ଦାଦନ ଶ୍ରମିକଙ୍କ ମୃତ ଘଟଣା: ରେଡକ୍ରସରୁ ମିଳିଲା ୩୦ ହଜାର ଟଙ୍କା
ଦିଗପହଣ୍ଡି (ଅଳକ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ସ୍ବର୍ଗତ ଟିଙ୍କା ବେହେରା ଙ୍କ ବଡ଼ ପୁଅ ଟୁନା ବେହେରା(୩୧) ଗତ ଶନିବାର ଭୋର ପ୍ରାୟ ୫ ଟାରେ ତାମିଲନାଡୁ ର ମାଲେପାଟମ୍ୱକମ୍ ଗାଁ ନିକଟରେ ସେ ଟ୍ରେନ ରୁ ଖସି ମୃତ୍ୟୁବରଣ କରିଥିଲେ। ସେଠାକାର କୁଡ଼ାଲୁର୍ ପୋର୍ଟ ଜଙ୍କସନ୍ ରେଲୱେ ଥାନା ପୋଲିସ (ଜିଆରପି) ମୃତଦେହ ଜବତ କରି ସରକାରୀ ହସ୍ପିଟାଲ ରେ ବ୍ୟବଚ୍ଛେଦ କରାଇଥିଲେ।ସେ ଥିଲେ ପରିବାର ର ଏକମାତ୍ର ରୋଜଗାର କ୍ଷମ ପୁଅ। ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ ଖଟି ଘର ଚଳାଉଥିଲେ। ନିହାତି ଗରିବ ଅସହାୟ ଟୁନା ଙ୍କ ଘର ନାହିଁ।ଭଡ଼ା ଘରେ ପରିବାର ଲୋକେ ରହୁଛନ୍ତି।ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢେ ୬ ଟାରେ ତାଙ୍କ ମୃତଦେହ ଭିଟାମାଟି ଭୀଷ୍ମଗିରି ଗ୍ରାମରେ ପହଞ୍ଚିଥିଲା।ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ୍ ଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଙ୍କ ଜରିଆରେ ରାଜସ୍ବ ନିରୀକ୍ଷକ ସୁଶାନ୍ତ ବେହେରା ତାଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମାଆ ଝୁନୁ ବେହେରା ଙ୍କୁ ରେଡକ୍ରସ ପାଣ୍ଠି ରୁ ୩୦ ହଜାର ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଥିଲେ। ଗ୍ରାମର ବହୁ ସଂଖ୍ୟକ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକ ବ୍ୟକ୍ତ କରିଥିଲେ।ପରେ ଶୋଭାଯାତ୍ରା ରେ ମରଶରୀର କୁ ଗାଁ ଶ୍ମଶାନ କୁ ନିଆଯାଇ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୂର୍ବତନ ସରପଞ୍ଚ ପିତାମ୍ବର ଗୌଡ଼,ସମିତି ସଭ୍ୟ ଶିବରାମ ମହାନ୍ତି ପ୍ରମୁଖ ଗୃହହୀନ ମୃତକଙ୍କ ପରିବାର ଙ୍କୁ ଆବାସ ଯୋଜନାରେ ବାସଗୃହ ଯୋଗାଇଦେବା ସହ ସେମାନଙ୍କୁ ଥଇଥାନ ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ନିକଟରେ ଦାବୀ କରିଛନ୍ତି।


