ଆଦିବାସୀ ଅଧିକାର, ଭାଷା ଓ ସଂସ୍କୃତି ସୁରକ୍ଷା ପାଇଁ ଗର୍ଜିଲା ମିଳିତ ଆଦିବାସୀ ମଞ୍ଚ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ବିଶ୍ୱ ଆଦିବାସୀ ଦିବସ ଅବସରରେ ଆଦିବାସୀ ସମାଜର ଅଧିକାର, ଭାଷା, ସଂସ୍କୃତି ଓ ସାମଗ୍ରିକ ବିକାଶ ପ୍ରସଙ୍ଗ ନେଇ ସ୍ୱର ଉଠାଇଛି ପାଞ୍ଚପିଢ଼ ମିଳିତ ଆଦିବାସୀ ମଞ୍ଚ। ମଞ୍ଚ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କରଞ୍ଜିଆ ଉପଜିଲ୍ଲା ପ୍ରଶାସନ ନିକଟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମିଳିତ ଆଦିବାସୀ ମଞ୍ଚର ସଭାପତି ପଦ୍ମଲୋଚନ ଟୁଡୁ ଓ ସାଧାରଣ ସମ୍ପାଦକ ରଣଜିତ ସଂକ୍ଷିଆଳଙ୍କ ନେତୃତ୍ୱରେ ମଞ୍ଚର କର୍ମକର୍ତ୍ତା, ଆଦିବାସୀ ନେତା, ଜନପ୍ରତିନିଧି ଓ ବିଭିନ୍ନ ଜନଜାତି ସମ୍ପ୍ରଦାୟର ପ୍ରତିନିଧିମାନେ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ଆଦିବାସୀ ଅଞ୍ଚଳର ଶିକ୍ଷା, ନିଯୁକ୍ତି, ମାତୃଭାଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ଆର୍ଥିକ ବିକାଶ ସମ୍ପର୍କିତ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି। ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ସୁବିଧା ବୃଦ୍ଧି, ମାତୃଭାଷାରେ ଶିକ୍ଷାଦାନକୁ ଗୁରୁତ୍ୱ, ଆଦିବାସୀ ଭାଷାର ସୁରକ୍ଷା ଓ ବିକାଶ, ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ସହ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ଯୋଗାଇବା ପାଇଁ ଦାବି କରାଯାଇଛି। ପାଠ୍ୟପୁସ୍ତକରେ ଆଦିବାସୀ ଇତିହାସକୁ ସ୍ଥାନ ଦାବି ମଞ୍ଚର ପ୍ରମୁଖ ଦାବି ମଧ୍ୟରେ ରହିଛି ଆଦିବାସୀ ଇତିହାସ ଓ ସଂସ୍କୃତିକୁ ଶିକ୍ଷା ବ୍ୟବସ୍ଥାରେ ଉଚିତ ସ୍ଥାନ ଦେବା। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ପ୍ରସ୍ତୁତ ନୂତନ ପାଠ୍ୟପୁସ୍ତକରେ ଆଦିବାସୀ ସମାଜର ଇତିହାସ, ପରମ୍ପରା ଓ ସାଂସ୍କୃତିକ ଅବଦାନକୁ ଯଥେଷ୍ଟ ଗୁରୁତ୍ୱ ମିଳିନଥିବା ମଞ୍ଚ ଅଭିଯୋଗ କରିଛି। ଏହାର ସୁଧାର କରି ପାଠ୍ୟ ଖସଡ଼ାରେ ଜନଜାତିଙ୍କ ଇତିହାସ, ସଂସ୍କୃତି, ସାମାଜିକ ଚଳଣି, ଧାର୍ମିକ ବିଶ୍ୱାସ, ପର୍ବପର୍ବାଣି, ଜନଜାତି ସ୍ୱାଧୀନତା ସଂଗ୍ରାମୀ, ମହାପୁରୁଷ, ଲେଖକ ଓ କଳାକାରଙ୍କ ସମ୍ପର୍କିତ ତଥ୍ୟ ସାମିଲ କରାଯିବାକୁ ଦାବି କରାଯାଇଛି। ମହିଳାଙ୍କ ଆର୍ଥିକ ସଶକ୍ତିକରଣ ସହ ଯୁବପିଢ଼ିଙ୍କୁ ନିଯୁକ୍ତି ଦାବି ଆଦିବାସୀ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ଯୁବକ-ଯୁବତୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି, ଆଦିବାସୀ ଅଞ୍ଚଳରେ ସରକାରୀ ଯୋଜନାର ସୁବିଧା ଯେପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ଦୃଢ଼ ପଦକ୍ଷେପ ନେବାକୁ ମଞ୍ଚ ଦାବି କରିଛି। ଏଥିସହ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଆଦିବାସୀ ଅଞ୍ଚଳର ସ୍ୱାସ୍ଥ୍ୟ ଓ ମୌଳିକ ସୁବିଧାର ବିକାଶ ପାଇଁ ମଧ୍ୟ ଦାବି ରହିଛି। ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଆଦିବାସୀ ସମାଜର ସାମଗ୍ରିକ ବିକାଶ କେବଳ ଯୋଜନା ଘୋଷଣାରେ ସୀମିତ ନ ରହି ପ୍ରକୃତ କ୍ଷେତ୍ରରେ ଏହାର ସୁଫଳ ପହଞ୍ଚିବା ଆବଶ୍ୟକ। ଆଦିବାସୀଙ୍କ ଅଧିକାର, ଭାଷା ଓ ସଂସ୍କୃତିର ସୁରକ୍ଷା ସହ ବିକାଶର ମୁଖ୍ୟଧାରାରେ ସେମାନଙ୍କୁ ଅଧିକ ସୁଯୋଗ ଦେବା ପାଇଁ ସରକାର ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ପଦକ୍ଷେପ ନେବାକୁ ମଞ୍ଚ ଆହ୍ୱାନ ଦେଇଛି। ଛୁଟିଦିନରେ ଦାବିପତ୍ର ଗ୍ରହଣ କଲେ ସହକାରୀ ଜିଲ୍ଲାପାଳ ରବିବାର ଛୁଟିଦିନ ଥିବାରୁ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ କିରଣ ପ୍ରକାଶ ପ୍ରଧାନ ମଞ୍ଚ ପକ୍ଷରୁ ପ୍ରଦାନ କରାଯାଇଥିବା ଦାବିପତ୍ର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମିଳିତ ଆଦିବାସୀ ମଞ୍ଚର ପରାମର୍ଶଦାତା ବାଲକ ରାମ ବାସ୍କେ, ସୁକାନ୍ତି ନାୟକ, ଦୟାନିଧି ନାୟକ, ଆଦିବାସୀ ନେତା ଲକ୍ଷ୍ମୀଧର ସିଂ, ମିନତୀ ନାଏକ, ବାଗୁନ ଶୁଣ୍ଡି, ସାମାୟ ପୂର୍ତ୍ତି, ବାବୁରାମ ବେସ୍ରା, ଗୁନାରାମ ସୟଙ୍କ ସମେତ ବହୁ ସରପଞ୍ଚ, ନିର୍ବାଚିତ ଜନପ୍ରତିନିଧି ଓ ବିଭିନ୍ନ ଜନଜାତି ସମ୍ପ୍ରଦାୟର ମୁରବି ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ