କାକଟପୁର ବ୍ଲକରେ ଯନ୍ତ୍ରୀଙ୍କ ରାଜ୍ ପ୍ରଶାସନ ନିଦ୍ରାରେ
କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ରାଜ୍ୟରେ ଡବଲ ଇଂଜିନ ସରକାର ଆସିବା ପରେ “ପିସି ମୁକ୍ତ ଓଡିଶା”ର ବଡ ବଡ ଘୋଷଣା ହେଉଛି। କିନ୍ତୁ ପୁରୀ ଜିଲ୍ଲା କାକଟପୁର ବ୍ଲକରେ ଏହି ଘୋଷଣା କେବଳ କାଗଜ କଲମରେ ସୀମିତ ରହିଥିବା ପ୍ରମାଣିତ ହୋଇଛି। ବ୍ଲକ କାର୍ଯ୍ୟାଳୟ ତଳେ ସରକାରୀ ଯୋଜନାର ଟଙ୍କାକୁ ଖୋଲାଖୋଲି ଭାବେ ଲୁଟ କରାଯାଉଥିବା ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। କାକଟପୁର ବ୍ଲକ କାଦୁଆନୂଆଗାଁ ପଞ୍ଚାୟତ ଅଧୀନ ଉପୁଳା ଗ୍ରାମର ମହାବୀର ମନ୍ଦିର ନିକଟରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ତିନି ଲକ୍ଷ ଛତିଶ ହଜାର ଟଙ୍କା ଏବଂ ବିଧାୟକ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ମିଶାଇ ମୋଟ ଆଠ ଲକ୍ଷ ଏକ ହଜାର ଟଙ୍କାର କାର୍ଯ୍ୟାଦେଶ ମିଳିଥିଲା। ସମ୍ପୃକ୍ତ କାମ ଶେଷ ହେବା ପରେ କାମ କରିଥିବା ବ୍ୟକ୍ତିମାନଙ୍କୁ ମାତ୍ର ସାତ ଲକ୍ଷ ପାଞ୍ଚ ହଜାର ଟଙ୍କା ଦିଆଯାଇଛି। ଅର୍ଥାତ ବାର ପ୍ରତିଶତ ଟଙ୍କା ପିସି ନାଁରେ କାଟି ନିଆଯାଇଛି। ଏନେଇ ଅଭିଯୋଗକାରୀ କୈଳାଶ ଲେଙ୍କା କହିଛନ୍ତି, “ଆମେ ମନ୍ଦିର ଘର କାମ କଲୁ। ଯନ୍ତ୍ରୀ ଆମକୁ କମ ଟଙ୍କା ଦେଲେ। ବାର ପ୍ରତିଶତ ନିଜ ମର୍ଜିରେ କାଟିଦେଲେ। ଏହାର ତୁରନ୍ତ ଭିଜିଲାନ୍ସ ତଦନ୍ତ ସହ ଉଚ୍ଚସ୍ତରୀୟ ଅଧିକାରୀଙ୍କ ତଦନ୍ତ ହେବା ଦରକାର। କାଦୁଆନୂଆଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଭୀମ ସେଠୀ କହିଛନ୍ତି, “ସରକାର ପିସି ମୁକ୍ତ ଓଡିଶା କହୁଛନ୍ତି। କିନ୍ତୁ କାକଟପୁର ବ୍ଲକରେ ପୁରୁଣା କାମ ହେଉ କି ନୂଆ କାମ, ସବୁ କାମରେ ପିସି କାରବାର ଚାଲିଛି। ତୁରନ୍ତ ଯାଞ୍ଚ ହେବା ଦରକାର। ଏ ସମ୍ପର୍କରେ କାକଟପୁର ବ୍ଲକରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, “ମୁଁ କିଛି ଜାଣିନାହିଁ। କେହି ଲିଖିତ ଅଭିଯୋଗ ଦେଇନାହାନ୍ତି। କାର୍ଯ୍ୟାଦେଶ ଯନ୍ତ୍ରୀଙ୍କ ନାଁରେ ଅଛି।” ତେବେ ବିଡ଼ିଓ ନାରାୟଣ ଦୀକ୍ଷିତି ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ବିଶେଷ ସୂତ୍ରରୁ ଜଣାପଡିଛି ଯେ ଏହି କାର୍ଯ୍ୟାଦେଶ ଯନ୍ତ୍ରୀ ରାକେଶ ରାଉତଙ୍କ ନାଁରେ ଥିବା ବେଳେ ବିଲ ପ୍ରସ୍ତୁତ କରିଛନ୍ତି ଯନ୍ତ୍ରୀ ଭାଗ୍ୟଧର ଧଳ। କାମ କରିଥିବା ବ୍ୟକ୍ତିମାନେ ଶ୍ରୀ ଧଳଙ୍କୁ ଭେଟି ଟଙ୍କା କାହିଁକି କଟାଗଲା ଏବଂ ବାକି ଟଙ୍କା ଫେରାଇବାକୁ ଦାବି କରିଥିଲେ।ଯାହାର ଭିଡିଓ ସାମାଜିକ ଗଣ ମାଧ୍ୟ୍ୟମରେ ଭାଇରାଲ ହେଉଛି। ରାଜ୍ୟ ସରକାର ସ୍ୱଚ୍ଛତା ଓ ଦୁର୍ନୀତି ମୁକ୍ତ ଶାସନର କଥା କହୁଥିବା ବେଳେ ତୃଣମୂଳ ସ୍ତରରେ ଏପରି ଘଟଣା ସରକାରଙ୍କ ପ୍ରତିଶ୍ରୁତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଏ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି। ପ୍ରଶାସନ ଏବେ କଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।


