ଦିନିକିଆ ଆଞ୍ଚଳିକ ବାଳିକା ଥ୍ରୋବଲ୍ ପ୍ରତିଯୋଗିତା
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁରସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇଏସସିଇ ସ୍ପୋର୍ଟ୍ସ ଆଣ୍ଡ ଗେମ୍ସ ଅଧୀନରେ ଦିନିକିଆ ଆଞ୍ଚଳିକ ବାଳିକା ଥ୍ରୋବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶାର ୩ଟି ଜୋନ୍—ବ୍ରହ୍ମପୁର, ଝାରସୁଗୁଡ଼ା ଓ ରାୟଗଡ଼ା ଜୋନ୍ର ୧୪, ୧୭ ଓ ୧୯ ବର୍ଷରୁ କମ୍ ବର୍ଗର ଶହେରୁ ଊର୍ଦ୍ଧ୍ୱ ବାଳିକା ଖେଳାଳି ଅଂଶଗ୍ରହଣ କରିଥିଲେ। ସ୍କୁଲ ପ୍ରିନ୍ସିପାଲ୍ ସିଷ୍ଟର ଡୋରେଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା ଉପସଭାପତି ପ୍ରଶାନ୍ତ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରତିଯୋଗିତା ଶେଷରେ ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ଦଳଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ରେଫରି ଭାବେ ସମ୍ବିତ କୁମାର ବଳିଆରସିଂହ ଓ ଏସ୍. ଜଗା ରାଓ ଦାୟିତ୍ୱ ତୁଲାଇଥିଲେ। ସେହିପରି ବରିଷ୍ଠ ଶିକ୍ଷୟିତ୍ରୀ ଗୀତାଞ୍ଜଳି ଦାଶ, କ୍ରୀଡ଼ା ଶିକ୍ଷକ ସି.ଏଚ୍. ପ୍ରସାଦ, କେ. ମନୋଜ ପ୍ରଧାନ, ସୁନୀଲ କୁମାର ଦାଶ, ହମିତ କୁମାର ମହାପାତ୍ର ଓ ସୁଲତାନ ବେଗମ୍ଙ୍କ ସମେତ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ପ୍ରତିଯୋଗିତାକୁ ସୁଚାରୁରୂପେ ପରିଚାଳନା କରିଥିଲେ। ପ୍ରତିଯୋଗିତାକୁ ନେଇ ଖେଳାଳି, ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।


