୪ ଦଫା ଦାବୀ ପୂରଣ ଲାଗି ଓଷ୍ଟା ପକ୍ଷରୁ ସ୍ମାରକପତ୍ର ପ୍ରଦାନ
ଆସିକା (ୱାଇଏନ୍ଏସ୍) : ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆସିକା ବ୍ଳକ କମିଟି ପକ୍ଷରୁ ୪ ଦଫା ଦାବୀ ପୂରଣ ଲାଗି ରାଜ୍ୟ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୁଧବାର ଅପରାହ୍ନରେ ଆସିକା ପଞ୍ଚାୟତ ସମିତିର ଏବିଡିଓ ସୁଶାନ୍ତ କୁମାର ବେହେରାଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତଥା ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆସିକା ବ୍ଳକ ସଭାପତି ତାରା ପ୍ରସାଦ ମିଶ୍ର ଓ ସଂପାଦକ ରାମକୃଷ୍ଣ ପଣ୍ଡାଙ୍କ ନେତୃତ୍ୱରେ ସଂଘର ବହୁ ସଦସ୍ୟ ଏହି ସ୍ମାରକପତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ, ସମସ୍ତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରୁ ଅବସର ନେଉଥିବା ଓ ଅବସର ନେବାକୁ ଯାଉଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ଚାକିରୀ ସର୍ତ୍ତାବଳୀ ସାଙ୍ଗକୁ ପେନସନ୍ ଓ ଅବସରକାଳୀନ ସୁବିଧାସୁଯୋଗ ପ୍ରଦାନ, ଅବସର ବୟସସୀମା ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରିବା, ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କ ଗ୍ରେଡ୍ପେରେ ଥିବା ଅସଙ୍ଗତି ଦୂରୀକରଣ, ସମସ୍ତ ନୂତନ ଓ ପୁର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ମହାବିଦ୍ୟାଳୟ ଗୁଡିକୁ ସରକାରୀକରଣ କରି ଶିକ୍ଷକ ନିଯୁକ୍ତି କରିବା, ୨୦୦୪ ମସିହାରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନଙ୍କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଏବଂ ନୂତନ ପେନସନ୍ ପରିବର୍ତ୍ତେ ପୁରାତନ ପେନସନ୍ ସ୍କିମ୍ର ପୁନଃ ପ୍ରଚଳନ ଦାବୀରେ ରାଜ୍ୟ ସଂଘର ଆହ୍ୱାନକ୍ରମେ ଆସିକା ବ୍ଳକ କମିଟି ଏହି ଶାନ୍ତିପୂର୍ଣ୍ଣ ଅନ୍ଦୋଳନକୁ ଓହ୍ଲାଇଥିବା ଜଣାପଡିଛି । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସଂଘର ନ୍ୟାୟୋଚିତ ଦାବୀ ପୂରଣ ଦିଗରେ ପଦକ୍ଷେପ ନେବାକୁ ଆସିକା ବ୍ଳକ କମିଟି ସଭାପତି ତାରାପ୍ରସାଦ ମିଶ୍ର, ସଂପାଦକ ରାମକୃଷ୍ଣ ପଣ୍ଡା, ସଂଘର ସକ୍ରିୟ ସଦସ୍ୟ ହିମାଂଶୁ ଶେଖର ମୁନି, ପ୍ରସନ୍ନ କୁମାର ପାଣିଗ୍ରାହୀ, ଆର୍.କୃଷ୍ଣମୂର୍ତ୍ତି ରେଡି, ସୁଦୁରୁ ନାଇକ, ସୁଧାଂଶୁ ଶେଖର ଦାଶ, ଡକ୍ତର ଜେନା, ଶଙ୍କର ବେହେରା, ଯୋଗେନ୍ଦ୍ର ଗୌଡ, ସନ୍ତୋଷ କୁମାର ପ୍ରଧାନ, ସୁଧାଂଶୁ କୁମାର ପାଢୀ, ଅବନିନ୍ଦ୍ର ଲେଙ୍କା, ସୋମନାଥ ଦାଶ, ବୁଲୁ ସେଠୀ, କୈଳାଶ ଚନ୍ଦ୍ର ସାହୁ, ଜିତେନ୍ଦ୍ର ପ୍ରଧାନ, ପ୍ରମୋଦ କୁମାର ଗୌଡ, ପାଣ୍ଡବେଶ୍ୱର ଜେନା, ଶଶୀଭୂଷଣ ସାହୁ, ଗୋବିନ୍ଦ ପରିଡା, ପ୍ରଦୀପ କୁମାର ନାୟକ, ସନ୍ତୋଷ କୁମାର ରାଉତ, ଭକ୍ତବତ୍ସଳ ପ୍ରଧାନ, ଭାସ୍କର ଚନ୍ଦ୍ର ସିୟ, ପ୍ରଫୁଲ ବେହେରା, ଏ.ପଦ୍ମନ୍ ଦୋରାଙ୍କ ସମେତ ବହୁ ସଦସ୍ୟ ଅନୁରୋଧ କରିଥିବା ଜଣାପଡିଛି । ରାଜ୍ୟ ସରକାର ସଂଘର ଦୀର୍ଘ ଦିନର ନ୍ୟାୟୋଚିତ ତଥା ଯୁକ୍ତିସଂଗତ ଓ ଯଥାର୍ଥ ଦାବୀ ପୂରଣ ଦିଗରେ ଯଦି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନ ନିଅନ୍ତି ତେବେ ଆସନ୍ତା ୧୬ ତାରିଖରେ ଶିକ୍ଷକ ଦାବୀ ଦିବସରେ ଭୁବନେଶ୍ୱରରେ ଏକ ବିଶାଳ ସମାବେଶ ଆୟୋଜନ କରାଯିବ ବୋଲିି ଓଷ୍ଟାର ଆସିକା ଶାଖା ସଭାପତି ତାରାପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି ।


