ସମୁଦ୍ର କୂଳ ଖାଉଛି, ବିପଦରେ ଆର୍ଯ୍ୟପଲ୍ଲୀ
ଛତ୍ରପୁର, (ଓ୍ବାଇଏନଏସ): ଦିନକୁ ଦିନ ସମୁଦ୍ର କୂଳ ଧସି ଗ୍ରାମ ଆଡ଼କୁ ମାଡ଼ି ଆସୁଥିବାରୁ ଭୟଭୀତ ଅବସ୍ଥାରେ ରହିଛନ୍ତି ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ ନିର୍ମାଣ କରି ଅଞ୍ଚଳକୁ ସୁରକ୍ଷା ଦେବା ଦାବିରେ ମଙ୍ଗଳବାର ସାନ ଆର୍ଯ୍ୟପଲ୍ଲୀ, ବଡ଼ ଆର୍ଯ୍ୟପଲ୍ଲୀ, କେ. ଆର୍ଯ୍ୟପଲ୍ଲୀ ଓ କତୁର ଗ୍ରାମର ଭଦ୍ରବ୍ୟକ୍ତି ଓ ଅଞ୍ଚଳବାସୀ ଗଞ୍ଜାମ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରି ସମୁଦ୍ର କୂଳରେ ଶୀଘ୍ର ସ୍ଥାୟୀ ପଥର ବନ୍ଧ ନିର୍ମାଣ ପାଇଁ ଦାବି କରାଯାଇଛି। ଦାବି ପୂରଣ ନହେଲେ ଆସନ୍ତା ୧୭ ତାରିଖରେ ଆନ୍ଦୋଳନକୁ ଓହ୍ଲାଇ ଗୋପାଳପୁର ପୋର୍ଟର ମୁଖ୍ୟ ଫାଟକ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଗତବର୍ଷ ଜୁଲାଇ ୨୫ ତାରିଖରେ ଗୋପାଳପୁର ପୋର୍ଟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା। ପରେ ଜିଲ୍ଲା ପ୍ରଶାସନର ମଧ୍ୟସ୍ଥତାରେ ତ୍ରିପାକ୍ଷିକ ବୈଠକ ହୋଇଥିଲା। ବୈଠକରେ ଗ୍ରାମର ସମୁଦ୍ର କୂଳ ସମ୍ପୂର୍ଣ୍ଣ ସୁରକ୍ଷିତ ନହେବା ପର୍ଯ୍ୟନ୍ତ ପ୍ରତିଦିନ ୨୫ଟି ହାଇୱା ଟ୍ରକ୍ ଯୋଗେ ପଥର ପକାଇବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ମାତ୍ର ୧୦ ଦିନ କାମ ହେବା ପରେ ଏହା ବନ୍ଦ ହୋଇଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଫଳରେ ସମୁଦ୍ର କୂଳ ସୁରକ୍ଷାରେ କୌଣସି ସ୍ଥାୟୀ ସମାଧାନ ହୋଇନଥିବା ବେଳେ ସମୁଦ୍ର ଆହୁରି ଗ୍ରାମ ନିକଟକୁ ମାଡ଼ି ଆସୁଛି। ଏଭଳି ସ୍ଥିତି ଜାରି ରହିଲେ ଆର୍ଯ୍ୟପଲ୍ଲୀ ଗ୍ରାମ ସମୁଦ୍ର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ରହିଥିବା ଅଞ୍ଚଳବାସୀ କହିଛନ୍ତି। ତେଣୁ ଯଥାଶୀଘ୍ର ସ୍ଥାୟୀ ପଥର ବନ୍ଧ ନିର୍ମାଣ କରି ଗ୍ରାମକୁ ସୁରକ୍ଷା ଦେବାକୁ ସେମାନେ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା ମତ୍ସ୍ୟଜୀବୀ ଫୋରମ୍ର ଜିଲ୍ଲା ସଭାପତି ଏମ୍. ଗୁମାଲୀ, ସାଧାରଣ ସମ୍ପାଦକ ବି. ଭୀମସେନ, ପୂର୍ବତନ ଛତ୍ରପୁର ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର କର, ଏମ୍. ଗୋବିନ୍ଦା, ଏମ୍. ଶାମା, ଜେ. ଚିନେୟାଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ।


