ରଥର ଉପରେ ଜଗା….


ହେମନ୍ତ କୁମାର ଗନ୍ତାୟତ

ରଥର ଉପରେ ଜଗା ତୁ ଥିବୁରେ
ପଥରେ ମୁଁ ଚାହୁଁଥିବି
ରଙ୍ଗ ଅଧରରେ ହସୁଣ ଥିବୁରେ
ତୋ’ ମୁଖ ମୁଁ ଦେଖୁଥିବି
ରଥର ଉପରେ ଜଗା ତୁ ଥିବୁରେ
ପଥରେ ମୁଁ ଚାହୁଁଥିବି ….
ପଣ୍ଡା ପଢିଆରି ଦଇତା ତୋହରି
ବୋଲୁଥିବେ ହରିବୋଲ
ବେତକୁ ହଲାଇ ଡାକ ଛାଡୁଥିବ
ଡାହୁକ ନ ମାନି ବୋଲ
ରଥର ଉପରେ ଜଗା ତୁ ଥିବୁରେ
ପଥରେ ମୁଁ ଚାହୁଁଥିବି ….
ଘଣ୍ଟୁଆରୀ ଘଣ୍ଟା ହଲାଇଣ ଅଣ୍ଟା
ଘଣ୍ଟକୁ ବଜାଉ ଥିବେ
ଭେରୀ ପେଁକାଳି ମର୍ଦ୍ଦଳ କାହାଳୀ
ଜୟ ଧ୍ୱନି କରୁଥିବେ
ରଥର ଉପରେ ଜଗା ତୁ ଥିବୁରେ
ପଥରେ ମୁଁ ଚାହୁଁଥିବି ….
ଦାଣ୍ଡର ମଝିରେ ଆନନ୍ଦ ମତିରେ
ଦେଖାଇ ବିବିଧ ଠାଣି
ଗୋଟିପୁଅ ନୃତ୍ୟ କରୁଥିବେ କେତେ
ମନକୁ ନେବେ ସେ କିଣି
ରଥର ଉପରେ ଜଗା ତୁ ଥିବୁରେ
ପଥରେ ମୁଁ ଚାହୁଁଥିବି ….
ରଥ ଦଉଡ଼ିକୁ ମଥାରେ ଲଗାଇ
ଭିଡୁଥିବି ତୋର ଘୋଷ
ଗହ ଗହ ନାଦେ ରଥ ଗଡୁଥିବ
ଏହି ମୋର ଏକ ଆଶ
ରଥର ଉପରେ ଜଗା ତୁ ଥିବୁରେ
ପଥରେ ମୁଁ ଚାହୁଁଥିବି ….
ଏ ସପନ ମୋର ହେବ କି ସାକାର
ଏକଥା ମନେ ଭାବୁଛି
ଏତିକି କରୁଣା କରିଦେ କାଳିଆ
ହେମନ୍ତ ଅଳି କରୁଛି
ରଥର ଉପରେ ଜଗା ତୁ ଥିବୁରେ
ପଥରେ ମୁଁ ଚାହୁଁଥିବି ….

ଦର୍ଶନ ଅଧ୍ୟାପକ
ଆସିକା, ଗଞ୍ଜାମ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ