ଓରାଳି ହାଇସ୍କୁଲରେ ଯୁକ୍ତ ଦୁଇ ଖୋଲିବାକୁ ମିଳିଲା ଅନୁମତି
ହାଟଡିହି (ଓ୍ବାଇଏନଏସ): ଓରାଳି ଗୋପାଳ ଚନ୍ଦ୍ର ବାଳିକା ଉଚ୍ଚ ବିଦ୍ୟାଳୟରେ ଆଗାମୀ ଶିକ୍ଷା ବର୍ଷ ଠାରୁ ଯୁକ୍ତ-୨ କଳା ଖୋଲିବାକୁ ଅନୁମତି ମିଳିଛି। ଯାହାକୁ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାଇ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ପ୍ରକଳ୍ପ ଅନୁମୋଦନ ବୋର୍ଡ (PAB)-୨୦୨୬-୨୭, ଜିଲ୍ଲାସ୍ତରୀୟ ପ୍ରସ୍ତାବ ଏବଂ ଜିଲ୍ଲାପାଳ-ତଥା-ଅଧ୍ୟକ୍ଷ ସମଗ୍ର ଶିକ୍ଷାଙ୍କ ସୁପାରିଶ କ୍ରମେ ୭୧ଟି ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରିବାକୁ ଅନୁମୋଦନ ପ୍ରଦାନ କରିଛନ୍ତି. । ଏଥିପାଇଁ ସରକାର ଅନୁଦାନ ମଧ୍ୟ ଯୋଗାଇ ଦେଇଛନ୍ତି। ବିଶେଷକରି ଓରାଳିର ଆଖପାଖ ଅଞ୍ଚଳରେ ଯୁକ୍ତ -୨ ଶିକ୍ଷା ଲାଭ ପାଇଁ କୌଣସି ବିଦ୍ୟାଳୟ ନଥିବାରୁ ସେ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ୧୦ରୁ ୧୫ କିଲୋମିଟର ଦୂର ଶିକ୍ଷାନୁଷ୍ଠାନ କୁ ଶିକ୍ଷା ଲାଭ ପାଇଁ ଯାଉ ଥିଲେ। ଏପରିକି ଅନେକ ଛାତ୍ରଛାତ୍ରୀ ମାଟ୍ରିକ ପରେ ଦୁରକୁ ଯିବାକୁ ରାଜି ନହୋଇ ପାଠ ଛାଡି ଦେଉଥିଲେ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷଙ୍କ ଚିଠି ନଂ ୭୭୩୩ ତା ୨୧/୦୭/୨୦୨୬ ଅନୁଯାଇ ଏହି ନିର୍ଦେଶ ମିଳିବା ପରେ ଓରାଳି ଅଞ୍ଚଳର ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଓରାଳି ଭଳି ଏକ ସୀମାନ୍ତ ଅଞ୍ଚଳରେ ଯୁକ୍ତ ଦୁଇ ଖୋଲିବାକୁ ପଦକ୍ଷେପ ନେଇଥିବାରୁ ଅଞ୍ଚଳବାସୀ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।


