ଏସ୍ଆଇଆର୍ର ସଂଶୋଧିତ କାର୍ଯ୍ୟସୂଚୀ ନେଇ ସର୍ବଦଳୀୟ ବୈଠକ
ଛତ୍ରପୁର, (ଓ୍ବାଇଏନଏସ): ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)-୨୦୨୬ର ସଂଶୋଧିତ କାର୍ଯ୍ୟସୂଚୀ ଓ ଅନ୍ୟାନ୍ୟ ବିଷୟ ନେଇ ଛତ୍ରପୁର ସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସ୍ୱୀକୃତିପ୍ରାପ୍ତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ। ଗଞ୍ଜାମ ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହେଉଥିବାରେ ରାଜନୈତିକ ଦଳଗୁଡ଼ିକର ସହଯୋଗକୁ ଶ୍ରୀ ପଣ୍ଡା ପ୍ରଶଂସା କରିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ରାଜନୈତିକ ଦଳକୁ ଧନ୍ୟବାଦ ଜଣାଇଥିଲେ। ବୈଠକରେ ଏସ୍ଆଇଆର୍ ପ୍ରକ୍ରିୟାରେ ଦାବି ଓ ଆପତ୍ତି ଗ୍ରହଣ ସହ ଏହାର ଫଇସଲା ପ୍ରକ୍ରିୟା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ଦାବି ଓ ଆପତ୍ତି ଦାଖଲର ଅବଧି ୫ ଜୁଲାଇରୁ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ରହିଛି। ଦାବି ଓ ଆପତ୍ତିର ଫଇସଲା ସମ୍ପର୍କିତ ନୋଟିସ୍ ପର୍ଯ୍ୟାୟ ୫ ଜୁଲାଇରୁ ୧୭ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହାପରେ ୨୧ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ମତଦାତା ତାଲିକା ପ୍ରକାଶ ପାଇବ। ଏହାସହ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥାପନ କରିଥିବା ବିଭିନ୍ନ ପ୍ରସଙ୍ଗ ଓ ପରାମର୍ଶ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଡେପୁଟି କଲେକ୍ଟର ଡ. ଅରୁଣ କୁମାର ଖଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏନ୍. ଗଙ୍ଗାଧର ରେଡ୍ଡୀ, ଭି. ମଙ୍ଗଳେଶ୍ୱର ରାଓ, ଲକ୍ଷ୍ମୀ ନାରାୟଣ ପଣ୍ଡା, କାଳିଆ ରାଉଳ, ଭଗବାନ ଗନ୍ତାୟତ ଓ ଯୁବରାଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


