ଆଞ୍ଚଳିକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ
ଆସିକା (ୱାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଓ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ପରାମର୍ଶ କ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲ ଖେଳପଡିଆ ପରିସରରେ ଦୁଇଦିବସୀୟ ଆଞ୍ଚଳିକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ବୁଧବାର ଉଦ୍ଘାଟିତ ହୋଇଯାଇଛି । ଆସିକା ବ୍ଳକ ବିଦ୍ୟାଳୟ କ୍ରୀଡା ସଂଗଠନର ସଭାପତି ତଥା ବିଇଓ ସୁଜିତ୍ କୁମାର ପାଢୀଙ୍କ ପରାମର୍ଶ ଓ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲ ଖେଳପଡିଆରେ ଆରମ୍ଭ ହୋଇଥିବା ଆଞ୍ଚଳିକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭଂଜ ବେହେରା, ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ଆସିକା ବ୍ଳକ କ୍ରୀଡା ସଂଗଠନର ସଂପାଦକ ତଥା ବରିଷ୍ଠ କ୍ରୀଡା ଶିକ୍ଷକ କୈଳାଶ ଚନ୍ଦ୍ର ଗୌଡ, ଶିକ୍ଷାନୁଷ୍ଠାନର ପଞ୍ଚସଖା ଶିକ୍ଷାସେତୁ ଯୋଜନାର ସଭାପତି ତଥା ପ୍ରାକ୍ତନ ଛାତ୍ର ବି.ସୁନେଶ୍ କୁମାର ପାତ୍ର, ପରିଚାଳନା କମିଟି ସଭାପତି ବି.ରାଜି ପାତ୍ର, ଅବସରପ୍ରାପ୍ତ ରେଳ ବିଭାଗର କର୍ମଚାରୀ ସୁରେନ୍ଦ୍ରନାଥ ପଣ୍ଡା, ସହକାରୀ ଶିକ୍ଷକ ସୁଶିଲ୍ ମୋହନ ପାତ୍ର ପ୍ରମୁଖ ଯୋଗଦେଇ ଶରୀରକୁ ସୁସ୍ଥ ରଖିବା ପାଇଁ କ୍ରୀଡା ଏକ ପ୍ରକୃଷ୍ଟ ମାଧ୍ୟମ ହୋଇଥିଲା ବେଳେ ପାଠପଢା ସହିତ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ସମନ୍ୱୟ ରକ୍ଷା କ୍ଷେତ୍ରରେ କ୍ରୀଡାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରି ଛାତ୍ରଛାତ୍ରୀମାନେ କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜନ କରିବାକୁ ଆହ୍ୱାନ କରିଥିଲେ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲ ଖେଳପଡିଆ ପରିସରରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ଆଞ୍ଚଳିକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାରେ ବାଲିସିରା, କେ.ନୁଆଁପଲ୍ଲୀ, ଗଙ୍ଗାପୁର କ୍ଳଷ୍ଟର ଅଧିନସ୍ଥ ଉଚ୍ଚପ୍ରାଥମିକ, ଉଚ୍ଚବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ଥିବା ପ୍ରାୟ ୩୦ଟି ସ୍କୁଲର ଅନ୍ୟୁନ ୨ ଶହରୁ ଉର୍ଦ୍ଧ୍ୱ ୧୪ ଓ ୧୭ ବର୍ଷରୁ କମ୍ ଆଗ୍ରହୀ ଛାତ୍ରଛାତ୍ରୀ ମାନେ କନିଷ୍ଠ ଓ ବରିଷ୍ଠ ବର୍ଗରେ ବିଭିନ୍ନ ଖେଳରେ ଭାଗ ନେଇଥିଲେ । ଏହି ଗୁଣ୍ଠପଡା ଆଞ୍ଚଳିକସ୍ତରୀୟ କ୍ରୀଡା ପ୍ରତିଯୋଗିତାକୁ ସୁପରିଚାଳନା କରିବା ଦିଗରେ ଜଗଦଳପୁର ହାଇସ୍କୁଲର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ଇଶ୍ୱରୀ ମହାପାତ୍ର, ଅନ୍ନପୂର୍ଣ୍ଣା ଭୋଇ, ସୁନିଲ୍ କୁମାର ସେଠୀ, କ୍ରୀଡା ଶିକ୍ଷକ ଜି.ଆନନ୍ଦ ପାତ୍ର, କୈଳାଶ ଚନ୍ଦ୍ର ଗୌଡ, ସୁଶିଲ୍ ମୋହନ ପାତ୍ର, ପ୍ରଶାନ୍ତ କୁମାର ମୁନି, ନୀଳମାଧବ ସ୍ୱାଇଁ, ମନ୍ଦାକିନୀ ପ୍ରଧାନ, କୈଳାଶ ଚନ୍ଦ୍ର ପ୍ରଧାନ, ଆଶାଲତା ପ୍ରଧାନ, ସ୍ୱଦେଶ କୁମାର ଦଳେଇ, ଗୋପାଳକୃଷ୍ଣ ମହାରଣା, ସନ୍ତୋଷ କୁମାର ବେହେରା, ଉଦୟନାଥ ମାଝୀ, ଦୀପ୍ମାଳା ବେହେରା, ନବଘନ ବାଡତ୍ୟା, କୈଳାଶ ଚନ୍ଦ୍ର ପ୍ରଧାନ, ବିଚିତ୍ର ଜେନା, ଟୁନା ମୁଦୁଲି, ଶତୃଘ୍ନ ନାୟକ, ମଦନ ମୋହନ ବାଡତ୍ୟାଙ୍କ ସମେତ ଶିକ୍ଷାବିଭାଗର ବହୁ ଶିକ୍ଷକ ଓ କ୍ରୀଡା ଶିକ୍ଷକ ଏବଂ କର୍ମଚାରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବ୍ଳକ ଅଧୀନସ୍ଥ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ଖେଳ ପଡିଆରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ଦୁଇଦିବସୀୟ ଅଞ୍ଚଳିକସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳର କ୍ରୀଡାପ୍ରେମୀଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।


