ଝରକା ଭାଙ୍ଗି ସୁନା ଗହଣା ଚୋରି ଅଭିଯୋଗ
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ବଡ଼ରମ୍ପାସ ଗ୍ରାମରେ ଗତ ରବିବାର ବିଳମ୍ବିତ ରାତିରେ ଚୋର ମାନେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଲୁଟପାଟ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସୋମବାର ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ଘଟଣାର ଅନୁସନ୍ଧାନ କରାଯାଇଛି l ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ ଘଟଣା ସମ୍ପର୍କିତ ବିଭିନ୍ନ ଦିଗକୁ ଅନୁଧ୍ୟାନ କରାଯାଉଛି l ତେବେ ଗ୍ରାମର ଅମିତ କୁମାର ସେନାପତିଙ୍କ ଅଭିଯୋଗ ଅନୁସାରେ ପରିବାର ଲୋକେ ଘରେ ଶୋଇଥିବା ବେଳେ ଚୋର ମାନେ ଝରକା ଭାଙ୍ଗି ଘରେ ପ୍ରବେଶ କରିଥିଲେ l ସେହି ଘର ଭିତରେ ତିନି ଜଣ ପରିବାର ଲୋକ ଶୋଇଥିବା ବେଳେ ଘରେଥିବା ଏକ ବାକ୍ସରୁ ଚୋର ମାନେ ସୁନାଗହଣା ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି l ଅମିତଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ନଂ ୩୨୬/୨୦୨୬ ରୁଜୁ କରିଛି l ତଦନ୍ତକାରୀ ଅଧିକାରୀ ବଳିଆ ବାରିକ କହିଛନ୍ତି ଯେ ଚୋରି ଏବଂ ଘଟଣାର ପାରିପାର୍ଶ୍ଵିକ ପରିସ୍ଥିତିକୁ ନେଇ ସନ୍ଦେହ ସୃଷ୍ଟି ହେଉଛି l ତଦନ୍ତ ଚାଲିଛି l ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି କହିଛନ୍ତି l


