ଅସ୍ତରଙ୍ଗ ହାଟରେ ପରିବା ଦର ଆକାଶଛୁଆଁ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) :ବର୍ଷା ଦିନ ଆରମ୍ଭ ହେବା ସହ ପୁରୀ ଜିଲ୍ଲା ଅସ୍ତରଙ୍ଗ ମୁଖ୍ୟ ବଜାର ସାପ୍ତାହିକ ହାଟରେ ପନିପରିବା ଦର ଆକାଶ ଛୁଇଁଛି। ଶନିବାର ହାଟରେ ସମସ୍ତ ପ୍ରକାର ପରିବାର ଦର ୫୦ ଟଙ୍କା ପାର କରିସାରିଛି। ଯାହାକି ମଧ୍ୟବିତ୍ତ ଏବଂ ଗରିବ ଲୋକଙ୍କ ପକେଟ ଉପରେ ବଡ ବୋଝ ପଡିଛି। ଶନିବାରର ଦର ତାଲିକା ଦେଖିଲେ ଚକିତ ହେବେ। ପୋଟଳ କିଲୋ ୬୦ ଟଙ୍କା, କାଙ୍କଣ ୬୦, କଲରା ୬୦, ବାଇଗଣ ୫୦, କାକୁଡି ୫୦, ଛଚିନ୍ଧ୍ରା ୫୦, ଗାଜର ୪୦, ଟମାଟୋ ୫୦ ଟଙ୍କାରେ ବିକ୍ରି ହେଉଛି। ଅର୍ଥାତ ୪୦ ଟଙ୍କା ତଳେ ଗୋଟିଏ ବି ପରିବା ନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବର୍ଷା ଆରମ୍ଭ ହେବା ପର ଠାରୁ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଚାଷୀଙ୍କ ଠାରୁ ସିଧା ବଜାରକୁ ପରିବା ଆସିପାରୁ ନାହିଁ। ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଅସ୍ତରଙ୍ଗ ବ୍ଲକ ଅଂଚଳରେ ସବୁଠୁ ବଡ ସମସ୍ୟା ହେଉଛି ଶୀତଳଭଣ୍ଡାର ଅଭାବ। ବ୍ଲକ ଅଧୀନ ବେଗୁନିଆବସ୍ତ, ଓସ୍ତପୁର, ଝାରିଆ, ଖଣ୍ଡାସାହି ଭଳି ଅଞ୍ଚଳର ଚାଷୀମାନେ ବହୁ କଷ୍ଟରେ ପରିବା ଅମଳ କରୁଛନ୍ତି। କିନ୍ତୁ ରଖିବା ପାଇଁ ଶୀତଳଭଣ୍ଡାର ନଥିବାରୁ ବାଧ୍ୟ ହୋଇ କମ୍ ଦାମରେ ବେପାରୀଙ୍କୁ ବିକ୍ରି କରୁଛନ୍ତି। ପୁଣି ସେହି ପରିବା ହିଁ ହାଟରେ ଦୁଇଗୁଣ ଦାମରେ ବିକ୍ରି ହେଉଛି। ବାରମ୍ବାର ଦାବୀ ହେଉଥିଲେ ମଧ୍ୟ ସରକାର ଏ ଦିଗରେ କର୍ଣ୍ଣପାତ କରୁନାହାନ୍ତି। ଅନ୍ୟପଟେ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମି ରହିଛି। ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ଏକଥାରେ ଚାଷୀ ମାନେ ଦ୍ବିଧାରେ ପଡିଛନ୍ତି। ଯଦି ତୁରନ୍ତ ପରିବା ବିକ୍ରି ନକରନ୍ତି ତେବେ ପଚିଯିବ। ଆଉ ବିକ୍ରି କଲେ ଠିକ୍ ଦାମ ମିଳୁନାହିଁ। ଗୃହିଣୀମାନଙ୍କ କହିବା ଅନୁଯାୟୀ ୨ଶହ ଟଙ୍କା ନେଇ ବଜାରକୁ ଗଲେ ମାତ୍ର ୩ରୁ ୫ପ୍ରକାର ପରିବା ହିଁ ହେଉଛି। ଦୈନିକ ରୋଜଗାର କରୁଥିବା ଲୋକଙ୍କ ପାଇଁ ଏହା ବଡ ସମସ୍ୟା ସୃଷ୍ଟି କରିଛି। ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଦର ନିୟନ୍ତ୍ରଣ ଏବଂ ଅସ୍ତରଙ୍ଗରେ ଗୋଟିଏ ଶୀତଳଭଣ୍ଡାର ପ୍ରତିଷ୍ଠା କରିବା ଦାବୀ ହୋଇଛି।


