ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ଗଠନ ବେଳେ ଉତେଜନା

ନାଉଗାଁ , (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଳଦାରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ବିଦ୍ୟାଳୟ ପରିଚାଳନା କମିଟି ଗଠନ କରାଯାଉଥିଲା । ଗଠନ ସମୟରେ ବିଳମ୍ବରେ ଜଣେ ଅଭିଭାବକ ବିଦ୍ୟାଳୟକୁ ଆସିବାରୁ ତାଙ୍କୁ ବୈଠକ ସ୍ଥାନକୁ ପ୍ରବେଶ କରାଇ ଦିଆ ଯାଇନଥିଲା । ଫଳରେ ଉପସ୍ଥିତ ୨ ଗୋଷ୍ଠୀଙ୍କ ମଧ୍ୟରେ ସାମାନ୍ୟ ପାଟି ତୁଣ୍ଡ ହେବା ଯୋଗୁ ବିଦ୍ୟାଳୟରେ ଉତେଜନା ଦେଖାଦେଇଥିଲା । ଘଟଣାସୁଳରେ ଥାନାଧିକାରୀ ପହଂଚି ଘଟଣାର ସମାଧାନ କରିଥିଲେ । ହେଲେ ଗୋଟିଏ ଗୋଷ୍ଠୀ ବୈଠକ ଛାଡି ପଳାଇଥିଲେ । ପରେ ଉପସ୍ଥିତ ଅଭିଭାବକମାନେ କମିଟିର ସଦସ୍ୟମାନଙ୍କୁ ଚୟନ କରିଥିଲେ।ସିଆରସିସି ସୁକାନ୍ତ ଝଙ୍କାରଙ୍କ ସୂଚନା ମୁତାବକ ଉକ୍ତ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପାଇଁ ପ୍ରାଧନ ଶିକ୍ଷକ ସୀତାକାନ୍ତ ଆଚାର୍ଯ୍ୟ ନିର୍ଦ୍ଧାରିତ ସମୟରେ ନୋଟିସ ପ୍ରଦାନ କରିଥିଲେ । ନୋଟିସ ମୁତାବକ ଜୁଲାଇ ୧୫ ତାରିଖ ୨ ପଟିକା ସମୟରେ ସମସ୍ତ ଅଭିଭାବକ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟରେ ଅଭିଭାବକଙ୍କ ସଂଖ୍ୟା ୫୦ ରହିଥିବା ବେଳେ କମିଟି ଗଠନ ପାଇଁ ୪୩ଜଣ ଅଭିଭାବକ ଉପସ୍ଥିତ ଥିଲେ । ୪୩ ଜଣଙ୍କ ମଧ୍ୟରୁ ୨୪ ଜଣ ଗୋଟିଏ ଗୋଷ୍ଠୀରେ ରହିଥିବା ବେଳେ ଅନ୍ୟ ଗୋଷ୍ଠୀରେ ୧୯ ଜଣ ଅଭିଭାବକ ରହିଥିଲେ । କିନ୍ତୁ ଜଣେ ଅଭିଭାବକ ଧାର୍ଯ୍ୟ ସମୟ ପରେ ପହଂଚିବା ସମୟରେ ବିଦ୍ୟାଳୟର ମୁଖ୍ୟ ଫାଟକ ବନ୍ଦ ରହିଥିଲା । ୧୯ ଜଣ ଅଭିଭାବକ ଥିବା ଗୋଷ୍ଠି ପଛରେ ଆସିଥିବା ଅଭିଭାବକଙ୍କୁ ବିଦ୍ୟାଳୟକୁ ଆସିବାକୁ ଅନୁମତି ଦେବା ପାଇଁ କହିଥିଲେ । ଏହି ସମୟରେ ଅନ୍ୟ ଗୋଷ୍ଠୀ ଏହାକୁ ବିରୋଧ କରିବା ସହିତ ବିଳମ୍ବରେ ଆସିଥିବା ଅଭିଭାବକ ଯଦି ବୈଠକରେ ଯୋଗ ଦିଅନ୍ତି ତେବେ ଆମେ ଅନ୍ୟ ଅଭିଭାବକକୁ ଆଣି ବୈଠକରେ ବସାଇବୁ ବୋଲି କହିଥିଲେ । ଯାହାଫଳରେ ଉଭୟ ଗୋଷ୍ଠିଙ୍କ ମଧ୍ୟରେ ସାମାନ୍ୟ ବଚସା ହେବା ସହ ଉତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ ଥାନାଧିକାରୀ ଦେବାଶୀଷ ପଣ୍ଡା ପହଂଚି ଘଟଣାର ସମାଧାନ କରିଥିଲେ । ହେଲେ ଗୋଟିଏ ଗୋଷ୍ଠୀ ବୈଠକରୁ ବାହାରି ପଳାଇଯାଇଥିଲେ । କିନ୍ତୁ ବିଦ୍ୟାଳୟରେ ରହିଥିବା ଅଭିଭାବକ ମଧ୍ୟରୁ ବୈଠକରେ ଉପସ୍ଥିତ ଅଭିଭାବକ ଅଧାରୁ ଅଧିକ ରହିଥିବାରୁ କୋରମ ବଳବତର ରହିଥିଲା । କୋରମ ଯୋଗୁ ବୈଠକରେ ପରିଚାଳନା କମିଟିର ୧୧ ଜଣ ସଦସ୍ୟଙ୍କୁ ଚୟନ କରାଯାଇଥିଲା । ପରବର୍ତୀ ବୈଠକରେ ସଭାପତି ଓ ଉପସଭାପତି ଚୟନ କରାଯିବାର ସ୍ଥିର କରାଯାଇଥିବା ସିଆରସିସି ଝଙ୍କାର ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ