ବେତନଟୀ ଲ୍ୟାମ୍ପରେ ଚାଲିଛି ଖୁଲମ ଖୁଲା ଲୁଟ୍, ବିନା ବିଲରେ ଚାଷୀଙ୍କୁ ବଣ୍ଟାଯାଉଛି ନାନୋ ରସାୟନ
ବେତନଟୀ,(ଉଦିତ କୁମାର ପରିଡା): ବେତନଟୀ ବୃହଦାକାର ଆଦିବାସୀ ବହୁମୁଖି ସମବାୟ ସମିତି ଶାଖା ପକ୍ଷରୁ ଚାଷୀଙ୍କୁ ସାର ଓ ରସାୟନ ଯୋଗାଣ ଚାଲୁ ରହିଥିବା ବେଳେ ଏଥିରେ ଏକ ପ୍ରକାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଚାଷୀଙ୍କୁ ସାର ବିକ୍ରି ସମୟରେ ସାର ବିକ୍ରିର ଅନଲାଇନ ରସିଦ ଦିଆଯାଉଥିବା ବେଳେ ନାନୋ ନାମକ ଏକ ରସାୟନ ବିକ୍ରି ବାବଦକୁ ଚାଷୀଙ୍କ ନିକଟରୁ ବିନା ରସିଦରେ ୧୮୦ଟଙ୍କା ଲେଖାଏଁ ନିଆ ଯାଉଛି। ହେଲେ ଏହି ରସାୟନ ବିକ୍ରିର କୌଣସି ରସିଦ ଲ୍ୟାମ୍ପ ପକ୍ଷରୁ ଚାଷୀଙ୍କୁ ମିଳୁନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଗତ ବର୍ଷ ବେତନଟୀ ଲ୍ୟାମ୍ପ କୁ ପାଖା ପାଖି ୩୦୦୦୦ ଟଙ୍କା ମୂଲ୍ୟର ନାନୋ ରସାୟନ କ୍ଷତି ସହିବାକୁ ପଡ଼ିଥିଲା। ଏହାସତ୍ୱେ ଚଳିତ ବର୍ଷ ଏହି ନାନୋ ରସାୟନ ଟଙ୍କା ନେଇ ବିନା ବିଲରେ କିପରି ଓ କାହା ସ୍ୱାର୍ଥରେ ବଣ୍ଟା ଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ଶନିବାର ଦିନ ଲ୍ୟାମ୍ପରେ ସାର ବିକ୍ରି ସମୟରେ ବେତନଟୀ ବ୍ଲକ ଦହିକୁଟି ଅଞ୍ଚଳର ଗୌର ଚରଣ ମହାନ୍ତ ୨୧୫୦ ଟଙ୍କାର ସାର କିଣିବା ପରେ ତାଙ୍କୁ ଏକ ଅନଲାଇନ ରସିଦ ଦିଆ ଯାଇଥିଲା ଓ ନାନୋ ନାମକ ରସାୟନ ପାଇଁ ୧୮୦ଟଙ୍କାର କୌଣସି ବିଲ ନଦିଆ ଯାଇ ସେହି ସାର ରସିଦରେ ହାତରେ ୧୮୦ ଟଙ୍କା ଲେଖି ଦେଇ ଦିଆ ଯାଇଥିଲା। ସାର ବିକ୍ରି କରୁଥିବା କର୍ମଚାରୀ ମନଇଛା ଏହି ନାନୋର ମୂଲ୍ୟକୁ ହାତରେ ଲେଖି ଦେଉଥିବାର ଦେଖିବାକୁ ମିଳିଥିଲା। ଯେଉଁ ଚାଷୀ କିଛି ପ୍ରଶ୍ନ କଲେ ତାଙ୍କୁ ଖରାପ ବ୍ୟବହାର ମିଳୁଥିଲା। ପୂର୍ବରୁ ମଧ୍ୟ ସେହି କର୍ମଚାରୀଙ୍କର ଚାଷୀଙ୍କ ସହ ଯୁକ୍ତି ତର୍କ ଲାଗୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିବାର ଦେଖିବାକୁ ମିଳିଥିଲା। ତେବେ ପ୍ରତ୍ୟେକ ଚାଷୀଙ୍କ ନିକଟରୁ ରସାୟନ ବାବଦକୁ ଆଦାୟ ହେଉଥିବା ଏହି ୧୮୦ଟଙ୍କା ଲ୍ୟାମ୍ପକୁ ନଯାଇ କାହା ପକେଟ ଯାଉଛି ତାହା ଏବେ ବ ସନ୍ଦେହ ଘେରରେ ରହିଛି ପ୍ରଶାସନିକ ସ୍ତରରେ ଏହାର ସଠିକ ଯାଞ୍ଚ ପାଇଁ ଚାଷୀଙ୍କ ନିକଟରୁ ଦାବି କରାଯାଇଛି। ନାନୋ ରସାୟନ ବିକ୍ରିରେ ପ୍ରତି ବର୍ଷ ଲ୍ୟାମ୍ପ ପକ୍ଷରୁ କ୍ଷତି ହେଉଥୁବାର ରିପୋର୍ଟ ଯାଉଥିବା ବେଳେ ବିନା ବିଲରେ ବିକ୍ରି ହେଉଥିବା ଏହି ରସାୟନ ପାଇଁ ସରକାର କ୍ଷତି ସହୁ ଥିବାର ନଜର ଆସିଛି। ଏହାର ସଠିକ ତଦନ୍ତ କରାଗଲେ ଅନେକ ସତ୍ୟତା ସାମ୍ନାକୁ ଆସିବ ପ୍ରକୃତ ଦୋଷୀ କିଏ ଜଣାପଡିବ ବୋଲି ଲ୍ୟାମ୍ପରେ କିଛି ଡାଇରେକ୍ଟର ଓ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ଏନେଇ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀ ନିକଟକୁ ଅଭିଯୋଗ ହେବା ନେଇ ମଧ୍ୟ ସୂଚନା ମିଳିଛି। ଅତୀତରେ ଧାନ କିଣା ସମୟରେ ଚାଷୀଙ୍କ ଧାନ ଟ୍ରାନ୍ସପୋର୍ଟ ଓ ଲୋଡିଂ, ଅନ ଲୋଡ଼ିଂ ନିମନ୍ତେ ସରକାରଙ୍କ ପକ୍ଷରୁ ମିଳୁଥିବା ଟଙ୍କାକୁ ବହୁ ମାତ୍ରାରେ ବାଟମାରଣା ହେଉଥିବା କିଛି ଡାଇରେକ୍ଟର ଓ ଚାଷୀ ମାନେ ଅଭିଯୋଗ ଆଣିଛନ୍ତି ଏସବୁର ଉଚିତ ତଦନ୍ତ ନେଇ ସାଧାରଣରେ ଦାବି ହୋଇଛି। ଧାନ କିଣାରେ ଲୋଡ଼ିଂ ଅନଲୋଡିଂ ନାମରେ ପାଖା ପାଖି ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ଆସୁଥିବା ବେଳେ ଆଗକୁ ଧାନ କିଣା ସମୟ ଆସୁଥିବା ବେଳେ ଏସବୁ ଉପରେ ପ୍ରଶାସନସ୍ତରରେ କଡା ନଜର ରଖିବା ପାଇଁ ଚାଷୀଙ୍କ ପକ୍ଷରୁ ଦାବି ହୋଇଛି।


