ନକଲି ବିହନ ଯୋଗୁ ଗଜା ନ ହେବାରୁ ଚାଷୀ ଅସନ୍ତୋଷ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ସରକାର ଚାଷୀଙ୍କ ପାଇଁ ଯୋଜନା ଆଣୁଛନ୍ତି କି ଠକେଇ କରୁଛନ୍ତି, ଚଳିତ ଖରିଫରେ ଓଡିଶା ରାଜ୍ୟ ବିହନ ନିଗମ ତରଫରୁ ବିହନ ରଥ ଯୋଜନା ମାଧ୍ୟମରେ ବଣ୍ଟନ ହୋଇଥିବା ବିହନ ପ୍ରମାଣ କରିଦେଲା ଯେ ସରକାରଙ୍କ ପ୍ରତିଶ୍ରୁତି ସବୁ କେବଳ କାଗଜ କଲମରେ ସୀମିତ। ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକର ୬୫୦ ଜଣ ଚାଷୀ ଓ କାକଟପୁରର ଚାଷୀ ଙ୍କୁ ୮୦କୁଇଣ୍ଟାଲବିହନ ପାଇଥିବା ଚାଷୀ କହିଛନ୍ତି। କାରଣ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଡିଆର ୫୩, ୧୦୬୧, କଳାଚମ୍ପା, ତ୍ରିଲୋଚନ ଓ ଆଠଶହତିନି ଜାତର ବିହନରୁ ଗୋଟିଏ ବି ଗଜା ହେଉନାହିଁ।୨୦ କିଗ୍ରା ବସ୍ତାରେ ୩କିଗ୍ରା କଣ୍ଠା ଓ ଅଗାଡି । ନିୟମ ଅନୁସାରେ ଯେତିକି ଅପମିଶ୍ରଣ ରହିବା କଥା ତା’ଠାରୁ ଦୁଇ ଗୁଣା ଅଧିକ। ଗଜା ଶକ୍ତି ମାତ୍ର ୪୦%। ଅର୍ଥାତ ସରକାର ଚାଷୀଙ୍କୁ ୬୦% ମୃତ ବିହନ ଧରାଇ ଦେଇଛନ୍ତି। ଅସ୍ତରଙ୍ଗ ଅଂଚଳର ଚାଷୀ ହଟିଆ ମଲ୍ଲ କହିଛନ୍ତି, ସରକାରୀ ବିହନ ଉପରେ ଭରସା କରି ଜମି ଚାଷ କଲୁ, ସାର ପକେଇଲୁ। ଏବେ ବିହନ ଗଜା ନହେବାରୁ ଆମ ପୁରା ଖରିଫ ଚାଷ ବରବାଦ। ପୁଣି ବଜାର ରୁ ଦୁଇ ଗୁଣା ଦାମରେ ବିହନ କିଣିବାକୁ ପଡୁଛି। ଚାଷୀ ଦୁର୍ଗା ବେହେରା କହିଛନ୍ତି, ଏହା ସହାୟତା ନୁହେଁ, ଏହା ହତ୍ୟା। ସରକାର ଆମକୁ ମାରି ଦେଲେ। ଏ ସମ୍ପର୍କରେ ପଚାରିବାରୁ ଅସ୍ତରଙ୍ଗ କୃଷି ଅଧିକାରିଣୀ ବି. ଅର୍ପିତାଙ୍କ ଉତ୍ତର ଆହୁରି ଆଶ୍ଚର୍ଯ୍ୟଜନକ। ସେ କହିଛନ୍ତି , “ଆମ ପାଖକୁ ଲିଖିତ ଅଭିଯୋଗ ଆସିନି। ଚାଷୀମାନେ ବିହନକୁ ଖରା ଦିଅନ୍ତୁ, ୧୨ ଘଣ୍ଟା ବତୁରାନ୍ତୁ। ଅର୍ଥାତ ସରକାରଙ୍କ ଦୋଷ ନୁହେଁ, ଦୋଷ ଚାଷୀର! ବିହନ ନକଲି ଦେଲେ ବି ଚାଷୀ ତାକୁ ଯୋଗ କରି ଗଜା କରନ୍ତୁ ଏହା ହିଁ ହେଲା ସରକାରୀ ଯୁକ୍ତି। ଚାଷୀ ପ୍ରସନ୍ନ ସ୍ୱାଇଁ କହିଛନ୍ତି ଆମେ କ’ଣ ଲାବୋରେଟୋରୀରେ ବିହନ ତିଆରି କରିବା ସରକାରୀ ବିହନ କହିଲେ ଆମେ ଆଖି ବୁଜି ବିଶ୍ୱାସ କଲୁ। ଏବେ ସେହି ବିଶ୍ୱାସର ଦାମ ଆମେ ଦେଉଛୁ। ଏହି ବିହନ ଯୋଗାଇଥିବା ଠିକାଦାର କାଶୀନାଥ ସାହୁ ଟେଣ୍ଡର କେଉଁ ଆଧାରରେ ପାଇଲେ, ଓଡିଶା ବିହନ ନିଗମ କ’ଣ ତାଙ୍କର ପୂର୍ବ ରେକର୍ଡ, ଗୁଣବତ୍ତା ସାର୍ଟିଫିକେଟ ଯାଞ୍ଚ କରିନଥିଲା? କେଉଁ ଅଧିକାରୀ ଏହି ନିମ୍ନ ମାନର ବିହନକୁ ଅନୁମୋଦନ ଦେଲେ? କାହା ସହ ସଲାସୁତୁରା କରି ଚାଷୀଙ୍କୁ ଏଭଳି ମୃତ ବିହନ ଯୋଗାଇ ଦିଆଗଲା, ଏହା କେବଳ ଅସ୍ତରଙ୍ଗ କି କାକଟପୁର କଥା ନୁହେଁ। ସାରା ଓଡିଶାରେ ବିହନ ରଥ ଯୋଜନା ନାଁରେ ଏଭଳି ଠକେଇ ହୋଇଥିବା ଆଶଙ୍କା ରହିଛି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରଚାର କରୁଛନ୍ତି “ଚାଷୀ ହିଁ ଭଗବାନ”। ଆଉ ଅନ୍ୟ ପଟେ ସେହି ଭଗବାନଙ୍କୁ ନକଲି ବିହନ ଦେଇ ଆତ୍ମହତ୍ୟା ପାଇଁ ବାଧ୍ୟ କରୁଛନ୍ତି।ଚାଷୀମାନଙ୍କର ଦାବି ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଟେଣ୍ଡର ପ୍ରକ୍ରିୟାର ସମସ୍ତ କାଗଜ ସାର୍ବଜନୀନ କରାଯାଉ,ଦୋଷୀ ଅଧିକାରୀ ଓ ଠିକାଦାର କାଶୀନାଥ ସାହୁଙ୍କୁ ତୁରନ୍ତ ଗିରଫ କରାଯାଉ ,କ୍ଷତିଗ୍ରସ୍ତ ୬୫୦ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯାଉ ନହେଲେ ଆଗାମୀ ଦିନରେ ଚାଷୀ ରାସ୍ତାକୁ ଓହ୍ଲାଇବେ। ଆଉ ସେଦିନ ସରକାରଙ୍କୁ ଜବାବ ଦେବାକୁ ପଡିବ – ଚାଷୀଙ୍କ ରକ୍ତ ଝାଳରେ ତିଆରି ହୋଇଥିବା ଟଙ୍କାରେ କାହିଁକି ନକଲି ବିହନ କିଣାଗଲା? କାହା ପକେଟ ଭରିବା ପାଇଁ ଚାଷୀଙ୍କ ପେଟରେ ଲାତ ମରାଗଲା? ଜିଲ୍ଲା ପ୍ରଶାସନ ଉଚ୍ଚ ପଦସ୍ତ ଅଧିକାରୀ ଜାଣୁଛନ୍ତି କି ନାହିଁ, ନା ଶୋଇପଡିଛନ୍ତି, ଏହା ସହାୟତା ନୁହେଁ, ଏହା ଷଡଯନ୍ତ୍ର। ଯେଉଁ ସରକାର ଚାଷୀଙ୍କ ନାଁରେ ଭୋଟ ମାଗେ, ସେହି ସରକାର ହିଁ ଚାଷୀଙ୍କୁ ଠକେ।


