ଅବସର ପରେ ଶିକ୍ଷକ ଶୂନ୍ୟ ହେବାରେ ଲାଗିଛି ଆସିକାର ବହୁ ମାଧ୍ୟମିକ ବିଦ୍ୟାଳୟ
ଆସିକା (ୱାଇଏନ୍ଏସ୍): ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଅଞ୍ଚଳରେ ଥିବା ୩୩ଟି ମାଧ୍ୟମିକ ବିଦ୍ୟାଳୟ ମଧ୍ୟରୁ ଅଧିକାଂଶ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ନୂତନ ଅନୁଦାନପ୍ରାପ୍ତ ହାଇସ୍କୁଲରେ ଦୀର୍ଘ ଦିନ ହେଲା ବହୁ ଶିକ୍ଷକ ପଦବୀ ଖାଲି ପଡିଥିଲେ ମଧ୍ୟ ସେଗୁଡିକୁ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳରେ ଥିବା ୩୩ଟି ହାଇସ୍କୁଲ ମଧ୍ୟରୁ ୧୬ଟି ସରକାରୀ ହାଇସ୍କୁଲ ଥିଲା ବେଳେ ୬ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ୧୧ଟି ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ରହିଥିବା ଜଣାପଡିଛି । ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ବିିଗତ କିଛି ଦିନ ମଧ୍ୟରେ ବହୁ ଶିକ୍ଷକ ଅବସର ଗ୍ରହଣ କରିସାରିଥିଲା ବେଳେ ସେମାନଙ୍କ ସ୍ଥାନରେ ନୂତନ ନିଯୁକ୍ତି ପ୍ରକ୍ରିୟା ଏକ ପ୍ରକାର ବନ୍ଦ ହୋଇପଡିଥିବା ଯୋଗୁଁ ବିଦ୍ୟାର୍ଥୀମାନଙ୍କ ପାଠପଢା ବିଶେଷ ଭାବେ ପ୍ରଭାବିତ ହେଉଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେ.ରାଇସିଂପୁର, ସିଦ୍ଧନଇ, ଗହଙ୍ଗୁ, ମଣ୍ଟାପଡା, ନଳବଣ୍ଟା, ବେଣାପାଟ, ଭେଟନଇ, କାଳଷଣ୍ଢପୁର, ବାବନପୁର ଗ୍ରାମ ସମେତ ଅନ୍ୟ କେତେକ ଅଞ୍ଚଳରେ ଥିବା ବହୁ ମାଧ୍ୟମିକ ବିଦ୍ୟାଳୟରେ କେତେକ ଶିକ୍ଷକ ବିଗତ କିଛି ମାସ ମଧ୍ୟରେ ଅବସର ଗ୍ରହଣ କରିସାରିଥିଲା ବେଳେ ନୂତନ ନିଯୁକ୍ତି ହୋଇପାରିନଥିବା ଜଣାପଡିଛି । ଆସିକା ଅଞ୍ଚଳରେ ନୂତନ ଅନୁଦାନପ୍ରାପ୍ତ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ଅବସର ପରେ ସ୍ଥାୟୀ ନିଯୁକ୍ତି ନହେବା ଏବଂ ୨୦୨୬-୨୭ ଶିକ୍ଷାବର୍ଷ ଆରମ୍ଭର ୪ ମାସ ପରେ ବି ଅତିଥି ଶିକ୍ଷକ ନିଯୁକ୍ତିରେ ଅହେତୁକ ବିଳମ୍ବ ଯୋଗୁଁ ପାଠପଢା ବିଶେଷ ଭାବେ ପ୍ରଭାବିତ ହେଉଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ଆସିକା ଅଞ୍ଚଳର ଅନେକ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଆବଶ୍ୟକତା ଠାରୁ କମ୍ ଶିକ୍ଷକରେ ପରିଚାଳିତ ହେଉଛି । ବିଗତ କିଛି ବର୍ଷ ହେଲା ସରକାର ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଅତିଥିି ଶିକ୍ଷକ ନିଯୁକ୍ତି ଦେଇ ପାଠପଢା ଚଳାଉଥିଲେ । ତେବେ ଚଳିତବର୍ଷ ଅତିଥି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ପିଲାଙ୍କ ପାଠପଢାରେ ନାନା ସମସ୍ୟା ସୃଷ୍ଟି ହେଉଛି । ଆସିକା ଅଞ୍ଚଳରେ ଥିବା ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ଖାଲି ପଡିଥିବା ସ୍ଥାୟୀ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା ପ୍ରଦାନ କରିବା ପର୍ଯ୍ୟନ୍ତ ଯଥାଶୀଘ୍ର ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୂର୍ବପରି ଅତିଥି ଶିକ୍ଷକ ରୂପେ ନିଯୁକ୍ତି କରି ବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ବଜାୟ ରଖିବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି ।


