ଖଲିଆ ବନ୍ଧର ଜଳ ନିଷ୍କାସନ ସମସ୍ୟାର ତଦାରଖ କଲେ ଜିଲ୍ଲାପାଳ

କନ୍ଧମାଳ, ଫୁଲବାଣୀ: ଫୁଲବାଣୀ ସହରର ଖଲିଆ ବନ୍ଧ ଅଞ୍ଚଳରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଜଳ ନିଷ୍କାସନ ସମସ୍ୟାର ତଦାରଖ କରିଛନ୍ତି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ। ଖଲିଆ ବନ୍ଧର ଜଳ ରାସ୍ତା ଉପରେ ଓଭରଫ୍ଲୋ ହେଉଥିବାରୁ ସାଧାରଣ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଛି। ସେହିପରି ମାଷ୍ଟରପଡ଼ା ନୂଆସାହିର ଡ୍ରେନ ସମ୍ପୂର୍ଣ୍ଣ ପୋତି ହୋଇଯାଇଥିବାରୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ଘରେ ଘରେ ପାଣି ପଶୁଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଗତ ପ୍ରାୟ ୨୦ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ସ୍ଥାନୀୟ ବୁଦ୍ଧିଜୀବୀ ଓ ବାସିନ୍ଦାମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସମ୍ପୃକ୍ତ ବିଭାଗମାନେ ପରସ୍ପର ଉପରେ ଦାୟିତ୍ୱ ଠେଲି ସମସ୍ୟାର ସମାଧାନ କରିନଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ନିଜେ ଘଟଣାସ୍ଥଳ ପରିଦର୍ଶନ କରି ଡ୍ରେନେଜ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସେ ଫୁଲବାଣୀ ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସମରେଶ ମହାନ୍ତିଙ୍କୁ ମାଟି ତଳେ ପୋତି ହୋଇଥିବା ପୁରୁଣା ଡ୍ରେନକୁ ଖୋଳି ଜଳ ନିଷ୍କାସନ ପାଇଁ ଏହାକୁ ଫିସେରୀ ବିଭାଗର ମୁଖ୍ୟ ଡ୍ରେନ ସହ ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରିଦର୍ଶନ ସମୟରେ ରାଜେନ୍ଦ୍ର ପଟ୍ଟନାୟକ ଓ ସ୍ଥାନୀୟ ବାସିନ୍ଦାମାନେ କହିଥିଲେ ଯେ, ଫିସେରୀ ବିଭାଗ ପକ୍ଷରୁ ବାଉଣ୍ଡାରି ନିର୍ମାଣ ବେଳେ ପୁରୁଣା ଡ୍ରେନ ପୋତି ହୋଇଯାଇଥିବାରୁ ବର୍ଷା ଜଳର ସ୍ୱାଭାବିକ ନିଷ୍କାସନ ବନ୍ଦ ହୋଇଯାଇଛି। ସମାଜସେବୀ ଅଶୋକ କୁମାର ପରିଡା କହିଛନ୍ତି ଯେ, ଏହି ଜଳ ନିଷ୍କାସନ ଯୋଜନା ପାଇଁ ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ପାଣ୍ଠି ମଧ୍ୟ ବ୍ୟୟ ହୋଇଥିଲା।
ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଖଲିଆ ବନ୍ଧର ଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ରାଧାକୃଷ୍ଣ ମନ୍ଦିର ସାହି, ମାଷ୍ଟରପଡ଼ା ଓ ଆଖପାଖ ଅଞ୍ଚଳର ବାସିନ୍ଦାମାନେ ଆଶା ପ୍ରକାଶ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ