, ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଏଏସ୍‌ଓ ମୁଖ୍ୟ ଲିଖିତ ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ହାଇକୋର୍ଟ ସେହି ପରୀକ୍ଷାକୁ ବାତିଲ କରିଦେଇଥିଲେ । ଏହାପରେ ପୁନର୍ବାର ମୁଖ୍ୟ ଲିଖିତ ପରୀକ୍ଷା କରାଯାଇ ଫଳାଫଳ ପ୍ରକାଶ ପାଇଥିଲା । ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଏକ ଆଉଟସୋର୍ସିଂ ଏଜେନ୍‌ସିର କାର୍ଯ୍ୟକଳାପରେ ତ୍ରୁଟି ଏବଂ ଅନିୟମିତତା ଜଣାପଡ଼ିବା ପରେ କଟକର ଲାଲବାଗ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ତଦନ୍ତ ସମୟରେ ଖାତା ମୂଲ୍ୟାୟନରୁ ଜଣାପଡ଼ିଥିଲା ଯେ କେତେକ ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀ ମଡେଲ ଉତ୍ତରକୁ ନକଲ କରି ଅସ୍ୱାଭାବିକ ଭାବେ ଅଧିକ ମାର୍କ ରଖିଛନ୍ତି । ଏଥିସହିତ ଫୋନ୍‌ ରେକର୍ଡରୁ ଆଉଟ୍‌ସୋର୍ସିଂ ଏଜେନ୍‌ସିର ଅଧିକାରୀ, ଦଲାଲ୍‌ ଏବଂ କେତେକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ସନ୍ଦେହଜନକ ଯୋଗାଯୋଗ ଥିବା ପ୍ରମାଣ ମିଳିଥିଲା । ପୁଲିସ ଏହି ମାମଲାରେ ୧୪ ଜଣଙ୍କୁ ଗିରଫ କରିଥିଲା । ପରେ ନିମ୍ନଅଦାଲତ ସେମାନଙ୍କ ଜାମିନ୍‌ ଆବେଦନକୁ ଖାରଜ କରିଦେଇଥିଲେ । ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର, ବୁଦ୍ଧଦେବ ରାଉତରାୟ, ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ