ବନ୍ୟା ପାଣିରେ ନଷ୍ଟ ହେଲା ଶହ ଶହ ହେକ୍ଟର ପନିପରିବା ଚାଷ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଏକର ଏକର ପନିପରିବା ଫସଲ ଦେବୀ ନଦୀର ବନ୍ୟାରେ ଭାସିଗଲା। ଗୋଟିଏ ରାତିରେ ଚାଷୀଙ୍କ ମାସ ମାସର ପରିଶ୍ରମ ପାଣିରେ ଧୋଇ ହୋଇଗଲା। ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଏହାର ଶାଖା ନଦୀ ଦେବୀ ମଧ୍ୟ ଫୁଲି ଉଠିଛି। ପୁରୀ ଜିଲ୍ଲା କାକଟପୁର ବାଉରିଆକଣ ଠାରେ ଦେବୀ ନଦୀର ବିପଦ ସଂକେତ ହେଉଛି ୪. ୯୩ ମିଟର। ବର୍ତମାନ ସକାଳୁପାଣି ବଢିଥିବା ବେଳେ ସେଠାରେ ୫. ୨୫ମିଟର ଦେଇ ଜଳ ପ୍ରବାହିତ ହେଉଥିଲେ ମଧ୍ୟ ରାତିରେ ଜଳସ୍ତର ଅତ୍ୟନ୍ତ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ନଦୀରେ ବଡ ବଡ ଭଉଁରୀ ସୃଷ୍ଟି ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାର ପ୍ରଭାବ ସିଧା ପଡିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ତଳିଆ ଅଞ୍ଚଳ ଉପରେ। ଦେବୀ ନଦୀ ତଟବର୍ତ୍ତୀ ଖଣ୍ଡାସାହି, ଓସ୍ତପୁର, ଓସିଆ ଅଞ୍ଚଳର ପନିପରିବା ଚାଷ ଜମିରେ ବନ୍ୟା ପାଣି ପଶିଯାଇଛି। ରାତାରାତି ଶହ ଶହ ହେକ୍ଟର ଜମି ଜଳମଗ୍ନ ହୋଇଯାଇଛି। ସବୁଠୁ ବଡ କ୍ଷତି ହୋଇଛି ଚାଷୀ ମାନଙ୍କର। ଭେଣ୍ଡି, ବାଇଗଣ, ପୋଟଳ, କଲରା, କଞ୍ଚାଲଙ୍କା ସମେତ ଚାଷୀ ଯେଉଁ ଫସଲ କୁ ବର୍ଷ ତମାମ୍ମ ଯତ୍ନ କରି ଫଳାଇଥିଲେ, ତାହାକୁ ଗୋଟିଏ ରାତିରେ ବନ୍ୟା ପାଣି ଧୋଇ ନେଇଯାଇଛି। କେଉଁଠି ପୋଟଳ ଗଛ ଭାସୁଛି ତ କେଉଁଠି ବାଇଗଣ ଗଛ ପାଣିରେ ବୁଡି ଯାଇଛି। ଆସନ୍ତା ଦିନରେ ପରିବାର ଚଳାଇବା ସେମାନଙ୍କ ପାଇଁ ବଡ ସମସ୍ୟା ହୋଇପଡିଛି। ଋଣ କରି ସାର ଔଷଧ ଆଣି ଚାଷ କରିଥିବା ଚାଷୀ ଏବେ ଅସହାୟ ଅବସ୍ଥାରେ ଅଛନ୍ତି। ତାଙ୍କ ମୁହଁରେ ନିରାଶା ସହ ଆଖିରେ ଲୁହ। ଖଣ୍ଡାସାହି ର ଚାଷୀ ରମେଶ ସାହୁ କହିଛନ୍ତି ବ୍ୟାଙ୍କ ରୁ ଋଣ ଆଣି ପୋଟଳ ଚାଷ କରିଥିଲି। ମାସେ ପରେ ବିକ୍ରି କରିବି ବୋଲି ଆଶା ଥିଲା। ଏବେ ସବୁ ଭାସିଗଲା, ଋଣ କେମିତି ସୁଜିବ ।ଓସ୍ତପୁରର ମହିଳା ଚାଷୀ ସୁମିତ୍ରା ଦେବୀଙ୍କ ଆଖିରୁ ଲୁହ ଝରୁଛି। ସେ କହିଛନ୍ତି ଘର ଖର୍ଚ୍ଚ ପାଇଁ ଲଙ୍କା ଚାଷ ଉପରେ ଭରସା କରିଥିଲୁ। ଏବେ ଚୁଲି କେମିତି ଜଳିବ । ପ୍ରଶାସନ ତରଫରୁ ତତ୍ପରତା ଜାରି ରହିଛି। ଜିଲ୍ଲାପାଳ ମହୋଦୟ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ଏବଂ ଆବଶ୍ୟକ ପଡିଲେ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି। କ୍ଷତି ଆକଳନ ପାଇଁ ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି। ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି ନିଜେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି। କିନ୍ତୁ ଚାଷୀର ପ୍ରଶ୍ନ ଗୋଟିଏ – ସରକାର କେମିତି ଏହି କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ତୁରନ୍ତ ସହାୟତା ଦେବେ? ଚାଷୀ ର ଆଖିରୁ ଲୁହ ସହିତ ତାର ସ୍ୱପ୍ନ ମଧ୍ୟ ପାଣିରେ ଭାସିଯାଇଛି। ଏବେ ସମସ୍ତଙ୍କ ଦୃଷ୍ଟି ସରକାରୀ ସହାୟତା ଉପରେ। ନଚେତ ଏହି ଚାଷୀ ମାନେ ଆଗାମୀ ଦିନରେ କିପରି ବଞ୍ଚିବେ ତାହା ବଡ ପ୍ରଶ୍ନ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ