ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣା: ସ୍ଥିତି ଆନୁଧ୍ୟାନ କଲେ ଛତ୍ରପୁର ଉପଜିଲ୍ଲାପାଳ
ଛତ୍ରପୁର, (ଓ୍ବାଇଏନଏସ): ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ଓ ଚିନ୍ତା ବଢ଼ିବାରେ ଲାଗିଛି। ସମୁଦ୍ରର ଜଳରାଶି ଧୀରେ ଧୀରେ ଜନବସତି ଆଡ଼କୁ ମାଡ଼ି ଆସୁଥିବାରୁ ପୂର୍ବରୁ ଥିବା ରାସ୍ତା, କୋଠଘର ଓ ମନ୍ଦିର ଆଦି ସମୁଦ୍ର ଗର୍ଭରେ ଲୀନ ହୋଇସାରିଛି। ବର୍ତ୍ତମାନ ଅଞ୍ଚଳର ଏକ ସ୍କୁଲ ମଧ୍ୟ ସମୁଦ୍ରର ଅତି ନିକଟବର୍ତ୍ତୀ ଅଞ୍ଚଳରେ ରହିଛି। ଆଗାମୀ ଦିନରେ ସମୁଦ୍ର କୂଳ ଲଙ୍ଘିଲେ ସ୍କୁଲଟି ମଧ୍ୟ ବିପଦରେ ପଡ଼ିବା ଆଶଙ୍କା ରହିଥିବାରୁ ଗ୍ରାମବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ଏହାସହ ଅଞ୍ଚଳର ଜନଜୀବନ ଓ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ଏହା ସ୍ଥାୟୀ ପ୍ରତିକାର କରିବା ଏବଂ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ଆର୍ଯ୍ୟପଲ୍ଲୀବାସିନ୍ଦା ଙ୍କ ପକ୍ଷରୁ ବାରମ୍ବାର ପ୍ରଶାସନ ନିକଟରେ ଦାବି କରାଯାଇଛି । ସ୍ଥାୟୀ ପ୍ରତିକାର ଦାବୀ ନେଇ ଅଂଚଳବାସୀ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଡାକରା ଦେଇଛନ୍ତି । ଆସନ୍ତା ୧୭ ତାରିଖ ରେ ଆନ୍ଦୋଳନ କୁ ଓଲ୍ହାଇବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି l ଏହି ପରିସ୍ଥିତିରେ ଆଜି ଅପରାହ୍ନରେ ଲଗାଣ ବର୍ଷା ରେ ମଧ୍ୟ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସମୁଦ୍ର କୂଳ କ୍ଷୟ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଏବଂ ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ସେ ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ଅଞ୍ଚଳବାସୀ ସମୁଦ୍ର କୂଳ ଲଙ୍ଘିବା ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ଏବଂ ଭବିଷ୍ୟତରେ ସ୍କୁଲ ସମେତ ଅନ୍ୟାନ୍ୟ ସ୍ଥାନ ବିପଦରେ ପଡ଼ିବା ଆଶଙ୍କା ସମ୍ପର୍କରେ ଉପଜିଲ୍ଲାପାଳଙ୍କ ନିକଟରେ ଅବଗତ କରାଇଥିଲେ।ଏନେଇ ଉପଜିଲ୍ଲାପାଳ ଶ୍ରୀ ବରାଳ କହିଛନ୍ତି ଯେ, ଆର୍ଯ୍ୟପଲ୍ଲୀ ଅଞ୍ଚଳର ସମୁଦ୍ର କୂଳ କ୍ଷୟ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ। ଏହାପରେ ସମୁଦ୍ର କୂଳ କ୍ଷୟ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଓ ପ୍ରତିକାର ବ୍ୟବସ୍ଥା କରାଯିବ ।


