ଶ୍ରାବଣର ଦ୍ୱିତୀୟ ସୋମବାର : ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ

ଆସିକା (ୱାଇଏନ୍‍ଏସ୍‍) : ଦେବଦେବ ମହାଦେବଙ୍କ ଅତି ପ୍ରିୟମାସ ହେଉଛି ଶ୍ରାବଣ ମାସ । ଏହି ଅବସରରେ ଶ୍ରାବଣର ଦ୍ୱିତୀୟ ସୋମବାର ଅବସରରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଅଞ୍ଚଳର ପ୍ରସିଦ୍ଧ ଶୈବ ପୀଠରୂପେ ପରିଚିତ ଥିବା ପୁଡୁଗେଶ୍ୱର, ସୁବର୍ଣ୍ଣେଶ୍ୱର, ବାଲୁଙ୍କେଶ୍ୱର, ତ୍ରିବିଦ୍ଧେଶ୍ୱର, ନର୍ମଦେଶ୍ୱର, କପିଳେଶ୍ୱର, ଇଶାନେଶ୍ୱର, ଚନ୍ଦ୍ରକଳ୍ପେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତମାନେ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଭିଡ ଜମାଇଥିଲେ । ଭୋର ସମୟରେ ଶ୍ରଦ୍ଧାଳୁ ଭକ୍ତମାନେ କୋଟି ଜନ୍ମର ପୁଣ୍ୟ ଅର୍ଜନ କରିବା ଲକ୍ଷ୍ୟରେ ଶିବ ମନ୍ଦିର ଗୁଡିକରେ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ମନ୍ଦିର ଗୁଡିକରେ ଏକ ଆଧ୍ୟ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଓଁ ନମଃ ଶିବାୟ ଏବଂ ହର ହର ମହାଦେବ ଓ ଜୟ ଶିବଶମ୍ଭୁ ମନ୍ତ୍ର ଧ୍ୱନୀରେ କମ୍ପି ଉଠିଥିଲା ଶୈବପୀଠ ପରିସର। ମନରେ ପ୍ରବଳ ଉତ୍ସାହ ଓ ଭକ୍ତିସହ ପୂଜାର୍ଚ୍ଚନାରେ ନିମଘ୍ନ ରହିଥିଲେ ଆଧ୍ୟାତ୍ମିକପ୍ରେମୀ ଶ୍ରଦ୍ଧାଳୁ ଭକ୍ତ। ଭଗବାନ ଶିବଙ୍କ ଅତିପ୍ରିୟ ଶ୍ରାବଣ ମାସ । ଶିବ ଉପାସନାରେ ତିଥି ମଧ୍ୟରେ ଚତୁର୍ଦ୍ଦଶୀ ଓ ବାର ମଧ୍ୟରେ ଶ୍ରାବଣ ମାସର ସୋମବାର ଶ୍ରେଷ୍ଠ । ଧର୍ମ ଓ ପୂଣ୍ୟ ଅର୍ଜନର ମାସ ଶ୍ରାବଣର ଦ୍ୱିତୀୟ ସୋମବାରରେ ଶ୍ରଦ୍ଧାଳୁ ଭକ୍ତ ମାନେ ବେଲପତ୍ର, ନଡିଆ, କଦଳୀ, ଫୁଲ, କଞ୍ଚାକ୍ଷୀର ଧରି ଶୈବପୀଠ ମୁହାଁ ହୋଇଥିବା ଦେଖିବାକୁ ମିଳିଥିଲା। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଶୈବପୀଠ ଗୁଡିକରେ ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଦେବାଧି ଦେବ ମହାଦେବଙ୍କ ନିକଟରେ ଜଳଲାଗି କରିବା ଲାଗି ମାନସିକଧାରୀ କାଉଡିଆଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା, ଚନ୍ଦନ, କର୍ପୂର, ଅଗୁରୁ ବାସ୍ନାରେ ଶୈବପୀଠ ଗୁଡିକ ମହକୁଥିବା ଦେଖିବାକୁ ମିଳିଥିଲା । ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କଲେ ଅତ୍ୟନ୍ତ ପୂଣ୍ୟ ମିଳିଥାଏ ଓ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ମନ୍ଦିର ଗୁଡିକରେ ଭିଡ ଜମିଥିଲା । ଶ୍ରଦ୍ଧାଳୁ ଆଧ୍ୟାତ୍ମିକପ୍ରେମୀ ଭକ୍ତ ଓ ବୋଲ୍‍ବମ୍‍ ଭକ୍ତମାନେ ପବିତ୍ର ଋଷିକୁଲ୍ୟା ନଦୀରୁ ଜଳ ସଂଗ୍ରହ କରି ମହାଦେବଙ୍କ ନିକଟରେ ଜଳାଭିଷେକ କରିବା ସାଙ୍ଗକୁ ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ବିଶ୍ୱକଲ୍ୟାଣ କାମନା କରିଥିବା ଦେଖିବାକୁ ମିଳିଥିଲା । ମାନସିକଧାରୀ ବୋଲ୍‍ବମ୍‍ ଭକ୍ତମାନେ ପାଣିଭାର ଧରି ଗୈରିକ ବସ୍ତ୍ର ପରିଧାନ ପୂର୍ବକ ସୁଦ୍ଧପୁତ ଭାବେ ସମସ୍ତଙ୍କ ମଙ୍ଗଳକାମନା ଓ ମନସ୍କାମନା ପୂରଣ ଲାଗି ବିଭିନ୍ନ ଶୈବପୀଠରେ ଜଳଲାଗି କରିଥିଲା ବେଳେ କାଉଡିଆଙ୍କ ଆଗମନରେ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଥିଲା । ବାବା ଭୋଳାନାଥଙ୍କ ସାନିଧ୍ୟ ପାଇବା ପାଇଁ ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ପରିଲକ୍ଷିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ