ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ
ଛତ୍ରପୁର, (ଓ୍ବାଇଏନଏସ) :ଜିଲ୍ଲା ରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଅଞ୍ଚଳବାସୀ ଭୟ ଭିତ ଅବସ୍ଥାରେ ରହିଛନ୍ତି l ସ୍ଥାୟୀ ପ୍ରତିକାର ନିମନ୍ତେ ବିଭିନ୍ନ ଫୋରମ ରେ କହି ଆସୁଥିଲେ ମଧ୍ୟ ଖୋଦ ମୁଖ୍ୟମନ୍ତ୍ରୀ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହୋଇଛି l ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଏନେଇ ମଧ୍ୟ ଚିଠି ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି l ପ୍ରଶାସନ ପକ୍ଷରୁ ରାସ୍ତା ଖୋଳି ଦେଇ ସିଲ କରିଦେଲେ ହେବ ନି ବୋଲି ମଧ୍ୟ ମତ୍ସ୍ୟଜୀବି ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l ଗଞ୍ଜାମ ବ୍ଲକ ର ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ପୁନର୍ବାର ସମୁଦ୍ର କୂଳକ୍ଷୟ ବଢିବା ଲାଗିଛି l ଏବେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଂଚଳ ରେ ସମାନ ପରିସ୍ଥିତି ଦେଖାଦେଇଛି। ସମୁଦ୍ରର ଜୁଆର କ୍ରମଶଃ କୂଳ ଅତିକ୍ରମ କରି ଜନବସତି ଆଡ଼କୁ ଅଗ୍ରସର ହେଉଥିବା ବେଳେ ବର୍ତ୍ତମାନ ସମୁଦ୍ର ଓ ଜନବସତି ମଧ୍ୟରେ ଦୂରତା ୧୦୦ ମିଟରରୁ ମଧ୍ୟ କମ୍ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହାର ସୂଚନା ପାଇ ରବିବାର ସକାଳେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଆର୍ଯ୍ୟପଲ୍ଲୀ ଉପକୂଳ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଆଲୋଚନା କରିଛନ୍ତି l ସେହିପରି ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପୋଡ଼ମପେଟା ଉପକୂଳବର୍ତ୍ତୀ ଅଞ୍ଚଳରେ ପୁନର୍ବାର ବଢ଼ୁଥିବା ସମୁଦ୍ର କୂଳକ୍ଷୟ ଏବଂ ଭୟାବହ ସ୍ଥିତିକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ। ସମୁଦ୍ରକୂଳ ଅବକ୍ଷୟର ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସ୍ଥାୟୀ ଉପକୂଳ ସୁରକ୍ଷା ବ୍ୟବସ୍ଥା କିପରି ଶୀଘ୍ର କରାଯାଇପାରିବ, ସେନେଇ ମଧ୍ୟ ଆଲୋଚନା କରିଥିଲେ। ଏଥିସହ ପ୍ରଭାବିତ ପରିବାରଙ୍କ ସୁରକ୍ଷା ଓ ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ସ୍ତରରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କ ସମୁଦ୍ରକୁ ଯିବା ଉପରେ ଜାରି ଥିବା କଟକଣାକୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି। ଫଳରେ ମାଛଧରା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାରୁ ହଜାର ହଜାର ମତ୍ସ୍ୟଜୀବୀଙ୍କ ଜୀବିକା ପ୍ରଭାବିତ ହୋଇଛି। ମତ୍ସ୍ୟଜୀବୀମାନଙ୍କ କହିବାନୁସାରେ, ସେମାନଙ୍କ ପରିବାରର ସମ୍ପୂର୍ଣ୍ଣ ଭରଣପୋଷଣ ମାଛଧରା ଉପରେ ନିର୍ଭରଶୀଳ। ଲଘୁଚାପ ଜନିତ କଟକଣା ଯୋଗୁଁ ସମୁଦ୍ରକୁ ଯାଇପାରୁ ନଥିବା ବେଳେ ଅନ୍ୟପଟେ ସମୁଦ୍ର କୂଳ ଲଙ୍ଘନ କରୁଥିବାରୁ ଡଙ୍ଗା ରଖିବା ଓ ସମୁଦ୍ରକୁ ଯିବା ପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। ଏହି ଦୁଇମୁହାଁ ସମସ୍ୟା ସେମାନଙ୍କୁ ଚିନ୍ତାରେ ପକାଇଛି। କିଛି ମତ୍ସ୍ୟଜୀବୀ କହିଛନ୍ତି ଯେ, ସମୁଦ୍ର ଭିତରେ ପାଗ ଅନୁକୂଳ ଥିବାରୁ ସେମାନେ ପୁଣି ଥରେ ମାଛଧରା ଆରମ୍ଭ କରିବା ଆଶାରେ ଜାଲ ବୁଣି ପ୍ରସ୍ତୁତ ରହିଛନ୍ତି। ତଥାପି ପ୍ରଶାସନର କଟକଣାକୁ ସମ୍ମାନ ଜଣାଇ ସେମାନେ ସମୁଦ୍ରକୁ ଯାଉନାହାନ୍ତି। କିନ୍ତୁ ଦୀର୍ଘ ଦିନ ଧରି ରୋଜଗାର ବନ୍ଦ ରହିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିବା ସେମାନେ କହିଛନ୍ତି। ଏପଟେ ସମୁଦ୍ର କୂଳ ସୁରକ୍ଷା ପାଇଁ ସ୍ଥାୟୀ ପ୍ରତିରୋଧ ବ୍ୟବସ୍ଥା କରିବାକୁ ଅଂଚଳବାସୀ ମାନେ ଦାବି କରିଛନ୍ତି। ସେମାନଙ୍କ ଆଶଙ୍କା ଯେ, ଉଚିତ ସମୟରେ ପଦକ୍ଷେପ ଗ୍ରହଣ ନ କରାଗଲେ ସମୁଦ୍ର ଜନବସତି ଆଡ଼କୁ ଅଗ୍ରସର ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇପାରେ।


