ଆସିକାରେ ଜମିବ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ମହୋତ୍ସବ
ଆସିକା (ୱାଇଏନ୍ଏସ୍) : ଆସନ୍ତା ଶୁକ୍ରବାର ଦିନ ପାଳିତ ହେବ ଜନ୍ମାଷ୍ଟମୀ । ଧରାବତରଣ କରିବେ ଭଗବାନ ଶ୍ରୀକୃଷ୍ଣ । ଦେବକୀ ନନ୍ଦନ ପ୍ରଭୂ ଶ୍ରୀକୃôଷ୍ଣଙ୍କ ଆଗମନ ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କୃଷ୍ଣପ୍ରେମୀଙ୍କ ମଧ୍ୟରେ ଏବେଠୁ ପ୍ରବଳ ଉତ୍ସାହ ଦେଖାଦେଇଥିଲା ବେଳେ ଲାଲାଶାସନ ଗ୍ରାମ ଓ ଖମ୍ବେଶ୍ୱରୀପାଟଣା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ରାଧାକୃଷ୍ଣ ମନ୍ଦିର ଗୁଡିକରେ ଜନ୍ମାଷ୍ଟମୀ ଉତ୍ସବକୁ ମହାଆଡମ୍ବର ସହକାରେ ଉତ୍ସାହ ଓ ଉଦ୍ଦୀପନାର ସହ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଧିବିଧାନ ଅନୁଯାୟୀ ପାଳନ କରିବା ସକାଶେ ବିଭିନ୍ନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ଆସନ୍ତା ଶୁକ୍ରବାର ଦିନ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହେବ । ହିନ୍ଦୁ ପରମ୍ପରା ଓ ସଂସ୍କୃତିରେ ହେଉଥିବା ବାର ମାସରେ ତେର ପର୍ବ ମଧ୍ୟରୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଏକ ସ୍ୱତନ୍ତ୍ର ଉତ୍ସବ । ଆସନ୍ତା ଶୁକ୍ରବାର ଦିନ ପାଳିତ ହେବାକୁ ଥିବା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ମହୋତ୍ସବକୁ ପାଳନ କରିବା ପାଇଁ କିଏ ବଜାରରୁ କହ୍ନେଇ ମାପର ଅତି ସୁନ୍ଦର ଓ ଆକର୍ଷଣୀୟ ପୋଷାକ କିଣିବାରେ ବ୍ୟସ୍ତ ତ ଅନ୍ୟ କିଏ ମୁକୁଟ, ବଇଁଶୀ ଓ ମୟୂର ପିଚ୍ଛ ସାଙ୍ଗକୁ ଝୁଲଣ ଖଟୁଳି କ୍ରୟ କରିବା ପାଇଁ ଲାଗିପଡିଥିବା ଦେଖିବାକୁ ମିଳୁଛି । ଅପର ପକ୍ଷରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳନ ଅବସରରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶିଶୁ ବିଦ୍ୟାମନ୍ଦିର ଗୁଡିକ ପକ୍ଷରୁ ଆୟୋଜିତ ହେବାକୁ ଥିବା ଜନ୍ମାଷ୍ଟମୀ ଉତ୍ସବ ପାଳନ ଅବସରରେ କୁନି କୁନି ଛୁଆ ମାନଙ୍କୁ ରାଧାକୃଷ୍ଣ ବେଶରେ ସଜ୍ଜିତ କରିବା ପାଇଁ ବହୁ ଅଭିଭାବକ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି । ଆସିକା ପୌର ପରିଷଦ ଅଧିନସ୍ଥ ଐତିହ୍ୟ, ସଂସ୍କୃତି ସଂପନ୍ନ ଓ ଭାଇଚାରାର ଗ୍ରାମ ରୂପେ ପରିଚିତ ଥିବା ଲାଲାଶାସନ ଗ୍ରାମରେ ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ମହୋତ୍ସବ ତଥା ଜନ୍ମାଷ୍ଟମୀ ଉତ୍ସବକୁ ମହାଆଡମ୍ବରରେ ପାଳନ କରିବା ଲାଗି ଗ୍ରାମ୍ୟ କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ, ସଂପାଦକ ଉପେନ୍ଦ୍ରନାଥ ମିଶ୍ର, ଉପସଭାପତି ପ୍ରଦୀପ କୁମାର ଶତପଥୀ, ଯୁଗ୍ମ ସଂପାଦକ ସୀତାରାମ ହୋତା, ସଂଗଠନ ସଂପାଦକ ଶିବପ୍ରସାଦ ଶତପଥୀ, କୋଷାଧ୍ୟକ୍ଷ ରବିନ୍ଦ୍ର ହୋତା, ଗ୍ରାମର ଆଧ୍ୟାତ୍ମିକପ୍ରେମୀ ହେମନ୍ତ ଦାଶ, ଉପେନ୍ଦ୍ରନାଥ ଶତପଥୀ, ହିମାଂଶୁ ଶେଖର କର, ଗଙ୍ଗାଧର ଶତପଥୀ, ବଦ୍ରିନାରାୟଣ କର, ମିଟିକ ତ୍ରିପାଠୀ, ବିଶିକେଶନ ଶତପଥୀ, ଅନନ୍ତ ଚରଣ ଶତପଥୀ, ରବିଲୋଚନ ଦାଶ, ବୁଢା ପାଣିଗ୍ରାହୀ, ଦୁର୍ଗାମାଧବ ତ୍ରିପାଠୀ, ସୁନିଲ୍ କୁମାର ମିଶ୍ରଙ୍କ ସମେତ ଶାସ୍ତ୍ରୀନଗର ଓ ଲାଲାଶାସନ ଗ୍ରାମବାସୀ ଆଗେଇ ଆସିଥିବା ଲକ୍ଷ୍ୟ କରାଯାଇଛି । ଦେବକୀ ନନ୍ଦନ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳନ ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ପୂଜାସାମଗ୍ରୀ ଦୋକାନ ଗୁଡିକରେ ଗ୍ରାହକଙ୍କ ପ୍ରବଳ ଭିଡ ଜମୁଥିବା ଦେଖିବାକୁ ମିଳୁଛି ।


