ସମାଜ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା : କୁଇଜ୍ରେ ସାଇ ପ୍ରତିକ ଓ ଚିତ୍ରାଙ୍କନରେ ପ୍ରଭୂଶ୍ରୀ ପ୍ରଥମ
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ସହରର ଗୋପ ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ପରିସରରେ ଲୋକ ସେବକ ମଣ୍ଡଳ ଓ ସମାଜ ପକ୍ଷରୁ ଆୟୋଜିତ ବ୍ଲକ ସ୍ତରୀୟ କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କୁଇଜ ପ୍ରତିଯୋଗିତାରେ ଗୋଗୁଆ ସ୍ଥିତ ଅଭିରାମ ନୋଡାଲ ଉଚ୍ଚ ଶିକ୍ଷାଶ୍ରମର ଛାତ୍ର ସାଇ ପ୍ରତୀକ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଜିଜ୍ଞାସା ତ୍ରିପାଠୀ ଦ୍ୱିତୀୟ ଓ ଗୋପ ସେଣ୍ଟ ଜାଭିୟର ହାଇସ୍କୁଲର ଛାତ୍ରୀ ସୋନାକ୍ସୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତରେ ସେଣ୍ଟ ଜାଭିୟର ହାଇସ୍କୁଲର ଛାତ୍ର ପ୍ରଭୂଶ୍ରୀ ମିଶ୍ର ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଡ୍ରିମ ଇଣ୍ଡିଆ ସ୍କୁଲର ଛାତ୍ରୀ ଶୁଶ୍ରୀ ଦିବ୍ୟାଂସି ଦ୍ୱିତୀୟ ଓ ସେଣ୍ଟ ଜାଭିୟର ହାଇସ୍କୁଲର ଛାତ୍ରୀ ପ୍ରୀତିଶ୍ରୀ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଗୋପବନ୍ଧୁଙ୍କ ସମୟର ଗ୍ରାମୀଣ ଜନ ଜୀବନ ବିଷୟ ବସ୍ତୁ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଦେଶ ବିଦେଶର ତଥ୍ୟକୁ ନେଇ ପ୍ରଶ୍ନଉତ୍ତର(କୁଇଜ୍) ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମାଜସେବୀ ରାଜେଶ ଦାସ, ଶିକ୍ଷାବିତ ଭୂବନ ମୋହନ ଜେନା, ଜାଭିୟର ସ୍କୁଲର ପ୍ରତିଷ୍ଠାତା ଶିକ୍ଷାବିତ ନିରଞ୍ଜନ ବେହେରା,ସମାଜସେବୀ ଶରତ ବେହୁରା, ଶିକ୍ଷାବିତ ପଣ୍ଡିତ ହୃଷିକେଶ ରଥ, ଶିକ୍ଷାବିତ ପ୍ରାଧ୍ୟାପକ ଡ. ଚୈତନ୍ୟ ଚରଣ ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ସମୟରେ ଗ୍ରାମୀଣ ଜୀବନ ଅତ୍ୟନ୍ତ ସରଳ ଥିଲା ବୋଲି କହିଥିଲେ। ଅତିଥିମାନେ କହିଲେ ଯେ ଉତ୍କଳମଣିଙ୍କ ସେବା ମନୋଭାବ ଓ ତାଙ୍କ ଆଦର୍ଶ କେବଳ ରାଜ୍ୟ କିମ୍ବା ଦେଶ ଭିତରେ ସୀମିତ ନାହିଁ ଏହା ସୁଦୂର ପ୍ରସାରି ହୋଇପାରିଛି। ଯାହା ଫଳରେ ସେ ଚିରଦିନ ପାଇଁ କୋଟି କୋଟି ଲୋକଙ୍କ ହୃଦୟରେ ରହିପାରିଛନ୍ତି। ସେବାର କଥା ଯେତେବେଳେ ମନକୁ ଆସେ ସେତେବେଳେ ଉକ୍ତଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କଥା ମନେପଡେ। ତେଣୁ ଆଜିର ଯୁବପିଢି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ ବୋଲି ଅତିଥିମାନେ କହିଥିଲେ। ଏହି ଅବସରରେ ଅତିଥିମାନେ କୃତି ପ୍ରତିଯୋଗୀଙ୍କୁ ପୁଷ୍ପଗୁଚ୍ଛ, ପ୍ରମାଣପତ୍ର ଓ ଅର୍ଥରାଶି ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରାଧ୍ୟାପକ ଡ. ସର୍ବେଶ୍ୱର ସେଣ, ଶିକ୍ଷୟିତ୍ରୀ କାକୁଲି ମଲ୍ଲିକ, ଶିକ୍ଷାବିତ ନୃସିଂହ ଚରଣ ତ୍ରିପାଠୀ, ଅଧ୍ୟାପକ ଦୀପକ କୁମାର ଓଝା, ଶିକ୍ଷକ ସୁଭାଂଶୁ କୁମାର ଦାସ, ଖ୍ୟାତନାମା ଚିତ୍ରଶିଳ୍ପୀ ଅଶୋକ କୁମାର ନାୟକ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ସୋମନାଥ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଚିତ୍ତରଞ୍ଜନ ଦାସ, ସାବିର ଖାନ୍, ଶିକ୍ଷକ ବିକାଶ ସାହୁ, ଅଶୋକ ଜେନା, ସଞ୍ଜୟ ମଥାନ, ଅଞ୍ଜନା ସାହୁ ପ୍ରମୁଖ ସହଯୋଗ କରିଥିଲେ।


