ପେଟ୍ରୋଲ୍ ଓ ଡିଜେଲ୍ରେ ଇଥାନଲ୍ ମିଶ୍ରଣକୁ ବିରୋଧ କରି ପ୍ରଶାସନ ଜରିଆରେ କେନ୍ଦ୍ର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ବାଲେଶ୍ୱର (ସରୋଜ ପଣ୍ଡା): ପେଟ୍ରୋଲ୍ ଓ ଡିଜେଲ୍ ସହ ଇଥାନଲ୍ ମିଶାଇ ପେଟ୍ରୋଲ୍ ପମ୍ପ୍ମାନେ ବିକ୍ରି କରୁଥିବାରୁ ସମସ୍ତ ଇଞ୍ଜିନ୍ଚାଳିତ ଯାନବାହନ ଖରାପ ହେଉଥିବା ଓ ମାଇଲେଜ୍ କମ୍ ଦେଖାଉଥିବାର ଅଭିଯୋଗକୁ ଭିତ୍ତିକରି ବାଲେଶ୍ୱର ସିଭିଲ୍ ସୋସାଇଟି ପକ୍ଷରୁ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ବିଭାଗର କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଜିଲ୍ଲା ପ୍ରଶାସନ ଜରିଆରେ ସୋମବାରଦିନ ଏକ ଦାବିପତ୍ର ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଏହି ଦାବିପତ୍ର ଗ୍ରହଣ କରିଥିଲେ। ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ଇଜିଲାସ୍ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି େଜେନେରାଲ୍ ପେଟ୍ରୋଲ୍ ଓ ଡିଜେଲ୍ ସହ ଇଥାନଲ୍ ମିଶ୍ରଣକୁ ପରୀକ୍ଷାମୂଳକ ସ୍ଥିତିରେ ଥିବାର ଜଣାଇଛନ୍ତି। ତେବେ ଏହି ଅପମିଶ୍ରଣ ପେଟ୍ରୋଲ୍ ଓ ଡିଜେଲ୍କୁ କିପରି ଦେଶର ସମସ୍ତ ପେଟ୍ରୋଲ୍ ପମ୍ପ୍ରେ ବିକ୍ରି କରାଯାଉଛି ବୋଲି ସିଭିଲ୍ ସୋସାଇଟି ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ପ୍ରଶ୍ନ କରାଯାଇଛି। ଏହି ପରୀକ୍ଷାମୂଳକ ପ୍ରକ୍ରିୟାରେ ଯାନବାହନ ଚଳାଉଥିବା ନାଗରିକମାନେ ବ୍ୟାପକଭାବେ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ତୁରନ୍ତ ପେଟ୍ରୋଲ୍ ଓ ଡିଜେଲ୍ ସହ ଇଥାନଲ୍ ମିଶ୍ରଣ ବନ୍ଦ କରିବାକୁ ସିଭିଲ୍ ସୋସାଇଟି ପକ୍ଷରୁ ଦାବି କରାଯାଇଛି। ସିଭିଲ୍ ସୋସାଇଟି ପକ୍ଷରୁ ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସଂପାଦକ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଅରୁଣ ଜେନା, ଶ୍ୟାମସୁନ୍ଦର ଜେନା, ଚିତ୍ତରଂଜନ ଷଡ଼ଙ୍ଗୀ ଓ ମଳୟ ରାୟ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଖୁଣ୍ଟିଆଙ୍କୁ ଦାବିପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ। ଲଗାଣବର୍ଷା କାରଣରୁ ସୋମବାର ଅପରାହ୍ନ ୫ଟାରେ ପ୍ରସ୍ତାବିତ ପ୍ରତିବାଦ ସଭାକୁ ସ୍ଥଗିତ ରଖାଗଲା ବୋଲ ିସୋସାଇଟି ପକ୍ଷରୁ ସୂଚନା ଦିଆଯାଇଛି।


