ମାନବିକତା ଓ ଭାବପ୍ରବଣତା ଆଜିର ଯୁଗର ସବୁଠୁ ବଡ଼ ଉପହାସ
ଆଜିର ଦ୍ରୁତଗତିର ଦୁନିଆରେ ସବୁଠୁ ମହଙ୍ଗା ଓ ବିରଳ ଜିନିଷ ହେଲା ନିସ୍ୱାର୍ଥ ଭଲ ପାଇବା।
ଆଜିର ସମୟରେ ଯେ ହୃଦୟ ଦେଇ ଚିନ୍ତା କରେ, ଯେ ଅନ୍ୟର କଷ୍ଟକୁ ନିଜର କଷ୍ଟ ଭାବେ, ସେ ହିଁ ସବୁଠୁ ଅଧିକ କ୍ଷତ-ବିକ୍ଷତ ହୁଏ। କାରଣ ଆଜି ମାନବିକତା ଏବଂ ଭାବପ୍ରବଣତାକୁ ସମାଜ “ଦୁର୍ବଳତା” ନାମ ଦେଇଦେଇଛି।
ସେ ଜାଣିଥାଏ ଯାହାକୁ ସେ ସାହାଯ୍ୟ କରିବାକୁ ଯାଉଛି, ସେ ତାର କ୍ଷତି କରିଛି ଏବଂ ଆଗକୁ ବି କରିବ। ତଥାପି ସେ ଚୁପ୍ ରହିପାରେ ନାହିଁ। ତା ପାଇଁ ମଣିଷତ୍ୱ ସବୁଠୁ ବଡ଼।
ଦିନେ ଧୋକା ଦେଇଥିବା ଜୟଚନ୍ଦ୍ରଙ୍କ ବେକରେ ଛୁରୀ ନଲଗାଇ ତାକୁ ପୁଣି ପ୍ରଶୟ ଦେବା ହିଁ ତାର ସ୍ୱଭାବ।
କିନ୍ତୁ ଫଳ କ’ଣ? ସାହାଯ୍ୟ ପାଇଥିବା ଲୋକ ପିଠି ପଛରେ କୁହେ – “ଆମେ ତାକୁ ବ୍ୟବହାର କରିଦେଲୁ”। ତାର ସରଳତାକୁ ବୋକାମି, କ୍ଷମାକୁ ଦୁର୍ବଳତା କୁହାଯାଏ।
ସେ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ଯିବାକୁ ଚାହେଁ। ଯେ ତାକୁ ବାରମ୍ବାର ଧୋକା ଦେଇଛି, ତାକୁ ମଧ୍ୟ ସବୁ ଭୁଲି ଯାଇ ଦିନ-ରାତି ଗୋଟେ କରି ସଫଳତାର ଶୀର୍ଷରେ ପହଞ୍ଚାଇଦିଏ। ଆଉ ସେହି ଦିନ ସେ ବ୍ୟକ୍ତିର ଅସଲ ରୂପ ବାହାରକୁ ଆସେ।
ଇତିହାସ ସାକ୍ଷୀ
ଏଇ କାହାଣୀ ନୂଆ ନୁହେଁ।
ଜୟଚନ୍ଦ୍ର ନିଜ ସ୍ୱାର୍ଥ ପାଇଁ ଦେଶଦ୍ରୋହ କଲେ, ଘୋରୀକୁ ରାସ୍ତା ଦେଖାଇଲେ। କିନ୍ତୁ ଇତିହାସରେ ନାମ ରହିଲା “ଜାତିଦ୍ରୋହୀ” ଭାବେ। ଯେ ନିଜ ଲୋକଙ୍କୁ ଠକେ ତାର ପରିଣାମ ଏଇଆ।
କର୍ଣ୍ଣ ଜାଣିଥିଲେ ମଧ୍ୟ ବ୍ରାହ୍ମଣ ବେଶରେ ଇନ୍ଦ୍ର କବଚ-କୁଣ୍ଡଳ ମାଗିବାକୁ ଆସିଛନ୍ତି। ତଥାପି ଦାନଧର୍ମ ପାଇଁ ଦେଇଦେଲେ। ଫଳ? ଯୁଦ୍ଧରେ ପ୍ରାଣ ଗଲା। କିନ୍ତୁ ନାମ ରହିଲା “ଦାନବୀର”।
ଯୁଧିଷ୍ଠିର ଧର୍ମ ପାଇଁ ନିଜ ଭାଇଙ୍କୁ ଜୁଆରେ ହାରିଲେ, ରାଜ୍ୟ ହାରିଲେ। ଶତ୍ରୁଙ୍କୁ ବି ସମ୍ମାନ ଦେଲେ। ତାଙ୍କୁ କୁହାଗଲା “ନୀତିହୀନ ରାଜା”।
ଗାନ୍ଧୀଜୀ ଅହିଂସା ଓ ମାନବିକତାର ପଥ ଧରିଲେ। ନିଜ ଲୋକଙ୍କ ହାତରେ ଗୁଳି ଖାଇଲେ। କିନ୍ତୁ ଦୁନିଆକୁ ଶାନ୍ତିର ରାସ୍ତା ଦେଖାଇଲେ।
ବର୍ତ୍ତମାନ – ଚାରିଆଡେ ପିଠିରେ ଛୁରୀ
ଆଜି ଏଇ ଭାବପ୍ରବଣତାକୁ କିପରି ବ୍ୟବହାର କରାଯାଉଛି: ଯେ ସମାଜ ସେବା କରେ, ଗରିବଙ୍କ ପାଇଁ ଆଓ୍ଵାଜ ଉଠାଏ, ତାକୁ କୁହାଯାଏ “ନାମ କମାଇବା ପାଇଁ ନାଟକ କରୁଛି”। ତା ପଛରେ ଷଡ଼ଯନ୍ତ୍ର ହୁଏ।
ରାଜନୈତିକ ଯେ ନେତା ସତରେ ଲୋକଙ୍କ ପାଇଁ ଭାବେ, ତାକୁ ଦଳରେ ହିଁ ଚକ୍ରାନ୍ତ କରାଯାଏ। ତାର ସରଳତାକୁ “ଅନଭିଜ୍ଞତା” କୁହାଯାଏ। ଯେ ମିଠା କଥା କହି ଭୋଟ୍ ନିଏ ଆଉ ପରେ ଭୁଲିଯାଏ, ସେ ହିଁ ସଫଳ ନେତା।
ସମ୍ପର୍କ ଓ ବିଶ୍ୱାସ ଘରେ, ବନ୍ଧୁତାରେ, ପ୍ରେମରେ ଯେ ସତ ଓ ବିଶ୍ୱାସର ସହ ରହେ, ତାକୁ ସବୁଠୁ ଅଧିକ ଠକା ଯାଏ। କାମ ସରିଲା ପରେ କୁହାଯାଏ “ତୁ ବେଶୀ ଭାବୁଛୁ”। ସବୁ ସାମର୍ଥ୍ୟ ଥାଇ ମଧ୍ୟ ସେ ଅସହାୟ ଓ ଏକୁଟିଆ ହୋଇଯାଏ।
ତେବେ ମାନବିକତା କ’ଣ ଭୁଲ ? ନା। ମାନବିକତା ଭୁଲ ନୁହେଁ। ଭୁଲ୍ ହେଲା ଆମେ କାହା ପାଇଁ ମାନବିକତା ଦେଖାଉଛୁ ସେଇଆ ବୁଝିପାରୁନୁ।
ଉପାୟ ହେଲା – “ଆଖି ଖୋଲି ଭଲ ହେବା”। ସମସ୍ତଙ୍କୁ ସାହାଯ୍ୟ କର, କିନ୍ତୁ ନିଜ ଆତ୍ମସମ୍ମାନକୁ ବିକି ଦିଅ ନାହିଁ। କ୍ଷମା କର, କିନ୍ତୁ ସେଇ ଭୁଲକୁ ପୁଣି ପୁଣି ସହିବା ବନ୍ଦ କର।
ମନେ ରଖନ୍ତୁ:
_ଲୋକେ ତୁମେ ଏକୁଟିଆ ଥିବା ବେଳେ ତୁମ ପାଇଁ ଚିନ୍ତା କରନ୍ତି ନାହିଁ।
_ସେମାନେ ନିଜେ ଏକୁଟିଆ ଥିବା ବେଳେ ତୁମ ପାଇଁ ଚିନ୍ତା କରନ୍ତି।_
_ଏଇଟା ମାନବ ସ୍ୱଭାବର ଗୋଟେ ତିକ୍ତ ସତ୍ୟ। କେତେବେଳେ ଲୋକେ ତୁମକୁ କେବଳ ସେତେବେଳେ ମନେ ପକାନ୍ତି ଯେତେବେଳେ ସେମାନଙ୍କୁ ତୁମର ଆବଶ୍ୟକତା ଥାଏ।_
_ତେଣୁ ନିଜ ମୂଲ୍ୟ ବୁଝ। ଦୟାଳୁ ରୁହ, କିନ୍ତୁ ନିଜ ଖୁସି ପାଇଁ କେବେ ବି ଅନ୍ୟ ଉପରେ ନିର୍ଭର କର ନାହିଁ।_
ଭାବପ୍ରବଣ ଲୋକମାନେ କଷ୍ଟ ପାନ୍ତି। ଭାଙ୍ଗିଯାନ୍ତି। କିନ୍ତୁ ସେମାନେ ହିଁ ଏଇ ପଥର ହୋଇଯାଇଥିବା ଦୁନିଆରେ ହୃଦୟର ସ୍ପନ୍ଦନକୁ ବଞ୍ଚାଇ ରଖିଛନ୍ତି।
ମାନବିକତା ଦୁର୍ବଳତା ନୁହେଁ। ଏହା ହେଉଛି ସାହସ। ଆଉ ସାହସ କେବେ ପୁରୁଣା ହୁଏ ନାହିଁ। ଯେଉଁ ଦିନ ଏହା ସରିଯିବ, ସେଦିନ ମଣିଷ ଓ ଯନ୍ତ୍ର ମଧ୍ୟରେ କିଛି ପାର୍ଥକ୍ୟ ରହିବ ନାହିଁ।

ଦୁର୍ଗାମାଧବ ପାଣିଗ୍ରାହୀ (କାବୁ )
ଦୁର୍ଗାଦେବୀ ସାହି, ଗଞ୍ଜାମ


