ଗୁରୁକୁଳ ଇଣ୍ଟରନ୍ୟାସନଲ୍ ପବ୍ଳିକ ସ୍କୁଲରେ ଜନ୍ମାଷ୍ଟମୀ
ଆସିକା (ୱାଇଏନ୍ଏସ୍) : ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ପୌର ପରିଷଦ ଅନ୍ତର୍ଗତ ଖମ୍ବେଶ୍ୱରୀପାଟଣାରେ ଥିବା ଗୁରୁକୁଳ ଇଣ୍ଟରନ୍ୟାସନଲ୍ ସ୍କୁଲ ଏବଂ ନିରଞ୍ଜନ ନଗର ସ୍ଥିତ ରେଡିକା ସାହି ନିକଟରେ ଥିବା ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଶୁକ୍ରବାର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଗୁରୁକୁଳ ଇଣ୍ଟରନ୍ୟାସନଲ୍ ପବ୍ଳିକ୍ ସ୍କୁଲର ପରିଚାଳନା କମିଟି ସଭାପତି ବି.ଶଙ୍କର ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଟାନର ପରିଚାଳନା କମିଟି ମୁଖ୍ୟ ହିମାଂଶୁ କର ଯୋଗଦେଇ ଭଗବାନ କୃଷ୍ଣଙ୍କ ଜନ୍ମବୃତ୍ତାନ୍ତ ସାଙ୍ଗକୁ ପବିତ୍ର ଜନ୍ମାଷ୍ଟମୀ ପାଳନର ଆଧ୍ୟାତ୍ମିକ ରହସ୍ୟ ଉପରେ ବହୁ ଶିକ୍ଷଣୀୟ ପରାମର୍ଶ ପ୍ରଦାନ କରିଥିଲେ । ଗୁରୁକୁଳ ଇଣ୍ଟରନ୍ୟାସନଲ୍ ପବ୍ଳିକ ସ୍କୁଲରେ ଅଧ୍ୟୟନରତ କୁନିକୁନି ବିଦ୍ୟାର୍ଥୀ ମାନେ ରାଧାକୃଷ୍ଣ, ଯଶୋଦା, ସୁଦାମା ବେଶରେ ସଜ୍ଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିର ଉପସଭାନେତ୍ରୀ ରଂଜିତା ରାଣୀ କର, ଉପଦେଷ୍ଟା ବିଶ୍ୱଜିତ୍ କର, ଅଧ୍ୟକ୍ଷା ଭି.ଜ୍ୟୋତ୍ସ୍ନାରାଣୀ ରେଡି, ଗୁରୁମା ଶିବାନୀ ପାତ୍ର, ବିଷ୍ଣୁପ୍ରିୟା ସାହୁ, ଗାୟତ୍ରୀ ପଟ୍ଟନାୟକ, ଭବାନୀ ସାହୁ, ପୂଜାରାଣୀ ବେହେରା, କମଳା କୁମାରୀ ଆଚାରୀ, ନିଳାଞ୍ଚଳ ମହାରଣା, ଝୁମୁରୀ ପାତ୍ରଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲା ବେଳେ ବହୁ ବୁଦ୍ଧିଜୀବୀ, ସଚେତନ ନାଗରିକ, ଅଭିଭାବକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଆସିକା ପୌର ପରିଷଦ ଅଧିନସ୍ଥ ଭାଗବତ ଗାଦି ରାଧେ ରାଧେ ମନ୍ଦିର, ଖମ୍ବେଶ୍ୱରୀପାଟଣା ଗୋପୀନାଥ ମନ୍ଦିର, ସୁନାମ୍ବ ରଥଦାଣ୍ଡ ସାହିସ୍ଥିତ ରଘୁନାଥ ମନ୍ଦିର, ଭଗବାନ ସତ୍ୟସାଇ ବାବାଙ୍କ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ରାଧାକୃଷ୍ଣ ମନ୍ଦିର ପରିସରରେ ଶିଶୁ ଶ୍ରୀକୃଷ୍ଣଙ୍କୁ ଦୋଳାୟନ, ଦୁଗ୍ଧପାନ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁଯାୟୀ ସଂପନ୍ନ ହୋଇଥିଲା ବେଳେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ଲାଗି ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା । ଜନ୍ମାଷ୍ଟମୀ ଅବସରରେ ଘରେ ଘରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା ବେଳେ ଶ୍ରଦ୍ଧାଳୁ କୃଷ୍ଣଭକ୍ତମାନେ କୃଷ୍ଣଜନ୍ମ ବୃତ୍ତାନ୍ତ ପାଠ କରି ନିଷ୍ଠାର ସହ ଉପବାସ ରହି ରାତ୍ରରେ ପ୍ରସାଦ ସେବନ କରିଥିବା ଦେଖିବାକୁ ମିଳିଥିଲା । ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ମହୋତ୍ସବ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା ।


