ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବ ଯୌବନ ଦର୍ଶନ


ସନ୍ତୋଷ କୁମାର ଦାଶ

ଦେବସ୍ନାନ ପୂର୍ଣ୍ଣିମା ରେ ଦିବ୍ୟ ସ୍ନାନ କରି ମହାପ୍ରଭୂ ଶ୍ରୀଜଗନ୍ନାଥ ଜ୍ୱର ରେ ପୀଡ଼ିତ ହୋଇ ପଡ଼ିଥିଲେ। ଦଇତାପତି ଓ ପତି ମହାପାତ୍ର ସେବକ ମାନେ ତାଙ୍କୁ ଅଣସର ଗୃହକୁ ନେଇ ଗୁପ୍ତ ସେବା କରିଥିଲେ। ଅଣସର ତ୍ରୟୋଦଶୀ ତିଥି ରେ ଅସୁସ୍ଥ ମହାପ୍ରଭୁ ସୁସ୍ଥ ହୋଇଥିଲେ। ଏ ସମ୍ପର୍କରେ ଗଜପତି ମହାରାଜାଙ୍କୁ ବି ସୂଚନା ଦେଇ ସାରିଛନ୍ତି ସେବକ ବୃନ୍ଦ। ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ବି ନିବେଦନ କରିଛନ୍ତି। ତାପରେ ଶ୍ରୀମନ୍ଦିର ରେ ଘଣା ଲାଗି ନୀତି ଅନୁଷ୍ଠିତ ହୋଇଥିଲା । ଘଣା ଲାଗି ନୀତି ଅନୁଯାୟୀ, ମହାପ୍ରଭୁଙ୍କ ଠାରେ ଲାଗି ହୋଇଥିବା ପୁରୁଣା ବାସୁଙ୍ଗା ପାଟକୁ ଖୋଲାଯାଇ ମା’ ଲକ୍ଷ୍ମୀଙ୍କ ମନ୍ଦିରରେ ପାଟରା ସେବାୟତଙ୍କ ଦ୍ୱାରା ନିର୍ମାଣ ହୋଇଥିବା ନୂଆ ବାସୁଙ୍ଗା ପାଟକୁ ଲାଗି କରାଯାଇଥିଲା । ଏହାପରେ ଶ୍ରୀ ଅଙ୍ଗରେ ଶ୍ରୀ ମୁଖ ହୋତା ଲାଗି ହୋଇଥିଲା।ମହାପ୍ରଭୁ ଙ୍କ ଶ୍ରୀ ଅଙ୍ଗକୁ ବଜ୍ର କରିବା ପାଇଁ ଶୁଦ୍ଧ ସୁଆର ସେବକଙ୍କ ଘରୁ ଦିବ୍ୟ ପ୍ରଲେପ ‘ଖଳି ପ୍ରସାଦ’ ବିଜେ କରିଥିଲା। ଖଳି ପ୍ରସାଦ ଲାଗି ହେବା ପରେ ପରେ ଅସୁସ୍ଥ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଥିଲେ।ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ମହାପ୍ରଭୁଙ୍କ ଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଖଳିପ୍ରସାଦ ବିଜେ ନୀତି ସମ୍ପନ୍ନ ହେବାର ବିଧି ରହିଛି ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପ କୁ (ଖଳି) ରୁପା ପିଂଗଣ ରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିଥିଲେ । ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସଂପନ୍ନ ହୋଇଥିଲା। ଏଥି ପୂର୍ବରୁ ନୂତନ ବିଗ୍ରହଙ୍କୁ ଗୋପନ ସେବାରେ ରକ୍ତ ବସ୍ତ୍ର ଆବରଣ ଦିଆ ଯାଇଥିଲା। ଗୋପନିୟତା ରକ୍ଷା କରି ଦଇତାପତି ଅ ପତି ମହାପାତ୍ର ସେବକ ମାନେ ଏକ ସ୍ୱତନ୍ତ୍ର ଶୈଳି ଅବଲମ୍ବନରେ ଶ୍ରୀଜିଉଙ୍କୁ ରକ୍ତ ବସ୍ତ୍ର ଆବରଣ ଦେଇ ଥିଲେ। ଏହା ପରେ ନବଯୌବନ ପୂର୍ବରୁ ଶ୍ରୀବିଗ୍ରହ ମାନଙ୍କ ଶ୍ରୀଅଙ୍ଗ ରେ ଶେଷ ଦଫାରେ ଖଳି ଲାଗି (ଦିବ୍ୟ ପ୍ରଲେପ) ଦିଆ ଯାଇଥିଲା। ଏହି ଖଳିକୁ ଶୁଦ୍ଧ ସୁଆରମାନେ ନିଜ ନିଜ ବାସଭବନରେ ଶୁଦ୍ଧ ସହକାରେ ପ୍ରସ୍ତୁତ କରିଥିଲେ । ଖଳି କୁ ଶ୍ରୀ ବିଗ୍ରହଙ୍କୁ ଲାଗି ହେବା ପରେ ଗୋପନ ସେବା ସଂପନ୍ନ ହୋଇଥିଲା । ଶ୍ରୀମୁଖ ଶୃଙ୍ଗାର ସେବକ ଦତ୍ତ ମହାପାତ୍ରଙ୍କ ଘରୁ ଖଡ଼ି ପ୍ରସାଦ ମଧ୍ୟ ବିଜେ ହୋଇଥିଲା। ଏହି ପ୍ରସାଦ ଅଣସର ଘରେ ପହଞ୍ଚିବା ପରେ ଶ୍ରୀମୁଖ ହୋତା ଉପରେ ଏହି ଖଡି ପ୍ରସାଦ ଲାଗି ହେବାର ବିଧି ରହିଛି। ଏହା ପରେ ଶ୍ରୀଜୀଉ ମାନଙ୍କ ବନକ ଲାଗି ନୀତି ଦତ୍ତ ମହାପାତ୍ର ସେବକ ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଖଡ଼ି ଲାଗି ଓ ବନକ ଲାଗି ପରେ ମହାପ୍ରଭୂ ନୂଆ ପରି ଉଜ୍ଜ୍ୱଳ ଦିଶୁ ଥିବାରୁ ଏହାକୁ ନବ ଯୌବନ ଦର୍ଶନ କୁହାଯାଇଥାଏ। ନବ ଯୌବନ ଦର୍ଶନ ର ପୂର୍ବରୁ ନେତ୍ରୋତ୍ସବ ଅନୁଷ୍ଠିତ ହୋଇଥାଏ। ଏବେ ମହାପ୍ରଭୂ ନବ ଯୌବନ ରେ ଭକ୍ତ ମାନଙ୍କୁ ଆଜି ଦର୍ଶନ ଦେବେ।ଆସନ୍ତାକାଲି ରଥକୁ ଆଜ୍ଞାମାଳ ବିଜେ ପରେ ଗୁରୁବାର ଦିନ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ।

ଜୟ ଜଗନ୍ନାଥ ସ୍ଵାମୀ।

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ