୩୩ଟି ମାଧ୍ୟମିକ ବିଦ୍ୟାଳୟରେ ସରିଲା ‘ବେସ୍ଲାଇନ୍’ ପରୀକ୍ଷା
ଆସିକା (ୱାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲା ଶିକ୍ଷାବିଭାଗର ଏକ ନିଆରା ତଥା ଅଭିନବ ପଦକ୍ଷେପ ସ୍ୱରୂପ ଚଳିତ ଶିକ୍ଷାବର୍ଷରେ ମାଟ୍ରିକ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଗତ ୧ ତାରିଖ ଠାରୁ ଆସିକାର ୩୩ଟି ମାଧ୍ୟମିକ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ବେସ୍ଲାଇନ୍ ପରୀକ୍ଷା ଆଜି ଶେଷ ହୋଇଥିବା ଜଣାପଡିଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଆଗାମୀ ମାଟ୍ରିକ ବୋର୍ଡ ପରୀକ୍ଷା ଦେବା ପାଇଁ ପାଠ ପଢୁଥିବା ଦଶମ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କ ସକାଶେ ଗତ ୧ ତାରିଖ ଠାରୁ ଏହି ବେସ୍ଲାଇନ୍ ପରୀକ୍ଷା ଆରମ୍ଭ ହୋଇଥିଲା ବେଳେ ଆସିକା ବ୍ଳକ ଓ ପୌର ପରିଷଦ ଅଧିନସ୍ଥ ୩୩ଟି ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୧୫୦୦ ରୁ ଉର୍ଦ୍ଧ୍ୱ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପ୍ରଥମ ଭାଷା ସାହିତ୍ୟ, ଦ୍ୱିତୀୟ ଭାଷା ଇଂରାଜୀ, ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ/ଧନ୍ଦାମୂଳକ, ଗଣିତ, ସାମାଜିକ ବିଜ୍ଞାନ, ବିଜ୍ଞାନ ପାଠ୍ୟକ୍ରମ ବିଷୟରେ ନିଜ ନିଜ ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ । ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିଜ ନିଜ ବିଦ୍ୟାଳୟର ମୋଟ ୨୫ ମାର୍କ ବିଶିଷ୍ଟ ବହୁ ବିକଳ୍ପ ପ୍ରଶ୍ନର ଉତ୍ତର ଏବଂ ୨୫ ମାର୍କ ଦୀର୍ଘ ପ୍ରଶ୍ନର ଉତ୍ତର ସଂକ୍ରାନ୍ତୀୟ ବେସ୍ଲାଇନ୍ ପରୀକ୍ଷା ଦେଇଥିଲେ ଓ ଏଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ୧ ଘଣ୍ଟା ୧୫ ମିନଟ ସମୟ ଦିଆଯାଇଥିଲା । ଆସିକା ବ୍ଳକ ଓ ପୌର ପରିଷଦ ପରିସରଭୁକ୍ତ ଅଞ୍ଚଳର ୩୩ଟି ମାଧ୍ୟମିକ ବିଦ୍ୟାଳୟସ୍ତରରେ ଏହି ବେସ୍ଲାଇନ୍ ପରୀକ୍ଷାର ଫଳାଫଳ ବିଶ୍ଳେଷଣ ଆଗାମୀ ୮ ତାରିଖ ସୁଦ୍ଧା ଶେଷ କରି ୧୦ ତାରିଖ ସୁଦ୍ଧା ଜିଲ୍ଲା ଶିକ୍ଷା ବିଭାଗକୁ ଅବଗତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଆସନ୍ତା ମାଟ୍ରିକ ପରୀକ୍ଷାରେ ଅଧିକରୁ ଅଧିକ ଏ-୧ ଗ୍ରେଡ୍ ହାସଲ ସାଙ୍ଗକୁ ପାସ୍ ହାର ବୃଦ୍ଧି ଲକ୍ଷ୍ୟରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସକାଶେ ଶିକ୍ଷାବିଭାଗ ପକ୍ଷରୁ ଏହି ବେସ୍ଲାଇନ୍ ପରୀକ୍ଷା ଆୟୋଜନ ଯୋଗୁଁ ପୂର୍ବବର୍ଷ ମାନଙ୍କ ଅପେକ୍ଷା ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ଆହୁରି ସନ୍ତୋଷଜନକ ହେବ ବୋଲି ବହୁ ଅଭିଭାବକଙ୍କ ମହଲରେ ଚର୍ଚ୍ଚା ହେଉଛି । ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର, ସହ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ଡଃ. ପ୍ରଭାତୀ ମହାପାତ୍ର, ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢୀ, ନୋଡାଲ୍ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକାରେ ଅନୁଷ୍ଠିତ ହୋଇଥିବା ଏହି ବେସ୍ଲାଇନ୍ ପରୀକ୍ଷାକୁ ସୁପରିଚାଳନା କରିବା ଦିଗରେ ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର, ସୁଶାନ୍ତ କୁମାର ପଣ୍ଡା, ରଜନୀରାଣୀ ଦାଶ, ଅବନୀକାନ୍ତ ତ୍ରିପାଠୀ, ମିନତୀ କୁମାରୀ ପାତ୍ର, ବାଣିଶ୍ରୀ ପଣ୍ଡା, ଅଶୋକ କୁମାର କହଁର, ଭଗବାନ ସ୍ୱାଇଁ, ପରମାନନ୍ଦ ଜାନି, ଗୌରୀ ଶଙ୍କର ଗୌଡ, ରାମକୃଷ୍ଣ ପଣ୍ଡା, ଚିତ୍ତରଂଜନ ଷଡଙ୍ଗୀଙ୍କ ସମେତ ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକମାନେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।


