୧୫ ଦିନରେ ପିଆଜ ଦର ଦୁଇ ଗୁଣା

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ରୋଷେଇ ଘର ଅତ୍ୟାବଶ୍ୟକ ସାମଗ୍ରୀ ପିଆଜ ଏବେ ସାଧାରଣ ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଯେଉଁ ପିଆଜ ଘରର ସ୍ୱାଦ ବଢାଉଥିଲା, ସେହି ପିଆଜ ଆଜି ଗୃହିଣୀଙ୍କ ବଜେଟ ବିଗାଡୁଛି। ମାତ୍ର ୧୫ ଦିନ ମଧ୍ୟରେ ପିଆଜ ଦର ଦୁଇ ଗୁଣା ବୃଦ୍ଧି ପାଇବା ପରେ ବଜାର ରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ଗତ ୧୫ଦିନ ତଳେ ଯାହା ୨୦ଟଙ୍କା କେଜି ରେ ବିକ୍ରି ହେଉଥିଲା, ଆଜି ସେହି ପିଆଜ ୪୦ଟଙ୍କା କେଜି ଛୁଇଁଲାଣି। ଅର୍ଥାତ ଅଧା ମାସରେ ଦର ଦୁଇ ଗୁଣା ବଢିଯାଇଛି। ଏହି ଅଚାନକ ଦର ବୃଦ୍ଧି ଯୋଗୁଁ ଖୁଚୁରା ଦୋକାନୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଗ୍ରାହକ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ପଡିଛନ୍ତି।
ଅସ୍ତରଙ୍ଗ ଅଞ୍ଚଳର ବ୍ୟବସାୟୀ ଝରେନ୍ଦ୍ର ବିଶ୍ୱାଳ କହିଛନ୍ତି, ଏହି ଦର ବୃଦ୍ଧି ପାଇଁ ସମ୍ପୂର୍ଣ୍ଣ ଦୋଷ ମହାରାଷ୍ଟ୍ରର ନାସିକ ଜିଲ୍ଲାର। ସେଠାରେ ଗତ କିଛି ଦିନ ହେଲା ପ୍ରବଳ ବର୍ଷା ହେଉଛି। ଫଳରେ ପିଆଜ ଫସଲ ବଡ ପରିମାଣରେ ନଷ୍ଟ ହୋଇଯାଇଛି। ଯୋଗାଣ କମ ହୋଇଯିବାରୁ ପାଇକାରୀ ବଜାରରେ ହିଁ ଦର ବଢିଯାଇଛି। ଆମେ ଅଧିକ ଦାମରେ କିଣି ଆଣୁଥିବାରୁ ଖୁଚୁରାରେ ମଧ୍ୟ ଅଧିକ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛୁ। ସେ ଆହୁରି କହିଛନ୍ତି ଯଦି ନାସିକରୁ ଆଗାମୀ ଦିନରେ ଯୋଗାଣ ସ୍ୱାଭାବିକ ନହୁଏ, ତେବେ ପିଆଜ ଦର ୫୦ଟଙ୍କା ମଧ୍ୟ ଛୁଇଁପାରେ। ଏବେ ସ୍ଥିତି ଏମିତି ହୋଇଛି ଯେ ଲୋକେ ପିଆଜ ଦେଖି ନୁହେଁ, ଦର ଟ୍ୟାଗ ଦେଖି ବଜାରୁ ଫେରି ଯାଉଛନ୍ତି। ଅନ୍ୟପଟେ କାକଟପୁର ବଜାରକୁ ପିଆଜ କିଣିବାକୁ ଆସିଥିବା ଗ୍ରାହକ ବିପିନ ନାୟକ କହିଛନ୍ତି ଆଗରୁ ଗୋଟିଏ କିଲୋ ପିଆଜ ଆଣୁଥିଲୁ। ଏବେ ଦର ଶୁଣି ମାତ୍ର ୨୫୦ ଗ୍ରାମ ନେଇ ଘରକୁ ଫେରୁଛୁ। ପିଆଜ ବିନା ରୋଷେଇ ହୁଏ ନାହିଁ, ଆଉ ଏତେ ଦରରେ କିଣିବା ମଧ୍ୟ ସମ୍ଭବ ନୁହେଁ। ଆମେ ତ ଚାଷ କରୁନୁ। ବାହାରୁ ଆସୁଥିବା ପିଆଜ ଯେବେ ମହଙ୍ଗା ହେଉଛି ତେବେ ଆମେ କଣ କରିବା? ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଦର ନିୟନ୍ତ୍ରଣ କରନ୍ତୁ। କାକଟପୁର ଓ ଅସ୍ତରଙ୍ଗ ମୁଖ୍ୟ ବଜାର ରେ ମଧ୍ୟ ସେହି ଦୃଶ୍ୟ ଦେଖିବାକୁ ମିଳିଛି। ଗୃହିଣୀମାନେ ଦୋକାନକୁ ଆସୁଛନ୍ତି, ଦର ପଚାରୁଛନ୍ତି ଆଉ ମୁହଁ ଶୁଖାଇ ଫେରି ଯାଉଛନ୍ତି। ଅନେକ ଏବେଠୁ ରୋଷେଇରେ ପିଆଜର ବ୍ୟବହାର କମାଇ ଦେଇଛନ୍ତି। ବ୍ୟବସାୟୀମାନଙ୍କ କହିବା ଅନୁସାରେ ନାସିକରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଓଡିଶାକୁ ଆସୁଥିବା ପିଆଜର ପରିମାଣ ବହୁ ମାତ୍ରାରେ କମିଯାଇଛି। ଯୋଗାଣ ଓ ଚାହିଦା ମଧ୍ୟରେ ବ୍ୟବଧାନ ବଢିବାରୁ ଦର ଆକାଶ ଛୁଆଁ ହୋଇଛି। ଏହାକୁ ଏକ ପ୍ରକାର କୃତ୍ରିମ ଅଭାବ ବୋଲି ମଧ୍ୟ କେତେକ ମହଲରୁ ଅଭିଯୋଗ ହେଉଛି।
ସ୍ଥାନୀୟ ଲୋକେ କହିଛନ୍ତି କାଟିବା ବେଳେ ପିଆଜ ଲୁହ ଝରାଏ , ଆଉ କିଣିବା ବେଳେ ଦର ଲୁହ ଝରାଉଛି। ପିଆଜ ଦର ଏତେ ବଢିଛି ଯେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ଏହା ଏକ ବଡ ବୋଝ ପାଲଟିଛି। ତେବେ ପ୍ରଶାସନ କେବେ ଏହି ଦର ଉପରେ ଲଗାମ ଲଗାଇବ ତାହା ହେଲା ବଡ ପ୍ରଶ୍ନ। ବଜାର ରେ ଯଦି ତୁରନ୍ତ ଯୋଗାଣ ବ୍ୟବସ୍ଥା ସୁଧାର ନହୁଏ ତେବେ ଆଗାମୀ ଦିନରେ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି। ପିଆଜ ବିନା ରୋଷେଇ ଅସମ୍ଭବ, ଆଉ ଏତେ ଦର ରେ କିଣିବା ମଧ୍ୟ ଅସମ୍ଭବ – ଏହି ଦ୍ୱନ୍ଦ୍ୱ ମଧ୍ୟରେ ଫସିଛନ୍ତି ସାଧାରଣ ଲୋକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ