ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
କଟକ, (ଓ୍ବାଇଏନଏସ): ଚଳିତବର୍ଷ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବା ନିମନ୍ତେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଫଳତାର ସହ ଏହି ଜାତୀୟ ଦିବସ ପାଳନ କରିବା ନିମନ୍ତେ ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀମାନେ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ଏଥି ସହ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯିବ, ପୁସ୍ତକ ବଣ୍ଟନ,ରକ୍ତଦାନ ଶିବିର ଏବଂ ସମସ୍ତ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଆଦି କରାଯିବା ସଂପର୍କରେ ମଧ୍ୟ ଜିଲ୍ଲାପାଳ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚଳିତ ବର୍ଷ ସ୍ୱାଧୀନତା ଦିବସ କଟକ ବାରବାଟୀ ଷ୍ଟାଡିୟମ ପଡିଆରେ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅଭ୍ୟାସ ପରେଡ ସହ ୧୫ ତାରିଖରେ ସ୍ୱାଧୀନତା ଦିବସ ପରେଡ ବାରବାଟୀ ଷ୍ଟାଡିଅମରେ ଅନୁଷ୍ଠିତ ହେବ । ସକାଳ ୯ ଘଟିକା ସମୟରେ ମୁଖ୍ୟଅତିଥି ବାରବାଟୀ ଷ୍ଟାଡିୟମ ପଡିଆରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଅଭିବାଦନ ଗ୍ରହଣ କରିବେ ଏବଂ ଉପସ୍ଥିତ ଜନତାଙ୍କୁ ସମ୍ବନ୍ଧିତ କରିବେ । ଏହି ଅବସରରେ ବିଭିନ୍ନ ସରକାରୀ/ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ ଓ ସହରର ବିଭିନ୍ନ ପୂଜା ମଣ୍ଡପ ମାନଙ୍କରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯିବ । ପ୍ରତ୍ୟୁଷ ୪ଟା ୩୦ ମିନିଟ୍ ସମୟରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ସହରରେ ରାମଧୂନ୍ ପରିବେଷଣ କରାଯିବ । ଚଳିତ ବର୍ଷ ଓଏସଏପି, ସଶସ୍ତ୍ର ବାହିନୀ, ପୋଲିସ୍ ବ୍ୟାଣ୍ଡ, ହୋମଗାର୍ଡ ଦଳଙ୍କ ଦ୍ୱାରା ରାଷ୍ଟ୍ରୀୟ ସଲାମୀ ଓ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ପ୍ରଦାନ କରାଯିବ । ବିଭିନ୍ନ ଶିକ୍ଷାନୁଷ୍ଠାନର ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ୍, ଗାଇଡ ଓ ସିଭିଲିଆନ ଦଳ ସମ୍ମିଳିତ ପରେଡରେ ଭାଗ ନେବେ । ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ୱାରା କନିଷ୍ଠ ଓ ବରିଷ୍ଠ ବିଭାଗରେ ଓଡ଼ିଆ ପ୍ରବନ୍ଧ, ବତ୍କୃତା ଓ ଦେଶାତ୍ମବୋଧକ ସଂଗୀତ ଗାନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ପ୍ରଦର୍ଶନ କରିଥିବା ତଥା ଜାତୀୟସ୍ତରରେ ପୁରସ୍କୃତ ହୋଇଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଗୁଡ଼ିକୁ ଏକ ସ୍ଵତନ୍ତ୍ର କମିଟି ମାଧ୍ୟମରେ ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯିବାକୁ ସ୍ଥିର କରାଯାଇଛି । ଆଲୋଚନା ପୂର୍ବକ ଏହି ପ୍ରସ୍ତୁତି ବୈଠକରେ ସହରର ସମସ୍ତ ବରପୁତ୍ର ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ନୂତନ ଭାବେ ପ୍ରତିଷ୍ଠା କରାଯାଇଥିବା ପ୍ରତିମୂର୍ତ୍ତି ମାନଙ୍କରେ ମଧ୍ୟ ମାଲ୍ୟାର୍ପଣ କରାଯିବ । ଉକ୍ତ ସ୍ଥାନ ମାନଙ୍କରେ ସଫେଇ ନିମନ୍ତେ କଟକ ମହାନଗର ନିଗମକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଓ ଚିକିତ୍ସା କାର୍ଯ୍ୟାଳୟ ଏବଂ କଟକ ମହାନଗର ନିଗମଙ୍କ ସହଭାଗିତାରେ ସ୍ଥାନୀୟ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମଠାରେ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଛି । ଜିଲ୍ଲାର ମୁଖ୍ୟ ପ୍ରବେଶ ପଥ ଓ ଐତିହାସିକ ପୀଠ ତଥା ସରକାରୀ କାର୍ଯ୍ୟାଳୟଗୁଡିକୁ ମଧ୍ୟ ଆଲୋକ ସଜ୍ଜିକରଣ କରାଯିବାକୁ କଟକ ମହାନଗର ନିଗମକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ୍ ଦାସ, ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଅତିରିକ୍ତ ପୋଲିସ ଉପ ଆୟୁକ୍ତ, ଶ୍ରୀ ରଞ୍ଜିତ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନ ସମାରୋହକୁ ସଫଳ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀମତୀ ସ୍ୱାଗତିକା ବେହେରା ଚଳିତ ବର୍ଷ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଆୟୋଜନ ସଂପର୍କରେ କାର୍ଯ୍ୟସୂଚୀ ପୂର୍ବକ ବିବରଣୀ ପାଠ କରିବା ସହ ବୈଠକ ପରିଚାଳନା କରିଥିଲେ । ବୈଠକରେ ପୂର୍ତ୍ତ, ୱାଟକୋ, ସ୍ୱାସ୍ଥ୍ୟ ,ମହା ନଗର ନିଗମ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।


