ସମୁଦ୍ର କୂଳ କ୍ଷୟ ରୋକିବା ଦାବିରେ ଜିଲ୍ଲାପାଳଙ୍କ ଉଦେଶ୍ୟ ରେ ଦାବିପତ୍ର

ଛତ୍ରପୁର,(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ଆର୍ଯ୍ୟପଲ୍ଲୀ, ପୋଡ଼ମପେଟା ଓ ରାମେୟାପାଟଣା ଅଞ୍ଚଳରେ ଦୀର୍ଘଦିନ ଧରି ଜାରି ରହିଥିବା ସମୁଦ୍ର କୂଳ କ୍ଷୟର ସ୍ଥାୟୀ ପ୍ରତିକାର ସହ ବିଭିନ୍ନ ଦାବି ନେଇ ଓଡ଼ିଶା ପାରମ୍ପରିକ ମତ୍ସ୍ୟ କର୍ମୀ ୟୁନିୟନ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବୁଧବାର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ୟୁନିୟନ ପକ୍ଷରୁ କୁହାଯାଇଛି ଯେ, ଗଞ୍ଜାମ ଜିଲ୍ଲାର ସମୁଦ୍ରକୂଳବର୍ତ୍ତୀ ଗ୍ରାମଗୁଡ଼ିକ ଗତ ଦୁଇ ଦଶନ୍ଧି ଧରି ସମୁଦ୍ର କୂଳ କ୍ଷୟର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରଭାବରେ ପୋଡ଼ମପେଟା ଗ୍ରାମ ପ୍ରାୟ ସମ୍ପୂର୍ଣ୍ଣ ସମୁଦ୍ର ଗର୍ଭରେ ଲୀନ ହୋଇସାରିଥିବା ବେଳେ ରାମେୟାପାଟଣାର ମଧ୍ୟ ଏକ ଅଂଶ କ୍ଷୟଗ୍ରସ୍ତ ହୋଇଛି। ଏବେ ଆର୍ଯ୍ୟପଲ୍ଲୀ ଗ୍ରାମ ମଧ୍ୟ ସମୁଦ୍ର କୂଳ କ୍ଷୟର ଗୁରୁତର ବିପଦରେ ରହିଛି। ତେଣୁ ଜରୁରୀକାଳୀନ ଭିତ୍ତିରେ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଗାର୍ଡୱାଲ ନିର୍ମାଣ କରି ସମୁଦ୍ର କୂଳ କ୍ଷୟକୁ ରୋକିବା ପାଇଁ ୟୁନିୟନ ଦାବି କରିଛି। ଏଥିସହ ପୂର୍ବରୁ ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଆଇଆରଇଏଲ କମ୍ପାନୀ ପକ୍ଷରୁ ଚାଲିଥିବା ବାଲି ଖନନ ଯୋଗୁଁ ପରିବେଶ ଓ ପ୍ରଦୂଷଣ ହେଉ ଅଛି ଏବଂ କ୍ଷତିଗ୍ରସ୍ତ ହେଉଥିବା ପରିବାରଙ୍କୁ ଉଚିତ କ୍ଷତିପୂରଣ ଦେଇ  ବିସ୍ଥାପନ କରିବାକୁ ଦାବି ହୋଇଛି। ଗୋପାଳପୁର ପୋର୍ଟର ପ୍ରଭାବରେ ଉତ୍ତର ଦିଗରେ ଗୋଖରକୁଡ଼ା, ପୋଡ଼ମପେଟା ଓ ପ୍ରୟାଗୀ ଭଳି ସମୁଦ୍ରକୂଳ ଅଞ୍ଚଳରେ କୂଳ କ୍ଷୟ ବଢ଼ୁଥିବା ଅଭିଯୋଗ କରିଛି ୟୁନିୟନ। ଏହାର ପ୍ରତିକାର ପାଇଁ ଋଷିକୁଲ୍ୟା ମୁହାଣକୁ ଆବଶ୍ୟକ ଭାବେ ଖନନ କରି ଜଳ ନିଷ୍କାସନର ସୁବ୍ୟବସ୍ଥା କରାଯାଉ ବୋଲି ଦାବି କରାଯାଇଛି। ଏହାଦ୍ୱାରା ସମୁଦ୍ର ଜଳ ଗ୍ରାମ ଭିତରକୁ ପ୍ରବେଶ ରୋକାଯିବା ସହ ବିସ୍ତିର୍ଣ୍ଣ ବେଳାଭୂମି ସୃଷ୍ଟି ହୋଇ ସମୁଦ୍ରକୂଳବର୍ତ୍ତୀ ଗ୍ରାମଗୁଡ଼ିକ ସୁରକ୍ଷିତ ହୋଇପାରିବ ବୋଲି ୟୁନିୟନ ଦର୍ଶାଇଛି। ଅନ୍ୟପକ୍ଷରେ ଆର୍ଯ୍ୟପଲ୍ଲୀଠାରେ ପ୍ରସ୍ତାବିତ ପୋତାଶ୍ରୟ ବା ଫିସିଂ ହାରବର୍‌କୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ମଧ୍ୟ ଦାବି ହୋଇଛି। ଫିସିଂ ହାରବର୍‌ ନିର୍ମାଣ ହେଲେ ସରକାରଙ୍କୁ ରାଜସ୍ୱ ମିଳିବା ସହ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ପାଇଁ ରୋଜଗାର ସୁଯୋଗ ବଢ଼ିବ ବୋଲି ୟୁନିୟନ କହିଛି। ଏଥିସହ ଆନ୍ଧ୍ରପ୍ରଦେଶର ଟ୍ରଲର୍‌ଗୁଡ଼ିକ ଗଞ୍ଜାମ ଉପକୂଳକୁ ଆସି ମତ୍ସ୍ୟ ସମ୍ପଦ ଲୁଟ୍‌ କରୁଥିବା ଅଭିଯୋଗ ଉଠାଇ ଏହାକୁ ରୋକିବା ପାଇଁ ମଧ୍ୟ ପଦକ୍ଷେପ ଦାବି କରାଯାଇଛି। ଫିସିଂ ହାରବର୍‌ ନିର୍ମାଣ ହେଲେ ଗଞ୍ଜାମ ଜିଲ୍ଲାର ହଜାର ହଜାର ମତ୍ସ୍ୟଜୀବୀଙ୍କୁ ସ୍ଥାନୀୟ ଭାବେ ରୋଜଗାର ସୁଯୋଗ ମିଳିବ ଏବଂ କେରଳ, ତାମିଲନାଡୁ, ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯିବାକୁ ପଡ଼ୁଥିବା ପରିସ୍ଥିତି କମିବ ବୋଲି ସେମାନେ ଦାବି କରିଛନ୍ତି। ଦାବିଗୁଡ଼ିକ ପ୍ରତି ସରକାର ଅବହେଳା କଲେ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ସମଗ୍ର ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ଏକତ୍ରିତ କରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ୟୁନିୟନ ଚେତାବନୀ ଦେଇଛି। ଦାବିପତ୍ର ପ୍ରଦାନ ସମୟରେ ଓଡ଼ିଶା ପାରମ୍ପରିକ ମତ୍ସ୍ୟ କର୍ମୀ ୟୁନିୟନର ରାଜ୍ୟ ସାଧାରଣ ସମ୍ପାଦକ ତଥା ଜାତୀୟ ୟୁନିୟନର ଉପସଭାପତି କେ. ଏଲେୟା, ଗଞ୍ଜାମ ଜିଲ୍ଲା ଶାଖା ସାଧାରଣ ସମ୍ପାଦକ ସିଏଚ. ବାବାଜୀ ଓ ଉପଦେଷ୍ଟା ଏନ. ଚିନେୟାଙ୍କ ସମେତ ୟୁନିୟନର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏଥିସହ ଦାବିପତ୍ରର ଏକ ନକଲ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ