ଚିଠା ଭୋଟର ତାଲିକା ପ୍ରକାଶକୁ ନେଇ ବୈଠକ
ଛତ୍ରପୁର, (ଓ୍ବାଇଏନଏସ): ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ, ନିର୍ଭୁଲ ଓ ବିଶ୍ୱସନୀୟ କରିବା ସହ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍.) କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଚିଠା ଭୋଟର ତାଲିକା ପ୍ରକାଶ ଅବସରରେ ଆଜି ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତି ୱାସନ କହିଥିଲେ ଯେ, ପରିଗଣନା ଫର୍ମ ସଂଗ୍ରହ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିବା ବେଳେ ସେଗୁଡ଼ିକର ଡିଜିଟାଇଜେସନ କାର୍ଯ୍ୟ ସାରିବା ସହ ଆଜି ଚିଠା ଭୋଟର ତାଲିକା ପ୍ରକାଶ ପାଇଥିବା ରୁ ସମସ୍ତ ମତଦାତାଙ୍କୁ ନିଜ ନାମ ଓ ବିବରଣୀ ଯାଞ୍ଚ କରିବା ସହ ଜୁଲାଇ ୫ରୁ ଅଗଷ୍ଟ ୪, ୨୦୨୬ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବାକୁ ଅନୁରୋଧ କରିଥିଲେ। ୧ ଜୁଲାଇ ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୋଗ୍ୟ ନାଗରିକମାନେ ଫର୍ମ–୬ ପୂରଣ କରି ବି.ଏଲ୍.ଓ.ଙ୍କ ନିକଟରେ ଦାଖଲ କରିପାରିବେ ବୋଲି ସେ ସୂଚନା ଦେଇଥିଲେ। ଜିଲ୍ଲାପାଳ କହିଥିଲେ ଯେ, ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ମୃତ, ଅଯୋଗ୍ୟ ଓ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ମତଦାତାଙ୍କ ନାମ ବିଲୋପ କରି ଏକ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ହିଁ ଏସ୍.ଆଇ.ଆର୍.ର ମୂଳ ଲକ୍ଷ୍ୟ। ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ମତଦାତା ଯେପରି ବାଦ ନ ପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ସାମିଲ ନ ହୁଏ, ସେଥିପ୍ରତି ସର୍ବୋଚ୍ଚ ଗୁରୁତ୍ୱ ଦିଆଯାଉଛି। ଜିଲ୍ଲାରେ ପୂର୍ବରୁ ୩୧୨୪ଟି ମତଦାନ କେନ୍ଦ୍ର ଥିବା ବେଳେ ନୂତନ ଭାବେ ୮୫୧ଟି ମତଦାନ କେନ୍ଦ୍ର ସଂଯୋଜନ ହୋଇ ବର୍ତ୍ତମାନ ମୋଟ ୩୯୭୫ଟି ମତଦାନ କେନ୍ଦ୍ର ରହିଛି। ଆବଶ୍ୟକ ସୂଚନା ପାଇଁ ଜନସାଧାରଣ ସିଇଓ ଓଡ଼ିଶାଙ୍କ ୱେବସାଇଟ୍ର ସହାୟତା ନେଇପାରିବେ ବୋଲି ସେ କହିଥିଲେ।
ସୂଚନା ଦିଆଯାଇଥିଲା ଯେ, ଗତ ମେ’ ୩୦ ତାରିଖରୁ ଆରମ୍ଭ ହୋଇଥିବା ପରିଗଣନା ଫର୍ମ ପୂରଣ କାର୍ଯ୍ୟ ଜୁନ୍ ୨୮ ତାରିଖରେ ସଫଳତାର ସହ ସମାପ୍ତ ହୋଇଛି। ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ସେପ୍ଟେମ୍ବର ୨ ସୁଦ୍ଧା ସମସ୍ତ ଦାବି ଓ ଆପତ୍ତିର ଶୁଣାଣି ଶେଷ କରାଯିବ ଏବଂ ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ /ନିର୍ବାଚନ) ଶ୍ରୀ ଦେବଦତ୍ତ ପଣ୍ଡା ଏସ୍.ଆଇ.ଆର୍. ପ୍ରକ୍ରିୟାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଉପସ୍ଥାପନା କରିଥିଲେ। ସଠିକ୍ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ରାଜନୈତିକ ଦଳ ଓ ସେମାନଙ୍କ ଅଧିକୃତ ପ୍ରତିନିଧିଙ୍କ ସକ୍ରିୟ ସହଯୋଗ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଡେପୁଟୀ କଲେକ୍ଟର(ନିର୍ବାଚନ) ଡ. ଅରୁଣ କୁମାର ଖଣ୍ଡା ବୈଠକରେ ଉପସ୍ଥିତ ଥିଲେ ।ଶେଷରେ ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଥିଲେ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ/ନିର୍ବାଚନ) ଶ୍ରୀ ପଣ୍ଡା ଧନ୍ୟବାଦ ଜଣାଇଥିଲେ।


