୨୦୨୩ରୁ ନିଖୋଜ ଅଢେଇ ବର୍ଷର ଶିଶୁକନ୍ୟାର ମିଳିନି ପତ୍ତା, ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ, (ଓ୍ବାଇଏନଏସ): ଅଢେଇ ବର୍ଷର ଶିଶୁକନ୍ୟା ନିଖୋଜ ହେବାର ତିନ ବର୍ଷ ବିତି ଗଲାଣି, କିନ୍ତୁ ଏ ପର୍ଯ୍ୟନ୍ତ ଉଦ୍ଧାର ହୋଇପାରିନାହିଁ । ଏହି ପ୍ରସଙ୍ଗକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ଓଡି଼ଶା ହାଇକୋର୍ଟ । ଏହି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ପୁଣି ସମୟ ନେଇଛନ୍ତି । ତେଵେ ୧୦ ଦିନ ଭିତରେ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳର ରାସ୍ତାକଡ଼ରୁ ତିନି ବର୍ଷ ତଳେ ଅପହୃତ ଅଢେଇ ବର୍ଷ ବୟସର ଶିଶୁକନ୍ୟା ଏ ପର୍ଯ୍ୟନ୍ତ ଉଦ୍ଧାର ହୋଇନାହିଁ । ଅନ୍ୟପକ୍ଷରେ ଶୁଶୁକନ୍ୟା ଉଦ୍ଧାର ପ୍ରସଙ୍ଗକୁ ନେଇ ୨୦୨୩ରୁ ହାଇକୋର୍ଟରେ ବିଚାରାଧୀନ ହେବିୟସ କର୍ପସ ପିଟିସନରେ ମେ’ ୪ର ନିର୍ଦ୍ଦେଶ ପାଳନ କରି ସତ୍ୟପାଠ ଦାଖଲ କରିବାକୁ ସରକାରଙ୍କ ତରଫରୁ ପୁଣିଥରେ ସମୟ ଲୋଡ଼ାଯାଇଛି । ଏହି ମମଲାର ଶୁଣାଣି କରି ହାଇକୋର୍ଟ, ୧୦ ଦିନ ଭିତରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶିଶୁର ବାପାଙ୍କ ତରଫରୁ ଦାୟର ହେବିୟସ କର୍ପସ ପିଟିସନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ମେ’ ୪ରେ ମାମଲାର ଶୁଣାଣି ବେଳେ ଏ ପର୍ଯ୍ୟନ୍ତ ଶିଶୁ କନ୍ୟା ଉଦ୍ଧାର ହୋଇ ନଥିବା ଘଟଣାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ । ନାବାଳିକା ଉଦ୍ଧାର ପ୍ରସଙ୍ଗରେ ଉଚ୍ଚପଦସ୍ଥ ଅଧିକାରୀ ବ୍ୟକ୍ତିଗତ ଯତ୍ନ ନେବେ ବୋଲି ହାଇକୋର୍ଟ ଆଶା ପ୍ରକାଶ କରିବା ସହିତ ଅଗ୍ରଗତି ସଂପର୍କିତ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜୁନ ୨୨ରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ ପାଇଁ ପୁନର୍ବାର ଅଧିକ ସମୟ ଲୋଡ଼ିଥିଲେ । ଜନୈକା ମହିଳା ତାଙ୍କର ଦୁଇ ଝିଅଙ୍କ ସହ ପୁରୀର ଏକ ହୋଟେଲ ନିକଟରେ ରାସ୍ତାକଡ଼ରେ ପଇଡ ବିକ୍ରି କରୁଥିବା ବେଳେ ଜଣେ ମହିଳା ଓ ପୁରୁଷ ଏକ କାରରେ ଆସିଥିଲେ । ସେହି ସମୟରେ ମହିଳାଙ୍କ ବଡ଼ ଝିଅ ସେହି ମହିଳା ଓ ପୁରୁଷଙ୍କୁ ପଇଡ଼ ଦେଇଥିଲେ । କିଛି ସମୟ ଭିତରେ ଅଢେଇ ବର୍ଷର ଶିଶୁ କନ୍ୟାଟି କାର ନିକଟକୁ ଯାଇଥିବା ବେଳେ ପଛରେ ବସିଥିବା ମହିଳା ଜଣଙ୍କ ସେହି ଶିଶୁ କନ୍ୟାଟିକୁ ଉଠାଇ ନେଇଥିଲେ । ପରେ ଶିଶୁ କନ୍ୟାକୁ ନପାଇ ପରିବାର ପକ୍ଷରୁ ବଳିଆପଣ୍ଡା ଥାନାରେ ଏତଲା ଦିଆଯାଇଥିଲା । ଏହା ଭିତରେ ଦୀର୍ଘ ୩ ବର୍ଷ ସମୟ ବିତି ଯାଇଥିଲେ ମଧ୍ୟ ପୋଲିସ ଶିଶୁକନ୍ୟାକୁ ଉଦ୍ଧାର କରିପାରିନାହିଁ। ଶିଶୁକନ୍ୟାର ଉଦ୍ଧାର ପ୍ରସଙ୍ଗକୁ ନେଇ ପରିବାର ତରଫରୁ ୨୦୨୩, ଡିସେମ୍ବର ୧୫ରେ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା । ୩ ବର୍ଷ ହେବ ଏହି ମାମଲାରେ ସଠିକ ପଦକ୍ଷେପ ଗ୍ରହଣ କରାଯାଇନଥିବା ଆବେଦନକାରୀ କୋର୍ଟଙ୍କୁ ଜଣାଇଛନ୍ତି ।


