ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାର ପରିବର୍ତ୍ତନକୁ ବିରୋଧ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଜେୟୁର ଦାବିପତ୍ର

ଛତ୍ରପୁର, (ଓ୍ବାଇଏନଏସ): ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତନ କରିବା ପ୍ରକ୍ରିୟାକୁ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବିରୋଧ କରାଯାଇଛି। ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, କାର୍ଯ୍ୟରତ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରଚଳିତ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସ୍ୱତନ୍ତ୍ର ସୁବିଧା ରହିଛି। ଏହି ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନା ସହ ପରିବର୍ତ୍ତନ କରାଯିବା ନେଇ ଖବର ପ୍ରକାଶ ପାଇବା ପରେ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଓଜେୟୁ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ପୂର୍ବବତ୍ ସ୍ୱତନ୍ତ୍ର ଭାବେ ଜାରି ରଖିବାକୁ ଦାବି କରାଯାଇଛି। ଏଥିସହ ସାମ୍ବାଦିକମାନଙ୍କ ପିତାମାତାଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବାକୁ ସଂଘ ଦାବି ଜଣାଇଛି। ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସହ ଜଡ଼ିତ ଏହି ଯୋଜନା ସମ୍ପର୍କରେ ସରକାର ଶୀଘ୍ର ସ୍ପଷ୍ଟ ଓ ନିର୍ଭରଯୋଗ୍ୟ ନିଷ୍ପତ୍ତି ନେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଦାବିଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ଓଜେୟୁ ପକ୍ଷରୁ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଓଜେୟୁ ଗଞ୍ଜାମ ଜିଲ୍ଲା ଶାଖାର କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ଉପସଭାପତି ପ୍ରଶାନ୍ତ କୁମାର ମହାରଣା ଓ ସରୋଜ କୁମାର ମହାନ୍ତି, ସାଧାରଣ ସମ୍ପାଦକ ଶିବ ପ୍ରସାଦ ସାହୁ, ରାଜ୍ୟ ଆବାହିକା ବିଜୟ ଲକ୍ଷ୍ମୀ ମହାଙ୍କୁଡ, ସାମ୍ବାଦିକ ଶବର ତରାଇ, ସରୋଜ ସାମଲ, ବିଦ୍ୟାଧର ସାହୁ, ବଟକୃଷ୍ଣ ରାଉଳ, ରାକେଶ ରଞ୍ଜନ ଦାଶ, ସରୋଜ କୁମାର ପଟ୍ଟନାୟକ, ଦିଲ୍ଲୀପ କୁମାର ସାମଲ, ସନ୍ତୋଷ ସାହୁ, ଭଗବାନ ଦାଶ, ସୁଜୟ ସୁପ୍ରକାଶ ଧଳ, ପ୍ରଦୀପ କୁମାର ସାହୁ, ଦ୍ୱାରକା ପ୍ରସାଦ ପଟ୍ଟନାୟକ, କିଶୋର ଚନ୍ଦ୍ର ମହାନ୍ତି, ଗୌର ପ୍ରସାଦ ମହାପାତ୍ର, କେ. ରମେଶ, ଜିତେନ୍ଦ୍ର ନାୟକ, ଭାସ୍କର ବେହେରା ଓ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀଙ୍କ ସମେତ ଜିଲ୍ଲାର ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ